
🕉️ କାର୍ତ୍ତିକ ମାହାତ୍ମ୍ୟ🕉️
🙏🙏🚩🚩🕉️🚩🚩🙏🙏
ଦଶମ ଅଧ୍ୟାୟ
💐🌸💮🏵️🌺🏵️💮🌸💐
🚩⚜️🐚🕉⚜️🐚🚩
ସ ମାଂ ସଂପୂଜ୍ୟ ବିଧିବଦ୍ଧେଶ୍ଚ ଅତି ଭକ୍ତିତଃ
ସଂ ପହସ୍ୟ ତଦା ବାକ୍ୟ ଯଦାଦ ନୃପସତ୍ତମଃ।
ନାରଦ ମୁନି ଅନୁରାଗେ । କହନ୍ତି ପୃଥୁ ରାଜା ଆଗେ ।।
ଶୁଣ ରାଜନ ଗ୍ରନ୍ଥସାର । ବିଷ୍ଣୁଙ୍କୁ ପାଇ ଜଳନ୍ଧର ।।
ଲକ୍ଷ୍ମୀ ସହିତେ ତାର ପୁରେ। ରହିଲେ ବାନ୍ଧବ ଭାବରେ।।
ତେଣୁ ଅସୁର ମହାସୁଖୀ । ଜଗତ ଶିରା ପୁରେ ରଖି।।
ଦେବ ଖଟନ୍ତି ଭୃତ୍ୟ ମତେ । ଦିନ ବଞ୍ଚନ୍ତି ଦୁଃଖ ଚିତ୍ତେ।।
ଏ ଅନ୍ତେ ଗଲା କେତେକାଳ । ଦିନେକ ସ୍ୱର୍ଗେ ସୁରପାଳ।।
ସକଳ ଦେବତାଙ୍କୁ ରାଇ । ଆମ୍ଭଙ୍କୁ ସନ୍ନିଧେ ବସାଇ।।
କହନ୍ତି ଦେବ ପୁରନ୍ଦର । ହେ ମୁନି ଶୁଣ ଦୁଃଖ ମୋର।।
ଆମ୍ଭର ପ୍ରଭୁ ନାରାୟଣ । ତାଙ୍କ ବିଭୂତି ଦେବଗଣ।।
ସେ ପ୍ରଭୁ ଆମ୍ଭ ଦୁଃଖ ଦେଖି । ସ୍ବଦେହ ବୈକୁଣ୍ଠ ଉପେକ୍ଷି।।
ଲକ୍ଷ୍ମୀଙ୍କୁ ଘେନି ଲକ୍ଷ୍ମୀସାଇଁ । ରହିଲେ ଦୈତ୍ୟ ପୁରେ ଯାଇ ।।
ସେ ମହାଦୈତ୍ୟ ଜଳନ୍ଧର । ଜଗତନାଥ ତାର ପୁର ।।
ଲକ୍ଷ୍ମୀ ସହତେ ରଖିପୁରେ । ସର୍ବ ସମ୍ପଦ ଭୋଗ କରେ।।
ସେ ସର୍ବ ଆତ୍ମା ବସୁଦେବ । ଆମ୍ଭଙ୍କୁ ହୋଇଲେ ଅପୂର୍ବ ।।
ତାଙ୍କ ଚରଣ ସେବା ବିନୁ । କିସ କାରଣ ଆମ୍ଭ ତନୁ ।।
ଧିକ ଆମ୍ଭର ଯଶ ଶିରୀ । ହରି ଭକତି ଦୂର କରି।।
କି ପ୍ରୟୋଜନ ସ୍ବର୍ଗ ସ୍ଥାନେ । କିମ୍ପା ନ ଗଲୁ ଘୋର ବନେ।।
ତୁମ୍ଭେ ତ ଜାଣ ମହାମୁନି । ଯେବଣ ଜନ ଦେହ ଘେନି ।।
ବିଷ୍ଣୁ ଭକତି ବିନୁ ବଞ୍ଚେ । କୋଟି କୁବେର ଧନ ସଞ୍ଚେ।।
ଭୁଞ୍ଜଇ କୋଟି ଲକ୍ଷ୍ମୀ ଶିରୀ । ସେ ସ୍ୱର୍ଗ ନର୍କ ଭୋଗ କରି।।
ଆମ୍ଭ ବିକ୍ରମ ସେହି ମତି । ଅସୁର ଘରେ ଲକ୍ଷ୍ମୀପତି ।।
ବନ୍ଦୀ ହୋଇଲେ ଆମ୍ଭ ପାଇଁ । ଆମ୍ଭର ଆଉ ସୁଖ ନାହିଁ ।।
ଯେ ଜଳନ୍ଧର ସିନ୍ଧୁ ସୁତ । ଆମ୍ଭଙ୍କୁ କଲା ହୀନ କୃତ୍ୟ।।
ପ୍ରଭୁଙ୍କୁ ନେଇ ବନ୍ଦୀ କଲା । ଏ କର୍ମ କାଳେ ହେଁ ନ ଥିଲା ।।
ପୂର୍ବେ ହିରଣ୍ୟ ହିରଣାକ୍ଷ । ଦନୁ ଦାନବ ଯକ୍ଷ ଭକ୍ଷ।।
ମଧୁକୈଟଭ ମହାବୀର । ଶୂନ୍ୟ ନିଶୂନ୍ୟ ଶଙ୍ଖାସୁର ।।
ମାଳି ସୁମାଳି ମାଲ୍ୟବନ୍ତ । ଏ ହୁତ କେଶ ବଜ୍ରଦନ୍ତ ।।
ବଇଲୋଚନ ବଳୀ ବୀର । କାଳକ ଅନ୍ଧକ ଅସୁର ।।
ତ୍ରିପୂରା ନାରଦ ସହିତେ । ଏମନ୍ତ ଦୁଷ୍ଟ ଥିଲେ ଯେତେ ।।
ସୁଚି ନମୁଚି ଜମ୍ବୁଦୈତ୍ୟ । କେହି ନ କଲେ ଏଡେ କୃତ୍ୟ।।
ଦେବଙ୍କୁ ଦୁଃଖ ଦେଉଥିଲେ । ବିଷ୍ଣୁ ମାୟାରେ ନାଶ ଗଲେ।।
ଏ ଦୈତ୍ୟ ନାମ ଜଳନ୍ଧର । ବଳେ ଜିଣିଲା ତିନିପୁର।।
ଯେ ପ୍ରଭୁ ଦୁଷ୍ଟ ଦର୍ପହରେ ।ତାଙ୍କୁ ନେଇ ରଖିଲା ନେଇ ଘରେ।।
ଆଉ ତୁମ୍ଭଙ୍କୁ କିସ ଗତି । ଏକା ଅଛନ୍ତି ଉମାପତି ।।
ତାହାଙ୍କୁ କଲେ ଆରାଧନ । ଦାନବ କରିବେ ଦଳନ।।
ଏକଥା ହୁଅଇ ଯେମନ୍ତେ । ଭୋ ମୁନି ଭିଆଅ ତୁରିତେ ।।
ଏମନ୍ତ କହି ସୁନାଶିର । ନମିଲା ଆମ୍ଭର ପୟର।।
ଶୁଣ ରାଜନ ଚୂଡାମଣି । ବାସବ ବାକ୍ୟ ଆମ୍ଭେ ଶୁଣି ।।
ସର୍ବ ଦେବଙ୍କ ସୀଉକାରେ । ଗଲୁ ଯେ ଜଳନ୍ଧର ପୁରେ ।।
ସିନ୍ଧୁ ନନ୍ଦନ ସଭାତଳେ । ପ୍ରବେଶ ହେଲୁ ଶୁଭ ବେଳେ ।।
ଆମ୍ଭଙ୍କୁ ଦେଖି ଦୈତ୍ୟରାଜା । ବିଶେଷ କଲା ପାଦ ପୂଜା ।।
ସନ୍ନିଧେ ବସାଇ ଆସନେ । ପୁଚ୍ଛଇ କୋମଳ ବଚନେ ।।
ଭୋ ମୁନିବର କାହିଁଥିଲ । ମୋ ପୁରେ କି କାର୍ଯ୍ୟେ ଅଇଲ ।।
କାହିଁ ଦେଖିଛ କିସ ରୀତି । ମୋ ଆଗେ କହ ମହାଯତି ।।
ମୁନି ବୋଇଲେ ଶୁଣ ରାୟେ । ଯେ ସ୍ଥାନେ ଶଙ୍କର ବିଜୟେ ।।
ନାମ ତା କପିଳାସ ଗିରି । ସକଳ ଗୁଣ ସୁଖ ଶିରୀ ।।
କି ଅବା ଦେବା ପଟ୍ଟାନ୍ତର । ଶତ ଯୋଜନ ଉଚ୍ଚ ଯାର ।।
ଏହି ପ୍ରକାରେ ଦୀର୍ଘପ୍ରତି । ଧବଳବର୍ଣ୍ଣ ଦିବ୍ୟ ଜ୍ୟୋତି ।।
ବିବିଧ ବର୍ଣ୍ଣ ତରୁବର । କଳ୍ପ ବୃକ୍ଷ ହିଁ ପଟ୍ଟାନ୍ତର ।।
ଅମଳ ପୁଷ୍ପ ନିରନ୍ତରେ । ଅମୃତ ତୁଲ୍ୟ ଫଳ ଧରେ ।।
ସୁନନ୍ଦା ନାମେ ବହେ ନଦୀ । ସ୍ନାନେ ଅଶେଷ ପାପ ଛେଦି ।।
ପଶୁ ପତଙ୍ଗ ଆଦି ପକ୍ଷୀ । ସେ ବନେ ଦୁଃଖକୁ ଉପେକ୍ଷି ।।
ସିଦ୍ଧ କିନ୍ନର ଯକ୍ଷଗଣେ । ଯହିଁ ବସନ୍ତି ଅନୁକ୍ଷଣେ ।।
ସର୍ବେ ବସନ୍ତି ତୋଷ ମନେ । ଶିବ ଗଉରି ପରସନ୍ନେ ।।
ହରଷ ଜାତ ଅନୁକ୍ଷଣେ । ସୁଖେ ବଞ୍ଚନ୍ତି ଶିବଗଣେ ।।
ଆମ୍ଭେ ସେ ବନେ ଦିନାକେତେ । ବଞ୍ଚିଲୁ ଶଙ୍କର ସଙ୍ଗତେ ।।
ତହୁଁ ସ୍ବର୍ଗକୁ ଯାଇଥିଲୁ । ଆଜ ତୋ ପୁରକୁ ଅଇଲୁ ।।
ନାରଦ ବଦନୁ ଏ ବାଣୀ । ସାଗର ସୁତ କର୍ଣ୍ଣେ ଶୁଣି ।।
ପୁଣି ପୁଚ୍ଛଇ ତୋଷ ମନେ । ଭୋ ମୁନି କହ ପରସନ୍ନେ ।।
ତୁମ୍ଭଙ୍କୁ ପୁଚ୍ଛଇ ଏମନ୍ତ । ଈଶ୍ବର ସମ୍ପଦ ଯାବତ ।।
ମୋହ ସମ୍ପଦେ ସମକଲେ । କେ ଏଥୁ ଶ୍ରେଷ୍ଠହେବ ଭଲେ ।।
ସେ କଥା କହ ମହାଋଷି । ଶୁଣି ବୋଇଲୁ ଆମ୍ଭେ ହସି ।।
ହେ ନୃପ ପଚାରିଲୁ ଯାହା । ସ୍ବରୂପ କହିବି ମୁଁ ତାହା ।।
ଏ ତୋର ସମ୍ପଦକୁ ସରି । ଅତୁଲ୍ୟ ଚତୁର୍ଦ୍ଦଶ ପୁରୀ ।।
ତୋର ନଗରେ ଯେତେ ଲୋକ । ଈଶ୍ବର ସମ୍ପଦୁ ଅଧିକ ।।
ଭୋଗ କରନ୍ତି ଏକେ ଏକେ । କି ଅବା କହିବା ଅଧିକେ ।।
ଯାବତ ରତ୍ନ ଏଥେ ଅଛି। ଏକଥା ବିହି ଲେଖିଅଛି।।
ଯୁବତ ରତ୍ନ ଯାହା ବୋଲି । ତାହା ତୋ ପୁରେ ନ ଦେଖିଲି ।।
ଯେଉଁ ଯୁବତୀ ଶିବ ପୁରେ । ସେ ତ ଅପୂର୍ବ ତୋର ଘରେ ।।
ତେଣୁ ଏ ଯାବତ ସମ୍ପଦ । ତିନି ଭୁବନେ ରାଜପଦ ।।
ରଥ ତୁରଙ୍ଗ ରାଜବଳ । ରତ୍ନ କାଞ୍ଚନ ଜନକୁଳ ।।
ବିବିଧ ରୋଗ ଆଦି କରି । ସର୍ବ କୁଶଳ ନାହିଁ ସ୍ତିରି ।।
ଏଣୁ ଏ ନ ଦିଶଇ ଶୋଭା । କେଶ ବିହୀନେ ଯେହ୍ନେ ଗଭା ।।
ନେତ୍ର ବିହୀନେ ଅନ୍ଧକାର । ଯୁବତୀ ବିନେ ଯେହ୍ନେ ଘର ।।
ଶୁଣ ରାଜନ ସିନ୍ଧୁ ବତ୍ସ । ଏଣୁ ସମ୍ପଦ ତୋର ତୁଚ୍ଛ ।।
ଏମନ୍ତ ବାକ୍ୟ ଶୁଣି ରାଜା । ମନେ ପାଇଲା ମହାଲଜ୍ଜା ।।
ଅଳପ କ୍ରୋଧ ମନେ ଧରି । ପୁଣି ପୁଚ୍ଛଇ ଦଣ୍ଡଧାରୀ ।।
ଭୋ ମୁନି କହ ମୋତେ ସତ । ଈଶ୍ବର ଘରଣୀ କେମନ୍ତ ।।
କେଡେ ସୁନ୍ଦରୀ ନାମ କିସ । ବିଶେଷି କହ ବ୍ରହ୍ମଶିଷ୍ୟ ।।
ମୋର ଘରଣୀ ବୃନ୍ଦାବତୀ । ଏଥୁ ଯେ କେଡେ ରୂପବତୀ ।।
ଆବର ଅପସରା ଗଣେ । ରୂପେ ସୁନ୍ଦରୀ ଜଣେ ଜଣେ ।।
ରମ୍ଭା ମେନକା ତିଳୋତ୍ତମା । ଏହାଙ୍କୁ ନାହିଁ ଯେ ଉପମା ।।
ଉର୍ବଶୀ ଚିତ୍ରରେଖା ମୂଳେ । ଦେଖିଲେ ମୁନି ମନ ଟଳେ ।।
କିନ୍ନରୀ ବିଦ୍ୟାଧରୀ ଶୋଭା । ମୁଖ ବିକାଶେ ଚନ୍ଦ୍ରପ୍ରଭା ।।
ଏମାନେ ଅଛନ୍ତି ମୋ ପୁର । ଦେଖିଅଛ ତ ମୁନିବର ।।
ଆବର ଭଗିନୀ ମୋ ରମା । ସର୍ବ ଲାବଣ୍ୟ ନିଧିସୀମା ।।
କୋଟିଏ ଗୁଣେ ସୁଲକ୍ଷଣୀ । ସର୍ବ ସ୍ତିରୀଙ୍କ ଶିରୋମରି ।।
ଜଗନ୍ନାଥଙ୍କର ଘରଣୀ । ସେହି ମୋ ପୁରେ ଛନ୍ତି ପୁଣି ।।
ନିତ୍ୟେ ତାଙ୍କର ଦରଶନେ । ଆସନ୍ତି ଦେବ ସ୍ତିରୀମାନେ ।।
ତାହାଙ୍କୁ ଦେଖୁଛନ୍ତି ଡୋଳେ । ତୁମ୍ଭେ କହିଲ ଶିବ ଆଳେ ।।
ଏଥୁ ସୁନ୍ଦର ସ୍ତିରୀ ଅଛି । ଏ ସର୍ବ ତୋ ତୁଲେ ନ ଗଚ୍ଛି ।।
ଏ ବଡ ଲାଗିଲା ସନ୍ଦେହ । ଭୋ ମୁନି ଏହି କଥା କହ ।।
ଈଶ୍ବର ପୁରେ ଯେତେ ନାରୀ। ତୋ ରୂପ ନାମ ଆଦିକରି ।।
ରାଜା ବଚନେ ମୁନିବର । ବୋଲନ୍ତି ଶୁଣ ଜଳନ୍ଧର ।।
ଯେତେ କହିଲ ଅନୁସରି । ସ୍ତିରୀମାନଙ୍କ ନାମ ଧରି ।।
ଏହାଙ୍କ ରୂପ ଏକଠୁଳେ । ତୁଲ୍ୟ ଯେ ନୁହେଁ ପାଦତଳେ ।।
ଅଙ୍ଗୁଳି ଗୋଟିକକୁ ସରି । ଲକ୍ଷ୍ୟ ନୋହିବେ ଏତେ ସ୍ତିରୀ ।।
ଯେ ଦେବୀ ଈଶ୍ବର ଘରଣୀ । ସେ ହିମାଳୟର ଦୁଲ୍ଲଣୀ ।।
ପର୍ବତୁ ଉତପତ୍ତି ଯେଣୁ । ପାର୍ବତୀ ନାମ ତାର ତେଣୁ ।।
ଗଉର ଦେଖି ତାର କାନ୍ତି । କନକ ମନେ କଲା ଭ୍ରାନ୍ତି ।।
ଅଗ୍ନିରେ ପଶିଣ ଝାସିଲା । ତୋ ତୁଲେ ରୂପ ନ ଲଭିଲା ।।
କିସ କହିବା ତାର ଗୁଣ । ହେ ରାଜା ଏକମନେ ଶୁଣ ।।
ଈଶ୍ବର କଳ୍ପେ ତପ କଲେ । ତେଣୁ ସେ କନ୍ୟାକୁ ପାଇଲେ ।।
ବିଧାତା କନ୍ୟା ରୂପ ଦେଖି । ବିଚାର କଲା ଅଷ୍ଟ ଆଖି ।।
ଏହା ସଦୃଶେ ଏକ ନାରୀ । ବିଷ୍ଣୁଙ୍କୁ ଦେବି ବିଭାକରି ।।
ଏମନ୍ତେ ବିହି ଭାବି ମନେ । ରଚିଲା ପାର୍ବତୀ ବିଧାନେ ।।
ଶତ ବରଷ ଏକ ଚିତ୍ତେ । ନିର୍ମାଣ କଲା ବହୁମତେ ।।
ପାର୍ବତୀ ରୂପକୁ ଦେଖିଲା । କେବେହେଁ ସମ ନ ଗଚ୍ଛିଲା ।।
ତେଣୁ ବିଧାତା ଲଜ୍ଜା ପାଇ । ସମୁଦ୍ରେ ପକାଇଲା ନେଇ ।।
ସେ କନ୍ୟା ଲକ୍ଷ୍ମୀ ରୂପେ ଜାତ ।କାଳେ ତା ଲଭିଲେ ଅଚ୍ୟୁତ ।।
ସେ ଏବେ ତୋର ପୁରେ ଅଛି । ତାଙ୍କୁ କି ପାର୍ବତୀଙ୍କୁ ଗଚ୍ଛି ।।
ଆବର ଯେତେକ ସୁନ୍ଦରୀ । ସେ କାହିଁ ପାର୍ବତୀଙ୍କି ସରି ।।
ମାଣିକ୍ୟ ତୁଲେ ଜଉ ଚିଜ । ଅମୃତ ତୁଲେ ଗୁଡ ସ୍ବାଦ ।।
କନକ ସଙ୍ଗେ ପଟ୍ଟଫୁଲ । ଲକ୍ଷ୍ୟ କି କଲେ ହେବ ତୁଲ ।।
କାମଧେନୁର ସଙ୍ଗେ ଗାଈ । ଯେତେ ଅନ୍ତର ଅବା ହୋଇ ।।
ପାର୍ବତୀ ସଙ୍ଗେ ଅନ୍ୟ ସ୍ତିରୀ । ଦେଖିଲେ ସେହି ଭାବେ ସରି ।।
ଅଶେଷ ଲୋକ ପିତା ବିହି । ତା ରୂପ ଦେଖି ହୁଏ ମୋହି ।।
ଆମ୍ଭେ ନିଷ୍କାମ ତପୀଜନ । ପାର୍ବତୀ ରୂପେ ହେଉ ଛନ୍ନ ।।
ବିଷ୍ଣୁ ଯେ ତାର ରୂପ ଚାହିଁ । ଈଶ୍ବର ଅର୍ଦ୍ଧଅଙ୍ଗେ ରହି ।।
ଲଭି ନ ପାରି ତାର ଲୀଳା । ଚିନ୍ତାରେ ତନୁ ହେଲା କଳା ।।
ଚନ୍ଦ୍ର ଆନନ୍ଦ ଦେଖି ଭାଳି । ରୁଦ୍ର ମୁକୁଟ ତଳେ ଗାଳି ।।
ଲୁଚି ବସିଲା ମନ ଦୃଢେ । ଭାବେ ଅଭାବେ ଛିଢେ ବଢେ ।।
ତା ରୂପ ଦେଖି ଯୋଗୀଜନେ । କନ୍ଦର୍ପ ଭୟେ ଗଲେ ବନେ ।।
ବେନି ନୟନ ବୁଜି ବସି । ଆତ୍ମାରେ ମନକୁ ନିବେଶି ।।
ଶିବ ଯେ ତାର ରୂପ ଦେଖି । ଯତନେ କଲେ ତିନି ଆଖି ।।
ପାଶରୁ ନ ଛାଡନ୍ତି କ୍ଷଣେ । ମନ ନିବେଶି ପ୍ରିୟା ଗୁଣେ ।।
ସେ ପୁଣ ଯେମନ୍ତ ଯୁବତୀ । ଶିବ ତାହାକୁ ନୋହେ ପତି ।।
ସ୍ବଭାବେ ରୁଦ୍ର ଯୋଗୀ ବେଶ । ମସ୍ତକ ଜଟା ଅଙ୍ଗେ ଭସ୍ମ ।
ଏମନ୍ତ ବେଶ ଶିବ ଧରି । ବିଳାସ କଲେ ଦିବ୍ୟନାରୀ ।।
ଏମନ୍ତ ଅବିବେକ ବିହି । କାହା ସଞ୍ଚିଲା ନେଇ କାହିଁ ।।
ଏଡେ ସମ୍ପଦ ନେଇ ତୋରେ । ଯୁବତୀ ରତ୍ନ ନାହିଁ ଘରେ ।।
ଏଣୁ ନ ଶୋଭେ ତୋର ପୁର । ଏମନ୍ତ କହି ମୁନିବର ।।
କ୍ଷଣକେ ବ୍ରହ୍ମଲୋକ ଯାଇ । ଦୈତକୁ ଉଚ୍ଚାଟ କରାଇ ।।
ନାରଦ ବାକ୍ୟଶୁଣି କର୍ଣ୍ଣେ । ସେ ଜଳନ୍ଧର ପାଞ୍ଚି ମନେ ।।
ଗଉରୀ ରୂପେ ଅନୁସରି । କନ୍ଦର୍ପ ବାଣେ ତନୁ ଘାରି ।।
ସକଳ ଚିନ୍ତା ଏଡି ଦୂରେ । ତନୁ ତାପିତ କାମଜ୍ବରେ ।।
ଏକାନ୍ତ ସ୍ଥାନେ ଜଳନ୍ଧର । ରାଇଲା ସିଂହିକା କୁମର ।।
ତାକୁ ବୋଇଲା ଯାଅ ବେଗେ । ହର ଉଦ୍ୟାନ ବନଭାଗେ ।।
ସେ ବନେ କପିଳାସ ଗିରି । ଭେଟିବୁ ଯାଇ ତ୍ରିପୁରାରି ।।
ତାଙ୍କୁ କହିବୁ ମୋ ସନ୍ଦେଶ । ବୋଲିବୁ ରାଜା ସିନ୍ଧୁ ଶିଷ୍ୟ ।।
ନାମ ତାହାର ଜଳନ୍ଧର । ସର୍ବ ଭୁବନେ ଏକା ବୀର ।।
ବିଷ୍ଣୁ ସହିତେ ସର୍ବଦେବା । ତାହାକୁ କରୁଥାନ୍ତି ସେବା ।।
ସେ ଯାହା ମାଗଇ ଯାହାକୁ । କେ ଅଛି ନ ଦ୍ୟନ୍ତି ତାହାକୁ ।।
ତୁମ୍ଭେ ଯେ ବନଘୋରେ ଥାଅ । ରାଜାଙ୍କୁ କିଛି ହିଁ ନ ଦିଅ ।।
ଏ କଥା ନୋହେ ଭଲପଣ । ଏବେ ନୃପତି ଆଜ୍ଞା ଶୁଣ ।।
ତୁମ୍ଭ ଘରଣୀ ହେମବତୀ । ଯୁବତୀରତ୍ନ ରୂପକାନ୍ତି ।।
ରାଜାର ଯୋଗ୍ୟ ତାଙ୍କୁ ଦିଅ । ନିଶ୍ଚିନ୍ତେ ତପ କରୁଥାଅ ।।
ସ୍ବଭାବେ ଯତିଙ୍କୁ ଯୁବତୀ । ସଙ୍ଗତେ ଥିଲେ ହେଁ ବିପତ୍ତି ।।
ଏମନ୍ତ ନୃପତି ଆଦେଶେ । ରାହୁ ଚଳିଲା କପିଳାସେ ।।
ମିଳିଲା ଯାଇଁ ଶିବପୁରେ । ନନ୍ଦୀ ଯେ ଥିଲା ସିଂହଦ୍ବାରେ ।।
ତାକୁ କହିଲା ଦୂତବେଗେ । ନନ୍ଦୀ ଜଣାଏ ରୁଦ୍ର ଆଗେ ।।
ରାହୁକୁ ଘେନିଗଲା ଆସି । ବିଜୟ କରିଛନ୍ତି କାଶୀ ।।
ସୁବର୍ଣ୍ଣ ମଣ୍ଡପ ଉପରେ । ରତ୍ନ ବେଦିକା ବ୍ୟାଘ୍ରାମ୍ବରେ ।।
ପାଟର ନେତତୁଳୀ ପାଡି । ସେବତୀ କୁସୁମ ପାଖୁଡି ।।
କର୍ପୂର ଗୁଣ୍ଡ ତଳେ ବିଞ୍ଚି । ପନିର ନୀର ପାଶେ ସିଞ୍ଚି ।।
ଉପରେ ଚନ୍ଦ୍ରାତପ ଟାଣି । ସେ ପୁରେ ବିଜେ ଶୂଳପାଣି ।।
ଯୋଗ ଆସନେ ସଦାନନ୍ଦ । ଘୂର୍ଣ୍ଣିତ ନେତ୍ର ଅରବିନ୍ଦ ।।
ଶୁଦ୍ଧ ସ୍ଫଟିକ ତନୁକାନ୍ତି । ବିବିଧ ମଣି ବିରାଜନ୍ତି ।।
ଜଟା ମୁକୁଟ ଶିରେ ଶୋଭା । ଲଲାଟେ ଅର୍ଦ୍ଧ ଇନ୍ଦୁ ପ୍ରଭା ।।
କର୍ଣ୍ଣେ କୁଣ୍ଡଳ ବସୁମତୀ। ପଶୁ ପାରୁଶେ ପଶୁପତି।।
ପାରୁଶେ ପାରିଷଦ ଗଣେ। ଖଟି ଅଛନ୍ତି ଜଣେ ଜଣେ।।
କୋଳେ ପାର୍ବତୀ ଛନ୍ତି ବସି। କ୍ଷୀର ସମୁଦ୍ରେ ଯେହ୍ନେ ଶଶୀ।।
ଏମନ୍ତ ଶିବ ଅବକାଶେ। ଅଛନ୍ତି ଶିବଗଣ ପାଶେ।।
ରାହୁ ଦର୍ଶନ କଲା ଯାଇ। ମଣ୍ଡପ ତଳେ ଉଭା ହୋଇ।।
ସମ୍ମୁଖେ ଯୋଡ଼ି ବେନିକର। ବୋଇଲା ଶୁଣ ଦେବହର।।
ମୁଁ ଜଳନ୍ଧର ରାଜା ଦୂତ। ତୁମ ଛାମୁରେ ଉପଗତ।।
ଯେଉଁ ନିମନ୍ତେ ଅଛି ଆସି। ସେ କଥା ଶୁଣ ଦେବକାଶୀ।।
ଯେ ରାଜା ନାମ ଜଳନ୍ଧର। ସାଗର ସୁତ ମହାବୀର।।
ବିଧାତା ବଳେ ମହାବଳୀ। ଯୁଦ୍ଧେ ଅଇରିକୁଳ ଦଳି।।
ବିଷ୍ଣୁ ସହିତେ ଏବେ ଯେତେ। ରଖିଲା ଆପଣ ଆୟତେ।।
ସବୁ ସମ୍ପତି ଠୁଳ କଲା। ଯୁବତୀ ରତ୍ନ ନ ପାଇଲା।।
ତେଣୁ ନୃପତି ମନେ ଚିନ୍ତା। କି ଯୋଗେ ପାଇଲା ବାରତା।।
ତୁମ୍ଭର ପ୍ରିୟବତୀ ଯେହୁ। ଯୁବତୀ କୁଳେ ରତ୍ନ ସେହୁ।।
ଗଉରୀ ହେମବନ୍ତ ଝିଅ। ଜଳନ୍ଧରକୁ ତାକୁ ଦିଅ।।
ତୁମ୍ଭେ ସ୍ୱଭାବେ ତପଚାରୀ। ତୁମ୍ଭଙ୍କୁ ଅଭୂଷଣ ନାରୀ।।
ସଂସାରେ ଯେତେ ଦ୍ରବ୍ୟ ସାର। ରାଜାକୁ ଦିଅ ଉପହାର।।
ଏମନ୍ତ ରାହୁ ବାକ୍ୟ ଶୁଣି। ଈଶ୍ୱର ସ୍ତମ୍ଭୀଭୂତ ପୁଣି।।
କୋପେ ନ ଦିଅନ୍ତି ଉତ୍ତର। ପୁରୁଷେ ହେଲା ଅବତାର।।
ରୁଦ୍ର ଲଲାଟୁ ଆନ ତରି। ଘୋର ନୃସିଂହ ରୂପଧରି।।
ଶୁକଳ ବର୍ଣ୍ଣ ତାର ତନୁ। ଜ୍ୟୋତି ବିରାଜେ କୋଟିତନୁ।।
ଚଞ୍ଚଳ ଜିହ୍ୱା ବିଦ୍ୟୁକାନ୍ତି। ଅସିତ ନଖ ଦନ୍ତ ପନ୍ତି।।
ଉତ୍କଟ ଲୋମ ଦୀର୍ଘ ରଡି। ପିଙ୍ଗଳ କେଶ ଉର୍ଦ୍ଧ୍ବେ ବଢି।।
ନିଃଶ୍ବାସ ବହେ ଖରତର।ଚକ୍ର ଆକାରେ ବୁଲେ କର।।
ଜ୍ବଳନ୍ତା ଅଗ୍ନି ପ୍ରାୟ ଆଖି। ଅସୁର ଭୟ କଲା ଦେଖି।।
ଶରଣ ଶିବ ପାଦ ଗତେ। ବୋଲଇ ରକ୍ଷାକର ମୋତେ।।
ମୁଁ ଦୂତ ବିଶେଷ ବ୍ରାହ୍ମଣ। ମୋତେ ନାଶିବେ କି କାରଣ।।
ତୁମ୍ଭେ ଯେ ପରମ ଈଶ୍ଵର। ସର୍ବ ମଙ୍ଗଳେ ଶୁଭକର।।
ତୁମ୍ଭ ଦର୍ଶନେ ପାପୀ ଜନେ। ନ ଯାନ୍ତି ଯମ ଦରଶନେ।।
ଖଣ୍ଡନ୍ତି ଅଶେଷ ବିପତ୍ତି। ଭୂଞ୍ଜନ୍ତି କୁବେର ସମ୍ପତ୍ତି।।
ଏମନ୍ତ ମହିମା ତୁମ୍ଭର। ଭୋ ପ୍ରଭୁ ମୋତେ ରକ୍ଷାକର।।
ଦର୍ଶନ ଫଳ ଆଜ୍ଞା ହେଉ। ମୋର ଅପ୍ରାଧ କ୍ଷୟଯାଉ।।
ଏମନ୍ତ ରାହୁ ମୁଖୁ ସ୍ତୁତି। ଶୁଣି ସନ୍ତୋଷ ଉମାପତି।।
ରାହୁକୁ ଦେଖିଲେ ଗୋସାଇଁ।ଉଭୟ ହସ୍ତ ଶିରେ ଦେଇ।।
ତା ଦେଖି କୁପିତ ପୁରୁଷ। ବୋଲଇ ଖାଇବି ମୁଁ କିସ।।
ହର ବୋଇଲେ ଭିକ୍ଷା ତୋତେ।ଏରାହୁ ଆଶ୍ରେ କଲା ମୋତେ।।
ଶିବ ବନ୍ଧନ କ୍ରୋଧାଙ୍କୁର। ଭକ୍ଷିଲା ଆପଣା ଶରୀର।।
ଚରଣୁ ହୃଦ ଯାଇଗିଳି। ଦେଖି ପ୍ରସନ୍ନ ହେଲେ ଶୂଳୀ।।
ବୋଇଲେ ଏହି ଦ୍ବାର ରଖ। ନାମ ତୋ ହେଉ କୀର୍ତ୍ତି ମୁଖ।।
ମୋର ନିବାସ ଆଗେ ଥାଅ। ପ୍ରଥମେ ପୂଜାବିଧି ପାଅ।।
ଏମନ୍ତେ ଦେଇ ତାକୁ ବର । ରାହୁକୁ ଆଜ୍ଞା ଦେଲେ ହର।।
ବହନ ପଳା ଏ ଭବନୁ। ଶୁଣି କମ୍ପଇ ତାର ତନୁ।।
ବସିଲା ଲୌହମୟ ରଥେ।ପଳାଇ ଗଲା ପଥେ ପଥେ ।।
ଶିବ ରହିଲେ ନିଜ ବାସ। ନମଇଁ ମହାଦେବ ଦାସ।।
🏵️🌹🌺🌻🌼🌸🌼🌻🌺🌹🏵️
ଇତି ଶ୍ରୀ ପଦ୍ମପୁରାଣେ ଉତ୍ତରଖଣ୍ଡେ କାର୍ତ୍ତିକ ମାହାତ୍ମ୍ୟେ ରାହୁ ପ୍ରବେଶ କୀର୍ତ୍ତି ମୁଖ ମହିମା କଥନେ ନାମ ଦଶମୋଽଧ୍ୟାୟ।।
କ୍ରମଶଃ.........
🚩⚜️🐚🕉⚜️🐚🚩
ପୌରାଣିକ କଥାବସ୍ତୁ “ନାଗ ଚତୁର୍ଥୀ”


Pingback: କାର୍ତ୍ତିକ ମାହାତ୍ମ୍ୟ (ଭାଗ -୧୧) - UniverseHeaven