shaheed-matangini-odia-kabita

ଶହୀଦ ମାତଙ୍ଗିନୀ

ନାରୀ ନୁହେଁ ସେ ଦୀପ୍ତ ମଶାଲ
ଅନ୍ଧକାରରେ ଦେଖାଏ ବାଟ
ସ୍ୱାଧୀନତାର ରଣ ଅଙ୍ଗେନେ
ଖାଇଥିଲା ହସି ସେ ଗୁଳି ଚୋଟ ।
ତାନ୍ତ୍ରିକ ମୋହନ ମନ୍ତ୍ର ପୁକାରେ
ଆନ୍ଦୋଳନକୁ ନେଲା ସେ ବରି
ମ।ତଙ୍ଗିନୀ ବଦଳେ ସରବେ
ଡାକିଲେ ଶ୍ରଦ୍ଧାରେ ଗାନ୍ଧୀବୁଢ଼ୀ ।
ମେଦିନୀ ପୁରର ତମଲୁକ
ସହର ପାଖରେ ହୋବଲା ଗାଁ
ଇତିହାସ କିମ୍ବା ଭୂଗୋଳ ରେ
ଲେଖା ନଥିଲା ତାର ନାଆଁ ।
ସେହି ଗ୍ରାମର ଗରିବ କୃଷକ
ନାମ ଠାକୁର ଦାସ ମାଇତି
ତାଙ୍କ ପତ୍ନୀ ଭଗବତୀ ଗର୍ଭୁ
ଜନମି ଛୁଇଁଲା ଏ ଦେଶ ମାଟି ।
ଦାରିଦ୍ର୍ୟ ସାଜିଲା ଅନ୍ତରାୟ
ତାରେ ଯିବା ପାଇଁ ବିଦ୍ୟାଳୟ
ବାର ବରଷରେ ବାଷଠି ବର୍ଷ
ବିପତ୍ନୀକ ସଙ୍ଗେ ହେଲା ବିବାହ ।
ସ୍ବାମୀ ତ୍ରିଲୋଚନ ହ।ଜରା
ଥିଲେ ତିନିଟି ସନ୍ତାନ ପିତା
ଧନୀ ଲୋକ ବୋଲି ଠାକୁର ଦାସ
ତାକୁ ଦେଲେ ଆପଣା ଦୁହିତା ।
ଅଠର ବରଷ ବୟସରେ
ଯଉବନ ଯେବେ ଛୁଇଁଲା ତନୁ
ସୁହାଗିନୀରୁ ହେଲେ ବିଧବା
ସ୍ବାମୀ ଗଲେ ସ୍ବର୍ଗ ମର ଭୁବନୁ ।
ସାବତ ସନ୍ତାନ ତଡ଼ିଦେଲେ ଘରୁ
ଆପଣାର ଘର କରିଲା ପର
ନିଜ ଗାଁ ମୁଣ୍ଡେ କଟାଇଲେ କାଳ
ନିଜେ କରି ଏକ କୁଡ଼ିଆ ଘର ।
ମୂଲ ଲାଗି ନିଜେ ଚଳୁଥିଲେ ମଧ୍ୟ
ସେବା ଯୋଗାଇଲେ ଆର୍ତ୍ତ ଜନେ
ମହା ମନିଷୀ ଙ୍କ ମହତ କାମ
ପହଞ୍ଚିଲା କ୍ରମେ ତାଙ୍କରି କାନେ ।
ଗାନ୍ଧିଜୀ ନେତୃତ୍ବରେ ସ୍ଵାଧୀନତା
ସଂଗ୍ରାମର ଆନ୍ଦୋଳନ କାହାଣୀ
ଶୁଣି ଲୋକ ମୁଖୁ ଆନ୍ଦୋଳନରେ
ଝାସଦେଲେ ଯାଇ ମ।ତଙ୍ଗିନୀ ।
ଵାଷଠୀ ବର୍ଷ ବୟସେ ଶଙ୍ଖ
ଫୁଙ୍କି ସତ୍ୟାଗ୍ରହ ଆନ୍ଦୋଳନେ
ଶୋଭାଯାତ୍ରା ର ନେତୃତ୍ୱ ନେଇ
ପହଞ୍ଚିଲେ ଲୁଣ ମାରିବା ସ୍ଥାନେ ।
ତମଲୁକ ଗ୍ରସ୍ତେ ଆସିଥିଲେ
ଗଭର୍ଣ୍ଣର ଶ୍ରୀଯୁକ୍ତ ଆଣ୍ଡରସନ୍
ଫେରିଯାଅ ଆଣ୍ଡର ସନ୍ କହି
ମ।ତଙ୍ଗିନୀ ତାଙ୍କୁ କଲେ ଆହ୍ବାନ ।
ଏଥିପାଇଁ ବନ୍ଦୀ ହୋଇ ଭୋଗି –
ଥିଲେ ସେ ସଶ୍ରମ କାରାବାସ
କାରାଗାର ମଧ୍ୟେ ସାଥୀ ମହିଳାଙ୍କୁ
ଦେଇଥିଲେ ସଂଗ୍ରାମର ସନ୍ଦେଶ ।
‘କର ଅବା ମର’। ଆହ୍ବାନ
ଗାନ୍ଧିଜୀଙ୍କର ଚରମ ବାଣୀ
ତନୁ ମନ ପ୍ରାଣ ସମର୍ପି ଦେଲେ
ଅନ୍ତିମ ସଂଗ୍ରାମେ ମ।ତଙ୍ଗିନୀ ।
ଏହି ସଂଗ୍ରାମେ ହସ୍ତେ ତ୍ରିରଙ୍ଗା
ଧରି ହେଲେ ଶୋଭାଯାତ୍ରାରେ ଅଗ୍ରଣୀ
ତମଲୁକ ଥାନା ଅଭିମୁଖେ
ଚାଲିଲେ ସଙ୍ଗେ ବିଦ୍ୟୁତ୍ ବାହିନୀ ।
ଶହେ ଚଉରାଳିଶ ଧାରା ଭାଙ୍ଗି
ଆଗେଇ ଚାଲିଲା ମହିଳା ଦଳ
ପୋଲିସ ବାହିନୀ ବାରଣ ସତ୍ତ୍ୱେ
ଆଗକୁ ଆଗକୁ ଅଗ୍ରସର ।
ପାଦରେ ଲାଗିଲା ପ୍ରଥମ ଗୁଳି
ତଥାପି ବଢାଇଲେ ଚରଣ
ତେସ୍ତରୀ ବର୍ଷ ବୃଦ୍ଧା ଉପରେ
ପୋଲିସ ଗୁଳି କଲା ବର୍ଷଣ ।
ବନ୍ଦେ ମାତରଂ କହି ଦୃପ୍ତେ
ଟଳି ପଡ଼ିଥିଲେ ମ।ତଙ୍ଗିନୀ
ଗାନ୍ଧୀ ବୁଢ଼ୀର ରକ୍ତ ପରଶେ
ଧନ୍ୟ ହେଲା ତମଲୁକ ର ଭୂମି।
ଭାରତ ମାତା ର ସୁଯୋଗ୍ୟ। କନ୍ୟା
ମରଣ ତାକୁ ନପାରେ ଜିଣି
ମର ଦେହେ ହେଲା ଆୟୁଷ୍ମତୀ
ବିରାଙ୍ଗନା ସେହି ମ।ତଙ୍ଗିନୀ ।

Leave a Comment

Your email address will not be published. Required fields are marked *