ତ୍ରିବେଣୀ ଅମାବାସ୍ୟା
ସାରଦା ପ୍ରସାଦ ମିଶ୍ର
ମାଘ ଅମାବାସ୍ୟା ଶାସ୍ତ୍ର ମତେ ନାମ
ତ୍ରିବେଣୀ ଅବା ମଉନି
ତିନି ତଟିନୀ ର ସଙ୍ଗମ ସ୍ଥଳକୁ
କୁହାଯାଏ ଟି ତ୍ରିବେଣୀ ।
ଏ ଅମାବାସ୍ୟାରେ ତ୍ରିବେଣୀ ସ୍ଥାନରେ
କରିଲେ ସ୍ନାନ ତର୍ପଣ
ପିତୃ ପୁରୁଷଙ୍କ ସମସ୍ତ କଳୁଷ
ହୋଇଥାଏ ନିବାରଣ ।
ଜ୍ଞାନ ଭକ୍ତି କର୍ମ ତିନି ମହଯୋଗ
ଯେ କାଳେ ହୁଏ ମିଳନ
ସେ ଦିନ ଅଟଇ ମାଘ ଅମାବାସ୍ୟା
ତ୍ରିବେଣୀ ତା ଅନ୍ୟ ନାମ ।
ଶରୀର ମନକୁ ପ୍ରଭାବିତ କରେ
ଦୁଇ ଗ୍ରହ ରବି ଶଶୀ
ସୁରୁଜ ଦର୍ଶନ ହୋଇଥାଏ କିନ୍ନ୍ତୁ
ଚନ୍ଦ୍ର ଆସେ ନାହିଁ ଦୃଷ୍ଟି ।
ମୌନ ବ୍ରତ କରି ଶଶାଙ୍କ ପୂଜନ
କରାଯାଏ ଏହି ଦିନ
ମୌନୀ ଅମାବାସ୍ୟା ଏ ଅମାବାସ୍ୟାର
ଅଟଇ ଦ୍ୱିତୀୟ ନାମ ।
ଦେବୀ ମହାଶକ୍ତି ଦ୍ୱିଭୁଜା ବିରଜା
ବ୍ରହ୍ମା ଯଜ୍ଞରୁ ପ୍ରକଟ
ବ୍ରହ୍ମାଣ୍ଡ ମଙ୍ଗଳ ପାଇଁ ମହାମାୟା
ନାଶ କରିଥିଲେ ଦୈତ୍ୟ ।
ପ୍ରେମ ଭକ୍ତି ଗୁର ସ୍ବାମୀ ଅଭିରାମ
ଧରାବତରଣ ଦିନ
ନିଷ୍କାମ କର୍ମଟି ଅଟେ ମୁକ୍ତିମାର୍ଗ
ତାଙ୍କ ପ୍ରଚାରିତ ଧର୍ମ ।
ଦକ୍ଷ ଯଜ୍ଞ ସ୍ଥଳେ ପତିନିନ୍ଦା ଶୁଣି
ପ୍ରାଣ ବିସର୍ଜିଲେ ସତୀ
କ୍ରୋଧେ ମହାଦେବ ଦକ୍ଷ ଶିର ଛେଦି
ସଂଚାର କରିଲେ ଭୀତି।
ଦକ୍ଷ ପ୍ରଜାପତି ବନିତା ତ୍ରିବେଣୀ
ପ୍ରାର୍ଥନା କଲେ ଶଙ୍କର
ଆଶୁତୋଷ ଶିବ ଲିଙ୍ଗ ରୂପେ ପୂଜା
କରିବାକୁ ଦେଲେ ବର ।
ସେଦିନ ଟି ଥିଲା ମାଘ ଅମାବାସ୍ୟା
ଲିଙ୍ଗ ପୂଜାର ଆରମ୍ଭ
ତ୍ରିବେଣୀ ଙ୍କ ନାମ ଅମାବାସ୍ୟା ସଙ୍ଗେ
ହେଲା ସେବେଠୁ ସଂଯୋଗ ।


The myth in respect of magha amavasya in poetic expression is very nice
ତ୍ରିବେଣୀ ଅମାବାସ୍ୟା ବିଷୟରେ କବିତାଟି ମନଛୁଆଁ ହୋଇଛି। କବିଙ୍କୁ ଧନ୍ୟବାଦ।