kartika-mahatmya

କାର୍ତ୍ତିକ ମାହାତ୍ମ୍ୟ (ଅଧ୍ୟାୟ- 17 )

ରାଜା ପୃଥୁ ଦେବର୍ଷି ନାରଦଙ୍କୁ ପ୍ରଣିପାତ କଲେ ଓ କହିଲେ ଭୋ ମୁନି !ବିଷ୍ଣୁଗଣ ଯାହା ଶୁଣିଥିଲେ ତାହା ଧର୍ମଦତ୍ତ ବ୍ରାହ୍ମଣ କୁ କହିଲେ ? ପ୍ରକୃତରେ ଧର୍ମଦତ୍ତ ଓ ତାହାର ତିନି ପତ୍ନୀ ବୈକୁଣ୍ଠ କୁ ଗଲେ ନା ,ନାହିଁ ? ହେ ମୁନି କେବଳ ଧର୍ମଦତ୍ତ ବ୍ରାହ୍ମଣ କାର୍ତ୍ତିକ ବ୍ରତ କରି ସୁଫଳ ପାଇ ଥିଲେ ନା ମର୍ତ୍ତ୍ୟରେ ଆଉ କିଏ ଏହି ବ୍ରତ ପାଳନ କରି ଉପକୃତ ହୋଇଥିଲେ ?ଯଦି ଆଉ କିଏ ଓ କିପରି କାର୍ତ୍ତିକ ବ୍ରତ ଉଦ୍ୟାପନ କରି ଫଳ ପାଇଥିଲା ସେ ବିଷୟରେ ମୋତେ ବିସ୍ତାର କରି କୁହନ୍ତୁ ?ଦେବର୍ଷି ନାରଦ କହିଲେ ହେ ରାଜନ !ଯାହା ମୁଁ ଶୁଣିଅଛି ତାହା ତୁମ ନିକଟରେ କହୁଛି ଶୁଣ ନାରଦ କହିଲେ ………!!

ବ୍ରାହ୍ମଣ ଧର୍ମଦତ୍ତ ,ବିଷ୍ଣୁଦୂତ ଙ୍କ କଥା ଶୁଣି ଭୂମି ଉପରେ ଲମ୍ବ ହୋଇ ପଡିଗଲା ଓ ଵିଷ୍ଣୁ ଭଗବାନଙ୍କୁ ପ୍ରଣିପାତ କଲା କିଛି କ୍ଷଣ ପରେ ଉଠି କପାଳରେ ହାତ ଦେଇ ବସିଲେ । ବିଷ୍ଣୁ ଦୂତ କହିଲେ ହେ ଗୋସାଇଁ ପ୍ରାଣୀ ମାନଙ୍କ ଉତ୍ତମ ଗତି ପାଇଁ ଭଗବାନ ବିଷ୍ଣୁ ଛ ପ୍ରକାର ଧର୍ମ କଥା କହିଛନ୍ତି ।ଯଜ୍ଞ ,ଦାନ ,ତୀର୍ଥ ,ବ୍ରତ , ତପସ୍ୟା , ଚାନ୍ଦ୍ରୟଣ ଏହି ଛଅଟି ଧର୍ମ କୁ ଯିଏ ସାତ୍ତ୍ଵିକ ଲକ୍ଷଣ ଥାଇ କରେ ବହୁତ ସିଦ୍ଧି ସେହି ପ୍ରାଣୀ ପାଏ । ଶେଷରେ ଅଚ୍ୟୁତ ପାଶେ ସେହି ପ୍ରାଣୀ ରହେ ତୁଳସୀ ଜଳ ପାଇଲା ମାତ୍ର କୌଣସି ପ୍ରାଣୀର ପାପ ରହେ ନାହିଁ ଆଜି ଯାହା ଦେଖିଲି ଯେ କଳହା ସ୍ତ୍ରୀ ଏହି ତୁଳସୀ ପାଇ ମୋକ୍ଷ ହୋଇଗଲା । ତୁଳସୀ ପତ୍ର ର ଏତେ ମହିମା ଅଛି ମୁଁ ଯାହା ଶୁଣିଥିଲି ମାତ୍ର ତାହା ଆଜି ପ୍ରତ୍ୟେକ୍ଷ ରେ ଦେଖିଲି । ଧର୍ମଦତ୍ତ ବ୍ରାହ୍ମଣ ବିଷ୍ଣୁ ଦୂତ ଙ୍କୁ ପଚାରିଲେ ହେ ବିଷ୍ଣୁ ଦୂତ ମାନେ ! ଏହି ତୁଳସୀ ଙ୍କୁ ତପ କରି ସଂସାର ରୁ ତରି ଯାଇଛନ୍ତି ଅର୍ଥାତ ତୁଳସୀ ବୃକ୍ଷକୁ ସେବାକରି କିଏ କିଏ ଆଉ ମୁକ୍ତି ଲାଭ କରିଛନ୍ତି ଯଦି ଜାଣିଛନ୍ତି ମୋତେ କୁହନ୍ତୁ ଓ ମୋ ମନରୁ ସଂଶୟ ଦୂର କରନ୍ତୁ

ପୂର୍ବ କାଳର କଥା ,କାଞ୍ଚି ଦେଶର ରାଜା ଥିଲେ ଚୋଳ । ଚୋଳ ଥିଲେ ରାଜ ଚକ୍ରବର୍ତ୍ତୀ । ଚୋଳ ରାଜା ଥିଲେ ବିଷ୍ଣୁଙ୍କ ଭକ୍ତ ।ପ୍ରଜା ମାନଙ୍କୁ ଉତ୍ତମ ରୂପେ ପାଳନ କରିବ ସହିତ ଦାନ ,ଧର୍ମ ରେ ରାଜା ସର୍ବଦା ରତ ଥାଆନ୍ତି । ଯେତେ ଧନ ସମ୍ପତ୍ତି ଅର୍ଜନ କରନ୍ତି ସେସବୁକୁ ଧର୍ମ କାର୍ଯ୍ୟ ରେ ଲଗାଇ ଦିଅନ୍ତି ରାଜା ଚୋଳ ।ଆତ୍ମା ରୁ ମୁକ୍ତି ପାଇବା ପାଇଁ ରାଜା ଚୋଳ ଭଗବାନ ବିଷ୍ଣୁ ଙ୍କୁ ଶୁଦ୍ଧ ଚିତ୍ତରେ ଭକ୍ତି କରନ୍ତି । ସମୁଦ୍ର ର ପୂର୍ବ ରେ ଥିବା କୂଳ ନିକଟରେ ପ୍ରତ୍ୟେକ ଦିନ ରାଜା ବିଷ୍ଣୁ ଭଗବାନଙ୍କୁ ପୂଜା କରନ୍ତି । ରାଜା ଚୋଳ ,ବିଷ୍ଣୁ ମନ୍ଦିର ତୋଳାଇବା ପାଇଁ ମନସ୍ତ କଲେ ।
ପଥର ଆଣି ଦେଉଳ ତୋଳାଇଲେ । ଦେଉଳ ପାଖରେ ଗୋଟିଏ ପାଖରୀ ଖୋଲାଇଲେ ।ଦେଉଳ ଚାରି ପାଖରେ ବିଭିନ୍ନ ଫୁଲ ଫଳ ଗଛ ଲଗାଇଲେ । ସୁବର୍ଣ୍ଣ ରେ ବିଷ୍ଣୁଙ୍କ ପ୍ରତିମା ନିର୍ମାଣ କଲେ ।ଦେଉଳ ରେ ବିଷ୍ଣୁଙ୍କ ସୁବର୍ଣ୍ଣ ପ୍ରତିମା ସ୍ଥାପନ କରି ଉତ୍ତମ ଭାବେ ବିଷ୍ଣୁଙ୍କ ନାମ ଧରି ପୂଜା କଲେ । ବିଷ୍ଣୁ ଭଗବାନଙ୍କ ପାଇଁ ରାଜା ଚୋଳ , ନୂଆ , ରତ୍ନ , ହୀରା , ନୀଳା ମଣି ମାଣିକ , ମୁକ୍ତା , ପୋହଳା , ବୈଦୁର୍ଯ୍ୟ , ପଦ୍ମରାଗ ଆଣି ବିଷ୍ଣୁ ଭଗବାନଙ୍କ ଅଙ୍ଗରେ ମଣ୍ଡନ କଲେ ।ନୂତନ ବସ୍ତ୍ର ପିନ୍ଧାଇ ଫୁଲ ଓ ଭୋଗ ପ୍ରଦାନ କରି ଭଗବାନ ବିଷ୍ଣୁ ଙ୍କୁ ସ୍ତୁତି କଲେ । ଏହିପରି ସବୁଦିନ ରାଜା ଚୋଳ ଵିଷ୍ଣୁ ଭଗବାନଙ୍କ ପୂଜା କରି ଚାଲିଲେ । ପ୍ରତ୍ୟେହ ଦିନ ପୂଜା ସମାପ୍ତ କରି ରାଜା ଚୋଳ ଵିଷ୍ଣୁ ଭଗବାନ ଙ୍କୁ ଜାଣନ୍ତି ହେ ଭଗବାନ !ମୋର ସମସ୍ତ ପ୍ରଜାଙ୍କୁ ସର୍ବଦା ସୁଖ ରେ ରଖନ୍ତୁ ! ମୋର ମନ ଆପଣଂକ ପାଦପଦ୍ମରେ ସର୍ବଦା ରହୁ ।ଏମିତି ସବୁଦିନ ରାଜା ଚୋଳ ବିଷ୍ଣୁ ଭଗବାନ ଙ୍କୁ ଆଜ୍ଞା ମାଗନ୍ତି । ଏମିତି ବହୁତ ବର୍ଷ ବିତିଗଲା ।ରାଜା ଚୋଳ ଭଗବାନ ବିଷ୍ଣୁ ଙ୍କୁ ପୂଜା କରି ଚାଲିଲେ ।ଦିନକର କଥା ! ରାଜା ଚୋଳ ବିଷ୍ଣୁ ଭଗବାନ ଙ୍କ ପୂଜା କରିଥାନ୍ତି ,ଏହି ସମୟରେ ଜଣେ ବ୍ରାହ୍ମଣ ଆସି ସେଠାରେ ମିଳିଲା । ବ୍ରାହ୍ମଣ ର ନାମ ବିଷ୍ଣୁ ଦାଶ । ରାଜା ଚୋଳ ଙ୍କ ରାଜ୍ୟ ରେ ସେହି ବିଷ୍ଣୁ ଦାଶ ବ୍ରାହ୍ମଣ ବାସକରେ ।

ଦଶମୀ ତିଥି ର ରାତି ଶେଷରେ ବିଷ୍ଣୁଙ୍କୁ ଦର୍ଶନ କରିବା ପାଇଁ ସକାଳେ ସ୍ନାନ କରି ମନ୍ଦିର ଭିତରେ ପ୍ରଵେଶ କଲା ।ବିଷ୍ଣୁ ଦାଶ ହାତରେ ତୁଳସୀ ପତ୍ର ବହୁ ପରିମାଣରେ ଆଣି ମନ୍ଦିର ରେ ଥିବା ବିଷ୍ଣୁ ପ୍ରତିମା ଙ୍କ ଦେହରେ ତୁଳସୀ ପତ୍ର ମଣ୍ଡନ କରିବାରେ ଲାଗିଲା । ତୁଳସୀ ପତ୍ର ମଣ୍ଡନ କରିବାରୁ ବିଷ୍ଣୁ ପ୍ରତିମା ପତ୍ର ରେ ମଣ୍ଡନ ହୋଇ ଆଉ ଦେଖା ଗଲେ ନାହିଁ କେବଳ ରାଜା ଚୋଳ ତୁଳସୀ ପତ୍ର କୁ ଦେଖିଲେ ।
ରାଜା ଚୋଳ ଭୀଷଣ ଭାବେ ରାଗିଗଲେ ଓ ବ୍ରାହ୍ମଣଙ୍କୁ ଧିକାର ବଚନ କହିଲେ । ବିଷ୍ଣୁଦାସ ଙ୍କୁ ରାଜା ଚୋଳ କହିଲେ ଏ ବୁଦ୍ଧି ତୋତେ କିଏ ଦେଲା ମୂର୍ଖ ବ୍ରାହ୍ମଣ ତୁ କଣ ବିଷ୍ଣୁ ପୂଜା ବିଷୟରେ ଜାଣିଛୁ ଯେ ଏଠାକୁ ଆସି ତୁଳସୀ ପତ୍ର ରେ ଭଗବାନ ବିଷ୍ଣୁ ଙ୍କୁ ଘୋଡାଇ ସାରିଲୁଣି ? ଦେଖିବାକୁ ଗଲେ ତୁ ଜୀବନ ଦୁଃଖୀ ଓ ଦରିଦ୍ର ବ୍ରାହ୍ମଣ ! ଦରିଦ୍ର ପଣେ ତୋର ଜ୍ଞାନ କିଛି ନାହିଁ ତୁ ବିଷ୍ଣୁ ପୂଜା କଲେ କଣ ମିଳିବ ? ଚାଲି ଆସିଲା ତୁଳସୀ ପତ୍ର ଧରି !କଣ ନା ମୁଁ ବିଷ୍ଣୁଙ୍କୁ ପୂଜାକରି ସନ୍ତୁଷ୍ଟ କରିବି ।

ରାଜା ଚୋଳ କହିଲେ ଆରେ ଦରିଦ୍ର ବ୍ରାହ୍ମଣ ତୋର ଏହି ତୁଳସୀ ପତ୍ର ରେ ବିଷ୍ଣୁ ସନ୍ତୁଷ୍ଟ ହେବେନି ଦେଖ ! ମୁଁ କିପରି ରତ୍ନ ,କାଞ୍ଚନ ଦେଇ ପୂଜାବିଧି କରୁଛି ,ମୋ ଠାରୁ ତାହା ଶିଖି ରାଜା ଚୋଳ ପୂର୍ବ ପରି ବିଭିନ୍ନ ରତ୍ନ ଅଳଙ୍କାର ଓ ବସ୍ତ୍ର ଦେଇ ବ୍ରାହ୍ମଣଙ୍କୁ କହିଲେ ଦେଖ ବ୍ରାହ୍ମଣ ବର୍ତ୍ତମାନ ବିଷ୍ଣୁ ଭଗବାନଙ୍କ ପ୍ରତିମା କିପରି ସୁନ୍ଦର ଦେଖାଯାଉଛନ୍ତି । ତୁମେ ତୁଳସୀ ପତ୍ର ଦେଇ ମୋ ବିଷ୍ଣୁଙ୍କୁ ଘୋଡାଇ ଦେଇଥିବାରୁ ମୁଁ ତୁମ ଉପରେ ରାଗିଗଲି ।ସହଜେ ତୁମେ ବ୍ରାହ୍ମଣ ! ତୁମ ଦୋଷ କିଛି ମୁଁ ଧରୁ ନାହିଁ କେବଳ ଚାରିବର୍ଣ୍ଣ ରେ ଶ୍ରେଷ୍ଠ ବୋଲି ତୁମକୁ ଛାଡିଦେଲି
ପୁନଶ୍ଚ ଏ ପ୍ରକାର ଭୁଲ୍ ଯେପରି ନହୁଏ ବ୍ରାହ୍ମଣ ବିଷ୍ଣୁ ଦାଶ । ରାଜା ଚୋଳଙ୍କ ବଚନ ଶୁଣି ବିପ୍ର ବିଷ୍ଣୁ ଦାଶ ଧୀରସସ୍ଥିର ଭାବରେ କହିଲା ହେ ନୃପ ! ଆପଣ କୋପ ନକରି ମୋ ଠାରୁ କିଛି ଶୁଣିବା ହୁଅନ୍ତୁ ! ମୁଁ ବହୁ ପୂର୍ବରୁ ଉତ୍ତମ ମୁନି ୠଷି ଙ୍କ ଠାରୁ ଶୁଣିଛି ଯେ ବିଷ୍ଣୁ ଭଗବାନ ଙ୍କ ପୂଜା ନିମନ୍ତେ ବହୁ ଦ୍ରବ୍ୟ ଓ ବହୁ ବିଧାନ ଲୋଡ଼ା । ପୃଥିବୀ କୁ ପାତ୍ର ବୋଲି ଭାବି ସାତ ସମୁଦ୍ର ଜଳ ସେଥିରେ ଧରି ଶୁଦ୍ଧ ଚିତ୍ତରେ ଦ୍ରବ୍ୟ ଆଣି ପୂଜା କରିବ । ସାତ ସମୁଦ୍ର ଜଳ କ୍ଷୀର ସମାନ ଅର୍ଘ୍ୟ ଓ ସାତ ନିଧି ରତ୍ନମଣି ମେରୁ ପର୍ବତ ସମାନ ଯୋଗାଡ଼ କରିବ । ସ୍ୱର୍ଗରୁ ପାରିଜାତ ପୁଷ୍ପ ସହିତ ମଳୟ ଚନ୍ଦନ ଯୋଗାଡ଼ କରିବ । ଜଗତ ଭିତରେ ଯେତେକ ସୁସ୍ୱାଦୁ ଫଳ ଅଛି ସବୁ ବିଷ୍ଣୁଙ୍କ ପୂଜାରେ ବାଡିବ । ନିଗମ ମନ୍ତ୍ର କୁ ସିଦ୍ଧ କରି ଷୋଡଶ ପୂଜା ଆରମ୍ଭ କରିବ । ବ୍ରହ୍ମ ମୁନିଙ୍କ ଉପଦେଶ ଅନୁଯାୟୀ ବିଷ୍ଣୁ ଭଗବାନଙ୍କୁ ହରଷ ରେ ପୂଜା କରିବ ।ଏସବୁ ଯୋଗାଡ଼ କରିବା ପୂଜା କଲେ ଯେତିକି ପୁଣ୍ୟ ମିଳେ ତୁଳସୀ ପତ୍ର ରେ ଭଗବାନ ଙ୍କୁ ପୂଜା କଲେ ତା ଠାରୁ ଅଧିକ ଫଳ ପ୍ରାପ୍ତି ହୁଏ । ତୁଳସୀ କୋମଳ ମଞ୍ଜରୀ ଦୁଇ ହାତରେ ଧରି ବିଷ୍ଣୁ ଭଗବାନ ଙ୍କ ମସ୍ତକ ରେ ଚଢାଇଲେ ଯେଉଁ ଧର୍ମ ଅର୍ଜନ ହେବ ତାହା କହିଲେ ସରିବ ନାହିଁ ।

ବିପ୍ର ବିଷ୍ଣୁ ଦାଶ ପୁନଶ୍ଚ ରାଜା ଚୋଳ ଙ୍କୁ କହିଲେ ହେ କାଞ୍ଚି ରାଜନ ! ଭଗବାନ ବିଷ୍ଣୁ ନିଜ ଶ୍ରୀମୁଖରେ ଓ ବିଭିନ୍ନ ଶାସ୍ତ୍ର ରେ କହିଛନ୍ତି ସବୁ ଈଶ୍ୱରଙ୍କ ଆଗରେ ମୁଁ ଗଣା ହୁଏ !ମୋହର ପ୍ରିୟ ତୁଳସୀ । ପ୍ରସିଦ୍ଧ ତୁଳସୀ ଗୋବିନ୍ଦ ପୂଜାରେ ଆଗ ଲୋଡ଼ା । ଏକଥା କେଭେ ମିଛ ନୁହେଁ ଆପଣ ,ଆପଣଙ୍କ ଗୁରୁ ମାନଙ୍କୁ ପଚାରି ବୁଝି ପାରନ୍ତି ।ବ୍ରାହ୍ମଣ କଥାରେ ରାଜା ଚୋଳ ଭୀଷଣ ଭାବରେ ରାଗିଗଲେ ଓ କହିଲେ ରେ ମୂର୍ଖ ବ୍ରାହ୍ମଣ ତୁ ଗୋଟିଏ ବଡ଼ ଦୃଷ୍ଟ ଅଟୁ ଏଠାକୁ ଆସି ମୋ ପୂଜାବିଧି ନଷ୍ଟ କରିବାକୁ ବସିଛୁ ତୁ କଣ ଜାଣିନୁ ମୋର ଧର୍ମ ଓ କୀର୍ତ୍ତି ବିଷୟରେ ଏ ରାଜ୍ୟରେ ଓ ଜଗତ ସାରା ମୋ ଧର୍ମ ପ୍ରକାଶ ପାଉଛି ।ତୁ ମୋ ସହିତ ଭାବୁଛୁ ସମାନ ହୋଇ ପାରିବୁ କଦାପି ନୁହେଁ କେତେ ତୁଳସୀ ବୃକ୍ଷ ଘରେ ରୋପଣ କରିଛୁ ଏହି ତୁଳସୀ ପତ୍ର ଦେଇ ତୁ ଭାବୁଛୁ ତୁ ତପୀ ବୋଲି ମୋର ଅଶେଷ ଗୁଣ କୁ ତୁ ଏଠାରେ ଆସି ନିନ୍ଦା କରୁଛୁ ବ୍ରାହ୍ମଣ ହଉ ହଉ ତୋ କଥା ସତ କି ନାହିଁ ଏହା ଜାଣିବା ପାଇଁ ଚାଲ ମୋ ସହିତ ଆମେ ଦୁଇଜଣ ଗୋଟିଏ ଉତ୍ତମ ସ୍ଥାନ କୁ ଯିବା ।ଏକଥା ଚୋଳ ,ବିଷ୍ଣୁ ଦାଶ ଙ୍କୁ କହିଲେ ।ପୁନଶ୍ଚ କହିଲେ ମୋ ଗୁରୁ ୠଷି ମୁଦୁଗୁଲ ଙ୍କ ନିକଟକୁ ଚାଲ ମୋ ସହିତ ।ମୋ ୠଷି ମୁଦୁଗୁଲ ଏବେ ଗୟା ତୀର୍ଥରେ ବାସ କରୁଛନ୍ତି ।ରାଜା ଚୋଳ ଓ ବ୍ରାହ୍ମଣ ବିଷ୍ଣୁ ଦାଶ ଦୁଇଜଣ ୠଷି ମୁଦୁଗୁଲ ଙ୍କୁ ଭେଟିବା ପାଇଁ ଗୟାତୀର୍ଥ ଗଲେ । ୠଷି ମୁଦୁଗୁଲ ଗୟାତୀର୍ଥ ରେ ବ୍ରାହ୍ମଣ ଓ ବୈଷ୍ଣବ ମାନଙ୍କ ଗହଣରେ ଥିଲେ ।

ଗଙ୍ଗା ତଟ ରେ ୠଷି ଯଜ୍ଞ କରୁଥିବାର ରାଜା ଚୋଳ ଓ ବ୍ରାହ୍ମଣ ବିଷ୍ଣୁ ଦାଶ ଦେଖିଲେ ।ରାଜା ଚୋଳ ଚିନ୍ତାକଲେ ଏଇଟା ଉପଯୁକ୍ତ ସମୟ ଏଣୁ ରାଜା ଚୋଳ ସଭକ୍ତି ସହ ୠଷି ମୁଦୁଗୁଲ ଙ୍କୁ ପ୍ରଣାମ କରି କଲେ ।ୠଷି ଯଜ୍ଞ କରୁଥିବାରୁ ରାଜା ଚୋଳ ଆଉ କିଛି ତାଙ୍କୁ ପଚାରି ପାରିଲେ ନାହିଁ ।ବ୍ରାହ୍ମଣ ବିଷ୍ଣୁଦାଶ ଙ୍କ ସହିତ ରାଜା ଗୟା ରେ ସେଦିନ ରହିଲେ । ଦ୍ଵିତୀୟ ଦିନ ରାଜା ଦେଖିଲେ ୠଷି ମୁଦୁଗୁଲ ଗୟା ନଦୀ କୁଳ ଦକ୍ଷିଣ ଦିଗରେ ଥିବା ଘୋର ବନ ମଧ୍ୟରେ ବହୁତ ଶିଷ୍ୟଙ୍କୁ ଧରି ଯଜ୍ଞ ଆରମ୍ଭ କରୁଛନ୍ତି । ବଡ଼ ଆଡମ୍ବରରେ ଏହି ଯଜ୍ଞ ହେଉଥାଏ ।ସର୍ଵଦା ଅନ୍ନ ଦାନ ଚାଲିଥାଏ ।ଯିଏ ଜୁଆଡୁ ଆସିଲେ ବି ଅନ୍ନ ପ୍ରସାଦ ସେଠାରେ ପାଆନ୍ତି ।ସେଠାର ପରିବେଶକୁ ଗୋଟିଏ ଧର୍ମଶାଳା ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ । ସେହି ପରିବେଶ ରେ ବୈଷ୍ଣବମାନେ ସମସ୍ତେ ମିଶି ତୁଳସୀ ବନ ର ଯତ୍ନ ନେଉଥିଲେ ।ତୁଳସୀ ମୂଳରେ ପାଣି ଦେଉଥିଲେ ।ଅନାବନା ଗଛ ତୁଳସୀ ମୂଳରୁ ବାହାର କରି ଦେଉଥିଲେ ।ବିଷ୍ଣୁଙ୍କ ସେବାରେ ସର୍ଵଦା ରତ ଥିଲେ ବୈଷ୍ଣବ ଗଣ ଓ ୠଷି ମୁଦୁଗୁଲ ।ତୁଳସୀ ବନ କୁ ପାଳି ବହୁ ପ୍ରକାର ଉପହାର ଦେଉଥିଲେ ।ତୁଳା , ମକର ,ମେଷ ମାସ ,ଏକାଦଶୀ ଏମିତି ଧର୍ମମାନ କହି ସୁଖରେ ଦିନ କାଟୁଥିଲେ ବୈଷ୍ଣବ ଗଣ । ବୈଷ୍ଣବ ମାନଙ୍କୁ ଦେଖି ରାଜା ଚୋଳ ଚାରିଆଡକୁ ଚାହିଁଲେ ବ୍ରାହ୍ମଣ ବିଷ୍ଣୁ ଦାଶ ମନରେ ସର୍ବଦା ଚକ୍ରଧର ଙ୍କୁ ଚିନ୍ତା କରୁଥାନ୍ତି । ରାଜା ଚୋଳ ଓ ବ୍ରାହ୍ମଣ ବିଷ୍ଣୁ ଦାଶ ଯଜ୍ଞସ୍ଥାନ ଓ ତୁଳସୀ ବନ ଦେଖି ଖୁସି ହୋଇଗଲେ ।

କ୍ରମଶଃ,,,,,,,
ରଚନା:- ✍️ ଦୁଷ୍ମନ୍ତ କୁମାର ମିଶ୍ର ✍️

Leave a Comment

Your email address will not be published. Required fields are marked *