ଉଠ ଜଗନ୍ନାଥ

ସୁରେନ୍ଦ୍ର ପାତ୍ର
ଉଠ ଜଗନ୍ନାଥ ସରିଲା ବରଷ
କେତେଦିନ ଆଉ ଶୋଇବ,
ଚୁଲି ଭାଙ୍ଗିଲାଣି, ଚୂନ ଗଳିଲାଣି
କେଉଁ ବାଡ଼ ଧରି ରହିବ?
ବଦଳୁଛି ସିନା କ୍ୟାଲେଣ୍ଡର କାନ୍ଥେ,
ଭାଗ୍ୟ ବଦଳୁଛି କାହିଁ,
ସରିଗଲା ବର୍ଷେ ମଣିଷ ଆୟୁଷ,
ଥକିଲା ମଣିଷ ଧାଇଁ ।
କାହାପାଇଁ ଠୁଳ କରିତ ଦେଇଛ
କଳାଧନ ରତ୍ନ ଭଣ୍ଡାର ।
ଦୁଃଖ ମହୋଦଧି ତୀରେ
କେ ଭାସୁଛି ଆଖି ଖୋଲ ଦେଖ ଏଥର ।
ଦେଖ ଜଗନ୍ନାଥ ତୁମରି ମନ୍ଦିରେ
‘ବଜାର’ କରୁଛି ନାଟକ,
ଶାଗ ବିଡ଼ା ହେଲା ପନ୍ଦର ବିଇଶି
ସୁଆରଙ୍କ ଦେଖ ଛଟକ ।
ପାକିସ୍ତାନ ଏଠି ଭାରତ ହେଲାଣି
ଭାରତଟା ପାକିସ୍ତାନ ହେ,
କିଏ କାହା ବେକେ ଲଗାଉଛି ଛୁରୀ
ଜାଣିବାଟା ସନ୍ଦିହାନ ହେ ।
ନୂଆ ବର୍ଷେ କିଛି ପୁରୁଣାରୁ କର
ଜାଗୁ ଏ ମଣିଷ ଜାତି,
ସରିଯାଉ ସବୁ ସଇତାନୀ ଏଠୁ ଲଗାଇ ଦିଅ ହୋ କାତି ।
