.
ଆସନ୍ତୁ ପଢିବା ଆଜିର ପୌରାଣିକ କାହାଣୀ
ଅଭିଶପ୍ତ ଦ୍ୱାରପାଳ, ଦ୍ଵିତୀୟ ଅଧ୍ୟାୟ
!! ଭାଗ – ୧୫୬ !!
ଡା.କୃପାସିନ୍ଧୁ ମିଶ୍ର
✤●○●○●○✤‼️✤○●○●○●✤
ସୌଜନ୍ୟ: ଆଧ୍ୟାତ୍ମ ଜଗତ ହ୍ବାଟ୍ସଆପ୍ ଗୃପ୍
✤●○●○●○✤♾️✤○●○●○●✤
══━━━━✥◈❤️◈✥━━━━══
ହିରଣ୍ୟକଶ୍ୟିପୁର ପୁତ୍ରୀ ତଥା ପ୍ରହ୍ଲାଦଙ୍କ ଭଗ୍ନୀ ସିଂହିକା ବିପ୍ରଚିତି ନାମକ ଅସୁରକୁ ବିବାହ କରିଥିଲେ Ι ସେ ସ୍ୱର୍ଭାନୁର ଜନନୀ ଥିଲେ Ι ସ୍ୱର୍ଭାନୁକୁ ଅମୃତ ବଣ୍ଟନ ସମୟରେ ଶ୍ରୀବିଷ୍ଣୁ ଚକ୍ର ଦ୍ୱାରା ଦୁଇଖଣ୍ଡ କରି ଦେଇଥିଲେ Ι ଅମୃତ ଭକ୍ଷଣ କରିଥିବା ଏହି ରାକ୍ଷସର ବିଖଣ୍ଡିତ ଶରୀର କେତୁ ଓ ମସ୍ତକ ରାହୁ ନାମରେ ନାମିତ ହୋଇଥିଲା Ι ପୌରାଣିକ ମତ ଅନୁସାରେ ଚନ୍ଦ୍ର ଓ ସୂର୍ଯ୍ୟ ସେମାନଙ୍କ ଗୁପ୍ତରେ ଅମୃତ ଭକ୍ଷଣ କରିଥିବା ବିଷୟ ବିଷ୍ଣୁଙ୍କୁ କହିଦେଇଥିବା ହେତୁ ରାହୁ ସୂର୍ଯ୍ୟଙ୍କୁ ଓ କେତୁ ଚନ୍ଦ୍ରଙ୍କୁ ଗ୍ରାସ କରନ୍ତି, ଯାହାକୁ ଆମେ ସୂର୍ଯ୍ୟୋପରାଗ ଏବଂ ଚନ୍ଦ୍ରଗ୍ରହଣ କହୁଁ Ι କିଛି ସମୟ ଉତ୍ତାରେ ସୂର୍ଯ୍ଯ ଓ ଚନ୍ଦ୍ର କଟା ହୋଇଥିବା ଗଳା ଦେଇ ବାହାରକୁ ବାହାରି ଆସନ୍ତି Ι
ସିଂହିକା ବ୍ରହ୍ମାଙ୍କଠାରୁ ବରଲାଭ କରିଥିଲା ଯେ, ସେ ଯେ କୌଣସି ଛାୟାକୁ ଧରି ଦେବ ଦାନବ, ନର ବାନରମାନଙ୍କୁ ନିୟନ୍ତ୍ରିତ କରି ଭକ୍ଷଣ କରି ପାରିବ Ι ଥରେ ସେ ସୂର୍ଯ୍ୟଙ୍କ ସ୍ତ୍ରୀ ଛାୟା ଦେବୀଙ୍କ ଛାୟାକୁ ଧରିନେବାରୁ ପୁତ୍ର ଶନି ତା ହସ୍ତରୁ ମାତା ଛାୟାଙ୍କୁ ଉଦ୍ଧାର କରିଥିଲେ Ι ହନୁମାନ ଉଡି ଯାଉଥିବା ସମୟରେ ତାଙ୍କର ଛାୟା ସମୁଦ୍ର ଜଳ ଉପରେ ପହଁରି ଯାଉଥିଲା Ι ସିଂହିକା ସେହି ଛାୟାକୁ ଧରି ହନୁମାନଙ୍କୁ ଧରିନେଲେ ଓ ଗିଳିଦେଲେ Ι ହନୁମାନ ନଖ ସାହାଯ୍ୟରେ ତାର ଉଦରକୁ ଚିରି ବାହାରି ଆସିଲେ Ι
“ତାହି ମାରି ମାରୁତ ସୁତ ବୀରା,
ବାରିଧି ପାର ଗୟଉ ମତିଧୀରା.
ଶୈଳ ବିଶାଳ ଦେଖି ଏକ ଆଗେଁ,
ତା ପର ଧାଇଁ ଚଢ଼େଉ ଭୟ ତ୍ୟାଗେଁ Ι”
ସୁବଳୟା ପର୍ବତ ଉପରେ ଚଢ଼ିଯାଇ ହନୁମାନ ପ୍ରଥମେ ତ୍ରିକୂଟ ଉପରେ ସ୍ଥିତ ରାଜଧାନୀ ଲଙ୍କାର ସୌନ୍ଦର୍ଯ୍ୟ ଅବଲୋକନ କଲେ Ι ମେଘକୁ ସ୍ପର୍ଶ କରୁଥିବା ଶକ୍ତ ସୁଉଚ୍ଚ ପ୍ରାଚୀର ଓ ଚତୁର୍ପାର୍ଶ୍ୱରେ ପ୍ରହରୀ ରୂପେ ବିଚରଣ କରୁଥିବା ବିଶାଳକାୟ ଅସୁରମାନଙ୍କୁ ଦର୍ଶନ କରି ସେ ଚିନ୍ତିତ ଦେଖାଗଲେ Ι ସେହି ନଗରୀର ଚାରି ପଟରେ ଚାରିଟି ବିରାଟ ବିରାଟ ଦ୍ୱାର ଥିଲା Ι ଏହା ଏକ ସୁରକ୍ଷିତ ଦୁର୍ଗ ଥିଲା Ι
“ଶତକୋଟୀକି ଶତକୋଟି ଗୁଣେ, ବଳୀ ବଳିଷ୍ଠ ହୋଇବା ପାଷାଣେ,
ନିର୍ମିତ ହୋଇଛି ଦୁର୍ଗ ପ୍ରାଚୀର, ରୁଚିତର ସୂଚୀକମ ନିକର ସେ
ତା କପାଟ ପାତ ଧ୍ୱନି ଯେ,
ବିହରୁଁ କୈଳାସେ ମୟୂର ବିଳାସେ ଭୟ ଭଜନ୍ତି ସେନାନୀ ଯେ Ι”
ବଜ୍ରକୁ ଶତକୋଟି ଗୁଣ ଶକ୍ତ ପ୍ରସ୍ତରରେ ନିର୍ମିତ ସେହି ପ୍ରାଚୀରରେ ସୁନ୍ଦର ସୂଚୀକାମ ହୋଇଥିଲା Ι ତାର ବିରାଟ କବାଟ ବନ୍ଦ ହେଲା ସମୟରେ ଏତେ ବିକଟ ଧ୍ୱନି ହେଉଥିଲା ଯେ କୈଳାସ ପର୍ବତରେ ମୟୂର ପୃଷ୍ଠରେ ବିହାର କରୁଥିବା ଦେବ ସେନାପତି କାର୍ତ୍ତିକ ମଧ୍ୟ ଭୟ କରୁଥିଲେ Ι ସେହି ଦୁର୍ଗରକ୍ଷୀମାନଙ୍କର ଜ୍ୱଳନ୍ତ ନେତ୍ର, ବିରାଟ ମୁଖ ଗହ୍ୱରରେ ରମ୍ଭା ବୃକ୍ଷ ସଦୃଶ ଦନ୍ତମାନ ଭୟ ଉଦ୍ରେକ କରୁଥିଲା Ι ଲଙ୍କା ଜୟ କରିବା ଯେତେ ସହଜ ବୋଲି ସେ ଭାବୁଥିଲେ, ଏବେ ତାଙ୍କର ସେ ବିଶ୍ୱାସ ଦୁର୍ବଳ ହୋଇ ପଡୁଥିଲା Ι
କିନ୍ତୁ ସୁନ୍ଦର ଥିଲା ଲଙ୍କା ନଗରୀର ବର୍ଣ୍ଣିଳ ଦୃଶ୍ୟ Ι ଦୂରରୁ ମଧ୍ୟ ଏହି ଭବ୍ୟ ନଗରୀ ଦୃଷ୍ଟି ଆକର୍ଷଣ କରୁଥିଲା Ι ଲାଗୁଥିଲା ଧରା ବକ୍ଷରେ ଦ୍ୱିତୀୟ ସ୍ୱର୍ଗ ପରି Ι
“ଗିରିମୁର୍ଧ୍ନି ସ୍ଥିତାମ୍ ଲଙ୍କାମ୍, ପାଣ୍ଡୁରୈଃ ଭବନୈଃ ଶୁଭ୍ରୈଃ
ଦଦର୍ଶ ସ କପିଶ୍ରେଷ୍ଠ ପୁରମ୍ ଆକାଶଗାମ୍ ଯଥା Ι”
ପର୍ବତ ବକ୍ଷରେ ସ୍ଥିତ ଲଙ୍କାର ଶୁଭ୍ର ବର୍ଣ୍ଣର ଅଟ୍ଟାଳିକାମାନ ଆକାଶକୁ ସ୍ପର୍ଶ କଲା ପରି ଲାଗୁଥିଲେ Ι
“ପାଳିତାମ୍ ରାକ୍ଷସେନ୍ଦ୍ରେଣ, ନିର୍ମିତାମ୍ ବିଶ୍ୱକର୍ମଣା,
ପ୍ଲବମାନାମିବାକାଶେ ଦଦର୍ଶ ହନୁମାନ୍ ପୁରୀମ୍ Ι”
ବିଶ୍ୱକର୍ମା ନିର୍ମିତା ଏବଂ ଦୈତ୍ୟେନ୍ଦ୍ର ଦଶାନନ ଦ୍ୱାରା ସଂରକ୍ଷିତା ସୁଶୋଭିତା ଲଙ୍କା ଆକାଶରେ ଭାସମାନ ଏକ ନଗରୀ ପରି ପ୍ରତୀୟମାନ ହେଉଥିଲା Ι କଥିତ ଥିଲା ଯେ “ପୁଷ୍ପେଷୁ ଚମ୍ପା, ନଗରୀଷୁ ଲଙ୍କା Ι”
ହନୁମାନ ରାତ୍ରି ହେବା ପର୍ଯ୍ୟନ୍ତ ଅପେକ୍ଷା କଲେ Ι ରାତ୍ରିର ଅନ୍ଧକାରରେ ସେ ଦୁର୍ଗପ୍ରାଚୀର ନିକଟରେ ଉପସ୍ଥିତ ହେଲେ Ι ଅନ୍ୟମାନଙ୍କ ଦୃଷ୍ଟିପଥାରୂଢ଼ ହେବାକୁ ଚାହୁଁ ନ ଥିଲେ ସେ Ι ନିଜ ଶରୀରକୁ କ୍ଷୁଦ୍ର କରି ପ୍ରାଚୀରର ନିମ୍ନ ଭାଗରେ ଥିବା ସ୍ୱଳ୍ପ ରିକ୍ତ ସ୍ଥାନ ଦେଇ ମାରୁତି ଭିତରେ ପ୍ରବେଶ କରିଗଲେ Ι ନଗରୀ ମଧ୍ୟକୁ ପ୍ରବେଶ କରିବା ପାଇଁ ଅନ୍ୟ ଏକ ପ୍ରାଚୀର ବଳୟ ଥିଲା Ι ସେହି ପ୍ରାଚୀରର ପ୍ରଥମ ଦ୍ୱାର ଦେଇ ସେ ପ୍ରବେଶ କରିବା ସମୟରେ ତାଙ୍କୁ ବାଧା ଦେଲେ ଲଙ୍କା ଦୁର୍ଗକୁ ରକ୍ଷା କରୁଥିବା ଲଙ୍କିନୀ ନାମକ ରାକ୍ଷସୀ Ι ହନୁମାନଙ୍କ ପରିଚୟ ଓ ଆସିବା କାରଣ ପଚାରିବାରୁ ସେ ଲଙ୍କା ପରିଦର୍ଶନ ଏବଂ ଭ୍ରମଣ ଉଦ୍ଦେଶ୍ୟରେ ଆସିଛନ୍ତି ବୋଲି କହିଲେ Ι କିନ୍ତୁ ଲଙ୍କିନୀ ତାଙ୍କ ପଥ ରୋଧ କଲେ Ι ହନୁମାନ ତାଙ୍କୁ ଅବଜ୍ଞା କରି ଅଗ୍ରସର ହେବାରୁ ସେ କ୍ଷୁଦ୍ରାକୃତି ହନୁମାନଙ୍କୁ ପଦାଘାତ କଲେ Ι କ୍ଷୁବ୍ଧ ହନୁମାନ ନିଜର ଶରୀରର ଆକୃତି ବୃଦ୍ଧି କଲେ Ι ସେ ଲଙ୍କିନୀଙ୍କ ବାମ କର୍ଣ୍ଣ ମୂଳରେ ଚପେଟାଘାତ କଲେ Ι ସେ ଆଘାତରେ ଲଙ୍କିନୀ ଧରାଶାୟୀ ହେଲେ Ι ତାଙ୍କର ମୁଖରୁ ରକ୍ତ ନିର୍ଗତ ହେଲା Ι ସେ ନିଜକୁ ସମ୍ଭାଳି ଉଠି ଛିଡା ହେଲେ Ι ସେ ଏବେ କଦାକାରା ଦାନବୀ ନ ଥିଲେ Ι ସୁନ୍ଦରୀ ଅପ୍ସରୀ ରୂପରେ ଉଭା ହୋଇ ସେ ହନୁମାନଙ୍କୁ ପ୍ରଣାମ କଲେ ଓ ନିଜର ପୂର୍ବ ଇତିହାସ ବର୍ଣ୍ଣନା କଲେ Ι
ସେ କହିଲେ, “ରାବଣଙ୍କୁ ବ୍ରହ୍ମା ବରଦାନ କରିବା ସମୟରେ ମୁଁ ଦେବତାମାନଙ୍କ ଅନୁରୋଧରେ ଗୁପ୍ତଚରୀ କାର୍ଯ୍ୟ କରି ଶୁଣୁଥିଲି ଯେ ସେ ରାବଣଙ୍କୁ କି ବର ଦେଉଛନ୍ତି Ι ବ୍ରହ୍ମା ମୋର ଏହି କାର୍ଯ୍ୟରେ ଅସନ୍ତୁଷ୍ଟ ହୋଇ ମୋତେ ରାକ୍ଷସୀ ହେବାକୁ ଅଭିଶାପ ଦେଇଥିଲେ ଓ କହିଥିଲେ,” ତୁ ଯେଉଁ ବାମ କର୍ଣ୍ଣରେ ଲୁଚି କରି ମୋ କଥା ଶୁଣୁଥିଲୁ, ସେହି କର୍ଣ୍ଣରେ ଗୋଟିଏ ବାନର ବ୍ରହ୍ମ ଚାପୁଡ଼ାଟିଏ ମାରିବ Ι ତୁ ଏବେ ରାବଣର ଗଡ଼ ରକ୍ଷା କରିବୁ Ι ଯେଉଁ ଦିନ ତୋତେ କୌଣସି ବାନର ଗୋଟିଏ ଚାପୁଡା ଆଘାତରେ ଭୂପତିତା କରିଦେବ, ସେହିଦିନ ତୁ ମୁକ୍ତିଲାଭ କରିବୁ ଓ ଅପ୍ସରୀ ରୂପ ଧରି ସ୍ୱର୍ଗକୁ ଫେରିବୁ Ι ସେହିଦିନଠାରୁ ଲଙ୍କାର ପତନ ଆରମ୍ଭ ହେଲା ବୋଲି ଜାଣିବୁ Ι” ରାବଣ ନିଜେ ମୋତେ ଏହି ଦୁର୍ଗରକ୍ଷା କାର୍ଯ୍ୟରେ ନିଯୁକ୍ତି ଦେଇଥିଲେ Ι ଏବେ ତାଙ୍କର ଅନ୍ତ ସମୟ ଉପଗତ Ι ମୋତେ ବିଦାୟ ଦିଅନ୍ତୁ Ι ପ୍ରଣାମ ରାମଦୂତ !” ଅପ୍ସରୀ ବିଦାୟ ନେଲେ Ι
ହନୁମାନ ପୁନଶ୍ଚ କ୍ଷୁଦ୍ରାକୃତି ଧାରଣ କରି ଆଗକୁ ବଢ଼ିଲେ Ι ସେ ଲଙ୍କାର ଅପରୂପ ଶୋଭା ନିରୀକ୍ଷଣ କରୁଥାନ୍ତି Ι ପ୍ରାସାଦମାନଙ୍କରେ ସୁବର୍ଣ୍ଣର ଇଟା ଲାଗିଛି Ι ସ୍ତମ୍ଭ ଓ ଗୃହ ପ୍ରାଚୀର ସବୁରେ ହୀରା, ମୋତି ମାଣିକ୍ୟ ଖଚିତ ହୋଇଛି Ι କେଉଁଠି ଭବନମାନଙ୍କ ଅଭ୍ୟନ୍ତରରୁ ନୃତ୍ୟ ଗୀତର ଶବ୍ଦ ଭାସି ଆସୁଛି Ι କେଉଁଠି ଗୃହ ଭିତରୁ ରମଣୀମାନଙ୍କର ହାସ୍ୟଧ୍ୱନି ଓ କୋଳାହଳ ଶୁଭୁଛି Ι
“ଏ ସମସ୍ତ ଦେଖି ଦେଖି ପବନ ନନ୍ଦନ, ଆବର ମଧ୍ୟ ଭୁବନେ କରିଲା ଗମନ Ι

[ବାଲ୍ମୀକି ରାମାୟଣ, ରାମଚରିତମାନସ ଓ କ୍ଷେତ୍ରମୋହନଙ୍କ ରଚନାରୁ ଉଦ୍ଧୃତ]
[କ୍ରମଶଃ]
✿❁❣️༒ ଜୟ ଶ୍ରୀ ରାମ༒ ❣️