Jagannath Darshan

ତୀର୍ଥଯାତ୍ରାର ପୂର୍ଣ୍ଣତା

ତୀର୍ଥ ପଥେ ଚାଲି ଚାଲି, ଶତ ନଦୀ ପାର,
ଧର୍ମର ଡାକ ଶୁଣି ଯାଇ, ମନ ହେଲା ପ୍ରସାର ।
ଚାରି ଧାମର ଧୂଳି ଲାଗି, ଦ୍ୱାଦଶ ଜ୍ୟୋତି ଦେଖି,
ତଥାପି ହୃଦୟ କହୁଥିଲା— “ଅଧୂରା ରହିଛି କିଛି” ।

ସୋମନାଥର ସନ୍ଧ୍ୟା ଆରତୀ, ଶଙ୍ଖ ଧ୍ୱନି ମଧୁର,
ଶିବ ଲିଙ୍ଗେ ଜ୍ୟୋତି ଖେଳିଲା, ଚିତ୍ତ ହେଲା ପବିତ୍ର ।
ଶିବ କହିଲେ ନିରବେ— “ଏଠି ନୁହେଁ ଶେଷ,
ପୁରୁଷୋତ୍ତମ କ୍ଷେତ୍ରେ ଯାଅ, ସେଠି ମିଳିବ ଲେଶ” ।

ସ୍କନ୍ଦ ପୁରାଣ ବାଣୀ କହେ, ଉତ୍କଳ ଭୂମି ଶ୍ରେଷ୍ଠ,
ସର୍ବ ତୀର୍ଥର ସାର ଯେଉଁଠି, ପୁରୁଷୋତ୍ତମ କ୍ଷେତ୍ର ଦୃଢ଼ ।
ଚାରି ଧାମର ପୁଣ୍ୟ ମଧ୍ୟ, ଯେଉଁଠି ହାରିଯାଏ,
ଜଗନ୍ନାଥ ଦର୍ଶନ ମାତ୍ରେ, ମୋକ୍ଷ ପଥ ଖୋଲିଯାଏ ।

ରାତି ଗଭୀରେ ପୁରୀ ପହଁଚି, ଶ୍ରମ ଭରା ଦେହ,
ପ୍ରଭୁଙ୍କ ନାମ ମନେ ଧରି, ମିଳିଲା ଅଦ୍ଭୁତ ସ୍ନେହ ।
ଭୋରେ ଗଲୁ ନୀଳକଣ୍ଠ, ଶିବ ଦ୍ୱାରପାଳ,
ଜଳାଭିଷେକେ ଗଲା କଟି , ସମସ୍ତ ବିଘ୍ନଜାଳ ।

ନୀଳକଣ୍ଠ ଶିବ କହନ୍ତି— “ମୁଁ ରହିଛି ଏଠି,
ଜଗନ୍ନାଥ ଦର୍ଶନ ପାଇଁ, ପଥ କରେ ଶୁଦ୍ଧ ସେଠି” ।
ଶିବ ବିନା ନାହିଁ ବିଷ୍ଣୁ, ବିଷ୍ଣୁ ବିନା ନୁହେଁ ଶିବ,
ଦୁଇ ରୂପେ ଏକ ତତ୍ତ୍ୱ, ଏହି ଧର୍ମର ଶିବ ।

ବିକାଳ ବେଳେ ମନ୍ଦିରେ ଗଲୁ, ଗର୍ଭଗୃହ ସମ୍ମୁଖେ,
ପାଞ୍ଚ ଘଣ୍ଟା, ପାଞ୍ଚ ମିନିଟ— କାଳ ନିଜେ ଥିଲା ମୁଖେ ।
ଜଗା, ବଳ, ସୁଭଦ୍ରା ମାଆ, ସୁଦର୍ଶନ ସାଥେ,
ଚତୁର୍ଧା ମୂର୍ତ୍ତି ଦେଖିଲୁ, ଅଶ୍ରୁ ଝରିଲା ଆଖିରୁ ଧାରେ ।

କାଳ ନିଜେ ଜଗନ୍ନାଥ, କାଳ ତାଙ୍କର ଦାସ,
ଏକ ମୁହୂର୍ତ୍ତ ଦର୍ଶନେ ମିଳେ, ଜୀବନର ଶ୍ରେଷ୍ଠ ଆଶ୍ୱାସ ।
ବ୍ରହ୍ମାଣ୍ଡ ଯେଉଁଠି ଥମିଯାଏ, ଶଙ୍ଖ ଚକ୍ର ମଧ୍ୟରେ,
ସେଇ ମୁହୂର୍ତ୍ତେ ହୃଦୟ ମିଶିଲା, ନୀଳ ନୟନ ସାଗରେ ।

ଆନନ୍ଦ ବଜାରେ ମହାପ୍ରସାଦ, ଅନ୍ନ ବ୍ରହ୍ମ ସାକ୍ଷାତ,
ଭୁକା ବ୍ରାହ୍ମଣ ଭୋଜନ କଲେ, ପାଞ୍ଚ ମିନିଟେ ସମାପ୍ତ ।
ଶାସ୍ତ୍ର କହେ— ବିପ୍ର ଭୁକ୍ତେ, ଭଗବାନ ତୃପ୍ତ,
ତା’ ପରେ ଭକ୍ତ ପ୍ରସାଦ ନେଲେ, ଜୀବନ ହୁଏ ପୂର୍ଣ୍ଣତାରେ ଦୃଢ଼ ।

ବାଇଶି ପାହଁଚେ ରହିଛି , ଯମଶିଳା ପାଖେ,
ମହାପ୍ରସାଦ ଅର୍ପିଲୁ ଆମେ, ପିତୃଙ୍କ ସ୍ମୃତି ରଖି,
ଯମର ଭୟ ଯେଉଁଠି ଶେଷ, ଜଗା ଆରମ୍ଭ ସେଠି,
ମୃତ୍ୟୁ ମଧ୍ୟ ହାରିଯାଏ, ନୀଳ ଠାକୁରଙ୍କ ଶକ୍ତି ।

ଶାସ୍ତ୍ର କହେ— ନିଜେ ଭୋଗ ନୁହେଁ, ବଣ୍ଟନ ହେଉ ଧର୍ମ,
ମିତ୍ର ସ୍ୱଜନ ସହ ପ୍ରସାଦ, ସେଇ ଭକ୍ତିର କର୍ମ ।
ସିଦ୍ଧ ମହାବୀର ମନ୍ଦିରେ, ଏକବିଂଶ ଫାଗୁଣ ଦିନ,
ମହାପ୍ରସାଦ ସେବା ହେବ, ଜଗାଙ୍କ କୃପାର ଚିହ୍ନ ।

ସୋମନାଥରୁ ଜଗନ୍ନାଥ, ଏକ ପଥ ଗୁପ୍ତ,
ଶିବରୁ ବିଷ୍ଣୁ, ସାଧନାରୁ, ପୂର୍ଣ୍ଣତାର ସତ୍ୟ ।
ଚାରି ଧାମ, ଦ୍ୱାଦଶ ଲିଙ୍ଗ, ସବୁ ହେଲା ସାର୍ଥକ,
ଜଗନ୍ନାଥ ଦର୍ଶନ ମାତ୍ରେ, ଧର୍ମ ହେଲା ପୂର୍ଣ୍ଣତମ ।

Leave a Comment

Your email address will not be published. Required fields are marked *