ବାଲିଯାତ୍ରା
ସାରଦା ପ୍ରସାଦ ମିଶ୍ର

କାର୍ତ୍ତିକ ପୂର୍ଣ୍ଣିମା ଦିନ ହେଲା ଆସି
ମହାନଦୀ କୂଳେ ହୋଇଲା ଭିଡ
ସାରା ଭାରତରୁ ନାନା ବ୍ୟବସାୟୀ
ଆସି ଉଭ।କଲେ ଦୋକାନ ମାଳ ।
ବାଲିଯାତ୍ରା ବୋଲି ପଡ଼ିଗଲା ହୁରି
ବାଳକଠୁ ବୃଦ୍ଧ ହୋଇଲେ ଖୁସି
ନାନା ପ୍ରକାରର ଖାଦ୍ୟ ମାନ ଖାଇ
କେତେ କେତେ ଚିଜ କିଣିବେ ଆସି ।
କାହିଁକି ହୁଅଇ ଏ ବାଲି ଯାତରା
କାର୍ତ୍ତିକ ମାସ ର ଅନ୍ତିମ ଦିନ
ଛୋଟ ଛୋଟ ନାଆ ସୋଲ ଓ କାଗଜେ
ଭସ।ନ୍ତି କାହିଁକି ମହିଳା ଗଣ ।
‘ ଅ କା ମା ବୈ ‘ କହି ପାନଗୁଆ ଥୋଇ
ସାଥେ ପ୍ରଦୀପ ଟି କରି ଜ୍ଵଳନ
ମାସେ ଧର୍ମ କରି ପୂଜି ଦେବା ଦେବୀ
କିପରି ଖୁସିରେ ଫେରୁ ତ ଧନ।
ଆମ ରାଇଜର ସାଧବ ସନ୍ତାନ
ବୋଇତ ଚଳାଇ ସାଗର ବୁକେ
ବାଲି ଜାଭା ତଥା ସୁମାତ୍ରା ବୋର୍ଣିଓ
ଶ୍ରୀଲଙ୍କା ପ୍ରଭୃତି ଅନେକ ଦୀପେ ।
ବୟନ ସାମଗ୍ରୀ ରତନ ପଥର
ପାନ ଗୁଆ ହାତୀ ଓ ହାତୀ ଦାନ୍ତ
ମରିଚ ନଡ଼ିଆ କଖାରୁ ଚାଉଳ
ଶଙ୍ଖ ମାଟି ପାତ୍ର ଚନ୍ଦନ କାଠ ।
ଏ ଜିନିଷ ନେଇ ବିଦେଶ ରାଇଜୁ
ଆଣିଥାନ୍ତି ସୁନା ରୂପା କର୍ପୁର
ଲବଙ୍ଗ ଯାଇତ୍ରି ଗୁଜୁରାତି ସହ
ମୂଲ୍ୟବାନ ବସ୍ତୁ କେତେ ପ୍ରକାର।
ଆଷାଢୁ କାର୍ତ୍ତିକ ଚାରିମାସ ବହେ
ଦକ୍ଷିଣ ପଶ୍ଚିମ ମୌସୁମୀ ପବନ
କରଇ ଅସ୍ଥିର ସମୁଦ୍ର ଜଳକୁ
ବୋଇତ ଚ।ଳିବ। ହୁଏ କଠିନ।
କାର୍ତ୍ତିକ ମାସରେ ମଉସୁମୀ ବାୟୁ
ଛାଡି ଚାଲିଯାଏ ଆମ ଅଞ୍ଚଳ
ଉତ୍ତରା ପବନ ସୁଲୁ ସୁଲୁ ବହେ
ଅଝାଲ ଉଡ଼ାଇ ବୋଇତ ମାଳ ।
ନଥିଲା ସେବେଳେ ଯାନ୍ତ୍ରିକ ବୋଇତ
ବାୟୁ ବଳେ ପୋତ କରେ ଗମନ
ଦକ୍ଷିଣ ଦିଗକୁ ଭାସି ଭାସି ଯାଏ
ବକ୍ଷେ ଧରି ନାନା ଦରବ ମାନ ।
ଆଷାଢ଼ ମାସରେ ମଉସୁମୀ ଫେରେ
ଫେରନ୍ତି ସାଧବ ଦୃପ୍ତ ବଦନେ
ଭୂଇଁ ଲହଣରେ ପାଛୋଟି ନିଅନ୍ତି
ହସ ଉକୁଟାଇ ଭାବିନୀ ଗଣେ।
ସ୍ମୃତି ଆଇନାରେ ନିରିଖିବା ପାଇଁ
ଆମ ପୂର୍ବଜଙ୍କ କୀରତି ଯଶ
ପାଳନ୍ତି ଶ୍ରଦ୍ଧାରେ ବାଲିଯାତ୍ରା ପର୍ବ
କାର୍ତ୍ତିକ ପୂର୍ଣ୍ଣିମାରେ ପ୍ରତି ବରଷ ।

