କିଏ ସେହି ମନ୍ଦିର କରିଥିଲା ?
( ଲୋକନାଥ ମିଶ୍ର)
ଆମ ମାନଙ୍କ ପାଇଁ ଏହି ପ୍ରଶ୍ନର ଉତ୍ତର ଦେଵା ସହଜ ନୁହେଁ। ଐତିହାସିକ ଓ ପୌରାଣିକ ମତ ଭିନ୍ନ ଭିନ୍ନ ହୋଇ ଥିବାରୁ ଏହି ପ୍ରଶ୍ନଟିର ଯୁକ୍ତିଯୁକ୍ତ ଉତ୍ତର ମିଳିପାରେ ନାହିଁ।
ପୁରାଣ ଓ କିମ୍ବଦନ୍ତୀ କହେ ମାଳବର ରାଜା ଇନ୍ଦ୍ରଦ୍ୟୁମ୍ନ ସର୍ବ ପ୍ରଥମେ ପୁରୁଷୋତ୍ତମ ଜଗନ୍ନାଥଙ୍କ ମନ୍ଦିର ନିର୍ମାଣ କରିଥିଲେ। ଆରମୋନିଆ ଇତିହାସ ଅନୁସାରେ ଦୁତୀୟ ଶତାଦ୍ଦି ର ଆହୁରି ଆଗରୁ ଜଗନାଥ ପୁଜା ପାଉ ଥିଲେ । ରକତ୍ତ ବାହୁ ଅଷ୍ଟମ ଶତାଦ୍ଦି ରେ ପୁରୀ ଲୁନଠନ କରିଥିଲେ । ଜଗନ୍ନାଥ ପାତେଳି ହୋଇ ଥିଲେ । ଶଂକାରାଚାରଯ୍ୟ ନବମ ଶତାଦ୍ଦି ରେ ଜଗନ୍ନାଥ ଂକୁ ପୁରୀ ଆଣିଲେ ପାତେଳିରୁ । ରାମାୟଣ ଯାହା ସତ୍ୟ ଉପରେ ଆଧାରିତ ସେଥିରେ ଜଗନ୍ନାଥ ଂକ ବିଷୟରେ ଲେଖା ଯାଇଛି । କିନ୍ତୁ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ସପକ୍ଷରେ କେହି ଐତିହାସିକ ଗବେଷଣା କରି ନାହାଁନ୍ତି । ମାଳବରେ ଇନ୍ଦ୍ରଦ୍ୟୁମ୍ନ ନାମରେ କୌଣସି ରାଜା ଥିଲେ କି ନାହିଁ ତାହାର ଐତିହାସିକ ତଥ୍ୟ ମିଳେ ନାହିଁ। ଏହି ପୌରାଣିକ ମତ ସପକ୍ଷରେ ପୌରାଣିକ ମତ ବିଶ୍ଵାସୀମାନେ କୁହନ୍ତି ଯେ ଇନ୍ଦ୍ରଦ୍ୟୁମ୍ନ ସତ୍ୟଯୁଗର ରାଜା ହୋଇଥିଵାରୁ ତାଙ୍କ ସମ୍ବନ୍ଧରେ କଳିଯୁଗରେ ତଥ୍ୟ ଉଣ୍ଡିବା ଧୃଷ୍ଟତା ମାତ୍ର। ତେବେ ଐତିହାସିକ କୁହନ୍ତି ଇନ୍ଦ୍ରଦ୍ୟୁମ୍ନ ପ୍ରକୃତରେ ରାଜଶକ୍ତିର ପ୍ରତୀକ ମାତ୍ର। ଐତିହାସିକଙ୍କ ମତରେ ବିଭିନ୍ନ ସମୟ କାଳରେ ନାନା ରାଜବଂଶ ଦ୍ଵାରା ଶ୍ରୀଜଗନ୍ନାଥ ମନ୍ଦିରର ଉତ୍ତରୋତ୍ତର ଉନ୍ନତି ସାଧିତ ହୋଇଥିବାରୁ ସମସ୍ତ ରାଜଶକ୍ତିଙ୍କର ପ୍ରତିନିଧିତ୍ଵ କରିଛନ୍ତି ରାଜା ଇନ୍ଦ୍ରଦ୍ୟୁମ୍ନ।
ଅଦ୍ୟପି ଓଡ଼ିଶାରେ ଗଙ୍ଗ ରାଜବଂଶର ପ୍ରତିଷ୍ଠାତା ରାଜା ଅନନ୍ତବର୍ମନ ଚୋଡ଼ଗଙ୍ଗ ଦେବଙ୍କ ଦ୍ୱାରା ଦ୍ୱାଦଶ ଶତାବ୍ଦୀରେ ବର୍ତ୍ତମାନର ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଣ କରାଯାଇଛି ବୋଲି ବିଶ୍ୱାସ କରା- ଯାଏ। ଏହା ସାଧାରଣ ଭାବେ ସ୍ୱୀକୃତ। ପୁରୀ ଶ୍ରୀଜଗନ୍ନାଥ ମନ୍ଦିର (ଶ୍ରୀମନ୍ଦିର) ଚୋଡ଼ଗଙ୍ଗ ଦେବଙ୍କ ସମୟରେ ନିର୍ମିତ ହୋଇଥିଲା ବୋଲି ବହୁ ବିଶିଷ୍ଟ ଐତିହାସିକ ତଥା ଗବେଷକ ମତ ଦେଇଛନ୍ତି।
କେତେଜଣ ବିଦ୍ୱାନ ମତ ଦିଅନ୍ତି ଯେ ଚୋଡ଼ଗଙ୍ଗଦେବ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଇ ଥିଲେ, କିନ୍ତୁ ଅନଙ୍ଗଭୀମ ଦେବ (୩ୟ) ଙ୍କ ସମୟରେ ତାହାର ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇଥିଲା।
କେଉଁ ଐତିହାସିକ ପୁରୀ ଶ୍ରୀମନ୍ଦିର ନିର୍ମାଣ ସମ୍ବନ୍ଧରେ କ’ଣ କ’ଣ ମତ ଦେଇଛନ୍ତି ତାହା ନିମ୍ନରେ ପ୍ରଦତ୍ତ ହେଲା…
(କ) ଷ୍ଟର୍ଲିିଙ୍ଗ୍ ତାଙ୍କର ଓଡ଼ିଶା ଇତିହାସରେ ଲେଖିଛନ୍ତି ଯେ, ଅନଙ୍ଗଭୀମଦେଵ (୩ୟ) ଖ୍ରୀଷ୍ଟାବ୍ଦ ୧୧୯୬ରେ ମନ୍ଦିର ନିର୍ମାଣ କରାଇଥିଲେ।
(ଖ) ହଣ୍ଟରଙ୍କ ମତରେ ମନ୍ଦିର ନିର୍ମାଣ ଖ୍ରୀଷ୍ଟାବ୍ଦ ୧୧୭୪ ରେ ଆରମ୍ଭ ହୋଇ ୧୧୯୮ରେ ଶେଷ ହେଲା ।
(ଗ) ଆର୍. ଡି.ବାନାର୍ଜିଙ୍କ ମତରେ ଏକାଦଶ ଶତାବ୍ଦୀର ଶେଷ ଭାଗରେ ଚୋଡ଼ଗଙ୍ଗ ଦେବ ମନ୍ଦିର ନିର୍ମାଣ କରାଇଥିଲେ।
(ଘ) ମହାମହୋପାଧ୍ୟାୟ ସଦାଶିବ କାବ୍ୟକଣ୍ଠ ଲେଖିଛନ୍ତି ଯେ, ଖ୍ରୀଷ୍ଟାବ୍ଦ ୧୧୯୬ ରେ ଚୋଡ଼ଗଙ୍ଗଦେବ ମନ୍ଦିର ନିର୍ମାଣ କରାଇଥିଲେ।
(ଙ) ମାଦଳାପାଞ୍ଜିରେ ଉଲ୍ଲେଖ ଅଛି ଯେ ଅନଙ୍ଗଭୀମ ଦେବ ମନ୍ଦିର ନିର୍ମାଣ କରାଇଥିଲେ।
(ଚ) ଇତିହାସ ପ୍ରାଧ୍ୟାପକ କୈଳାସ ଚନ୍ଦ୍ର ଦାସଙ୍କ ମତରେ ଚୋଡ଼ଗଙ୍ଗ ଦେବଙ୍କ ଦ୍ୱାରା ମନ୍ଦିର ନିର୍ମାଣ କରାଯାଇଥିଲା ଓ ସେଥିରେ ବିଗ୍ରହମାନଙ୍କୁ ଖ୍ରୀଷ୍ଟାବ୍ଦ ୧୧୨୪-୨୫ ରେ ସ୍ଥାପନା କରାଯାଇଥିଲା।
(ଛ)ବିଶିଷ୍ଟ ଗଵେଷକ ତଥା ଶିଳାଲେଖବିତ୍ ଡକ୍ଟରର ସତ୍ୟନାରାୟଣ ରାଜଗୁରୁ ତାଙ୍କର “ଶ୍ରୀପୁରୁଷୋତ୍ତମ ଓ ଶ୍ରୀମନ୍ଦିର” ପ୍ରବନ୍ଧରେ ଲେଖିଛନ୍ତି ଯେ ଶ୍ରୀକ୍ଷେତ୍ରର ସମୁଦ୍ରତଟରେ ଏକ ପୁରୁଷୋତ୍ତମ ମନ୍ଦିର ଥିଲା। କୌଣସି କାରଣରୁ ଏହି ମନ୍ଦିର ଭାଙ୍ଗି ପଡ଼ିବାରୁ ଏହାର ଦେବତାଙ୍କୁ ରାଜା ଯଯାତି (୨ୟ)ଙ୍କ ଦ୍ୱାରା ନିର୍ମିତ ଏକ ନୂତନ ମନ୍ଦିରକୁ ସ୍ଥାନାନ୍ତର କରାଯାଇଥିଲା। ଯଯାତି କେଶରୀଙ୍କ ଉକ୍ତ ମନ୍ଦିରଟି ହେଉଛି ବର୍ତ୍ତମାନର ଶ୍ରୀଜଗନ୍ନାଥ ମନ୍ଦିର ଭିତରବେଢ଼ାର ଦକ୍ଷିଣ ପାର୍ଶ୍ୱରେ ଥିବା ନୃସିଂହଦେବଙ୍କ ମନ୍ଦିର। ଏକାଦଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ନିର୍ମିତ ଏହି ବିଷ୍ଣୁ ମନ୍ଦିରରେ ଚତୁର୍ଭୁଜ ବିଶିଷ୍ଟ ଶ୍ରୀପୁରୁଷୋତ୍ତମଙ୍କର ବିଗ୍ରହ ସ୍ଥାପନ କରାଯାଇଥିବା ସମ୍ଭବ। ଏହି ବିଗ୍ରହ ନୀଳ ପ୍ରସ୍ତରରେ ନିର୍ମିତ ହୋଇଥିଲା। ରାଜା ଚୋଡ଼ଗଙ୍ଗଦେବଙ୍କ ଜୀବନକାଳରେ ମନ୍ଦିର ନିର୍ମାଣ ଯଦିଓ ପ୍ରାଥମିକ ସ୍ତରରେ ଶେଷ ହୋଇ ସାରିଥିଲା, ବହୁକାଳ ପର୍ଯ୍ୟନ୍ତ ସେଥିରେ କାରୁକାର୍ଯ୍ୟ ଶେଷ ହୋଇ ପାରି ନଥିଲା। ଖ୍ରୀଷ୍ଟାବ୍ଦ ୧୨୩୦ ରେ ପୁରୀର ଶ୍ରୀଜଗନ୍ନାଥ ମନ୍ଦିର ଓ ସେଥିରେ ପ୍ରତିଷ୍ଠିତ ବିଗ୍ରହମାନଙ୍କୁ ଅନଙ୍ଗଭୀମଦେବ (୩ୟ) ସମ୍ପନ୍ନ କରିଥିଲେ। ଯାଗଯଜ୍ଞରେ ପ୍ରଥମେ ନୃସିଂହଙ୍କ ପ୍ରତିମା ସ୍ଥାପନ କରି ତାଙ୍କରି ପୂଜା ସମ୍ପନ୍ନ କରିବା ବିଧି ଧର୍ମଶାସ୍ତ୍ରରେ ଉଲ୍ଲେଖ ଅଛି। ସେହି ନୃସିଂହଙ୍କ ବିଗ୍ରହକୁ ଯଜ୍ଞ ନୃସିଂହ ନାମରେ ପରିଚିତ କରାଯାଏ।ବୋଧହୁଏ ଶ୍ରୀମନ୍ଦିର ପ୍ରତିଷ୍ଠାପାଇଁ ଯଜ୍ଞ ନୃସିଂହ ପୂଜିତ ହୋଇଥିଲେ; ତାଙ୍କୁ ନୃସିଂହ ମନ୍ଦିରରେ ସ୍ଥାପନ କରାଯାଇ ଥିବାରୁ ସେହି ମନ୍ଦିର ପରବର୍ତ୍ତୀ ୧୩ ଶ ଶତାବ୍ଦୀ ବେଳକୁ ନୃସିଂହଙ୍କ ନାମରେ ପରିଚିତ ହେଲା। ଏଣୁ ମହାରାଜା ଯଯାତିଙ୍କ ରାଜତ୍ୱ କାଳରେ ଏକାଦଶ ଶତାବ୍ଦୀର ଶ୍ରୀପୁରୁଷୋତ୍ତମ ମନ୍ଦିର ତ୍ରୟୋଦଶ ଶତାବ୍ଦୀରେ ଅର୍ଥାତ୍ ପ୍ରାୟ ଦୁଇଶହ ବର୍ଷ ପରେ ”ନୃସିଂହ ମନ୍ଦିର” ରେ ପରିଣତ ହୋଇଥିବା ସୁନିଶ୍ଚିତ।
ପୁନଶ୍ଚ ଡକ୍ଟର ରାଜଗୁରୁ ତାଙ୍କର
“ଶ୍ରୀମନ୍ଦିର ଶିଳ୍ପ କଳାରେ ବୈଷ୍ଣବ ସଂସ୍କୃତି” ପ୍ରବନ୍ଧରେ ଲେଖିଛନ୍ତି, ଚୋଡ଼ଗଙ୍ଗ ଦେବ ବଡ଼ ଦେଉଳ ନିର୍ମାଣ କରାଇବା ପୂର୍ବରୁ ନୃସିଂହ ମନ୍ଦିରରେ ତିନି ମୂର୍ତ୍ତିି ଶ୍ରୀ ପୁରୁଷୋତ୍ତମ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ସ୍ଥାପନ କରିଥିଲେ। କିନ୍ତୁ ପୂର୍ବରୁ ସେହି କ୍ଷୁଦ୍ର ମନ୍ଦିରଟି ଶ୍ରୀପୁରୁଷୋତ୍ତମଙ୍କ ପାଇଁ ଉଦ୍ଦିଷ୍ଟ ଥିଲା। ସେଥିର ଆକାର ପ୍ରକାରରୁ ଏହା ହିଁ ଜଣା ଯାଇଛି। କିନ୍ତୁ କୌଣସି ଅଜ୍ଞାତ କାରଣରୁ ସେହି ମନ୍ଦିର ରେ ପ୍ରତିଷ୍ଠିତ ଶ୍ରୀପୁରୁଷୋତ୍ତମ ବିଗ୍ରହଙ୍କୁ ସ୍ଥାନାନ୍ତର କରାଯାଇଥିଲା। ଅନ୍ତତଃ ୧୧୩୭ ଖ୍ରୀଷ୍ଟାବ୍ଦ ଯାଏ ବଡ଼ଦେଉଳ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ନଥିଲା। ବଡ଼ ଦେଉଳ ନିର୍ମାଣ ନିମନ୍ତେ କର୍ମକାର କୁଳପୁତ୍ର ପଲ୍ଲ ନାମକ ଉତ୍କଳର ଜଣେ ଶିଳ୍ପୀଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇଥିଲା। ଏତେ ବଡ଼ ବ୍ୟୟ ବହୁଳ ମନ୍ଦିର ଚୋଡ଼ଗଙ୍ଗଦେବଙ୍କ ଜୀବନ କାଳରେ ପୂର୍ଣ୍ଣ ହୋଇ ପାରି ନଥିବ ବୋଲି ରାଜଗୁରୁ ସେହି ପ୍ରବନ୍ଧରେ ସନ୍ଦେହ ପ୍ରକାଶ କରିଛନ୍ତି।
(ଜ) ଅନଙ୍ଗଭୀମ ଦେବଙ୍କ ନଗରୀ-ତାମ୍ର ଶାସନରୁ ଜଣାଯାଏ ଯେ, କାଶ୍ୟପ ଗୋତ୍ରୀୟ ବ୍ରାହ୍ମଣ ଚନ୍ଦ୍ରକର ଶର୍ମାଙ୍କୁ ନୂତନ ଶ୍ରୀମନ୍ଦିର ପ୍ରତିଷ୍ଠା କର୍ମରେ ଆଚାର୍ଯ୍ୟ ରୂପେ ବରଣ କରାଯାଇଥିଲା। ଏହି ତଥ୍ୟ ଆଧାରରେ ମଧ୍ୟ କେତେକ ଗବେଷକ ଅନଙ୍ଗଭୀମଦେବ ଶ୍ରୀମନ୍ଦିର ନିର୍ମାଣ କରାଇଛନ୍ତି ବୋଲି ମତ ଦିଅନ୍ତି।
(ଝ) ବିଶିଷ୍ଟ ଐତିହାସିକ ପ୍ରଫେସର ନବୀନ କୁମାର ସାହୁ ତାଙ୍କ “ପୁରୁଷୋତ୍ତମ ଉପାସନା” ପ୍ରବନ୍ଧରେ ଲେଖିଛନ୍ତି, ବର୍ତ୍ତମାନର ନୃସିଂହ ମନ୍ଦିର ହେଉଛି ସମ୍ଭବତଃ ଦ୍ୱିତୀୟ ଯଯାତି ମହାଶିବ ଗୁପ୍ତ (ଖ୍ରୀ. ୧୦୨୩-୧୦୪୦) ନିର୍ମାଣ କରାଯାଇଥିବା ପୁରୁଷୋତ୍ତମ-ନୃସିଂହ ମନ୍ଦିର। ପରବର୍ତ୍ତୀ କାଳରେ ନୃସିଂହ ମନ୍ଦିରର ସଂସ୍କାର ସାଧନ କରା ଯାଇଛି ଏବଂ ତାହାର କେତେକ ଭଗ୍ନାଂଶ ମାର୍କଣ୍ଡେଶ୍ୱର ମନ୍ଦିରର ସଂସ୍କାର ସମୟରେ ବ୍ୟବହାର କରାଯାଇଛି। ପୁରୁଷୋତ୍ତମଙ୍କ ମନ୍ଦିର (ବଡ଼ଦେଉଳ) ଚୋଡ଼ଗଙ୍ଗ ଦେବଙ୍କ ଦ୍ୱାରା ଆଂଶିକ ଭାବେ ନିର୍ମିତ ହୋଇଥିବା ଏବଂ ପରେ ତାହା ଅନଙ୍ଗଭୀମ ଦେବଙ୍କ ଦ୍ୱାରା ପରିସମାପ୍ତ ହେଲା ବୋଲି ଯେଉଁ ଅଭିମତ ପ୍ରକାଶ ପାଏ ତାହା ନିଶ୍ଚିତ ରୂପେ ଭ୍ରମାତ୍ମକ।
(ଞ) ଗବେଷକ ରବି ରାୟ ୧୯୯୩ ଖ୍ରୀଷ୍ଟାବ୍ଦରେ ଚୌଦ୍ୱାର ଅଞ୍ଚଳରୁ ଏକ ତାମ୍ରଲେଖ ଆବିଷ୍କାର କରିଥିଲେ। ଏହି ତାମ୍ରଲେଖ ଚୋଡ଼ଗଙ୍ଗ ଦେବଙ୍କ ପୁତ୍ର କାମାର୍ଣ୍ଣବ ଦେବଙ୍କ ଦ୍ୱାରା ପ୍ରଦତ୍ତ। ଏହାକୁ ଭିତ୍ତି କରି ଗବେଷକ ରବି ରାୟ ଲେଖିଛନ୍ତି ଯେ ବର୍ତ୍ତମାନର ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ନିର୍ମାତା ଚୋଡ଼ଗଙ୍ଗଦେବ ନ ହୋଇ ପାରନ୍ତି। ଚୋଡ଼ଗଙ୍ଗଦେବଙ୍କ ଉତ୍କଳ ବିଜୟର ବହୁ ପୂର୍ବରୁ ଏହି ଶ୍ରୀଜଗନ୍ନାଥ ମନ୍ଦିର ବିଦ୍ୟମାନ ଥିଲା। କିନ୍ତୁ ଐତିହାସିକ କୈଳାସ ଚନ୍ଦ୍ର ଦାଶ ତାମ୍ରଲେଖରେ ପ୍ରଦତ୍ତ ତଥ୍ୟ ଯଥେଷ୍ଟ ନୁହେଁ ଏବଂ ଗ୍ରହଣୀୟ ନୁହେଁ ବୋଲି ଲେଖିଛନ୍ତି।
ଶ୍ରୀମନ୍ଦିରର ଚାରିଟି ଭାଗ ରହିଛି ଯଥା – ବିମାନ, ମୁଖଶାଳା, ନାଟମନ୍ଦିର ଓ ଭୋଗମଣ୍ଡପ ।
ଵିମାନ (ଗର୍ଭଗୃହ) ଓ ମୁଖଶାଳା ହିଁ ଚୋଡ଼ଗଙ୍ଗଦେବ ନିର୍ମାଣ କରାଇଥିଲେ ବୋଲି କେତେକ ଗବେଷକଙ୍କ ମତ ନାଟ ମନ୍ଦିର ଏବେ ସାଧାରଣତଃ ଜଗମୋହନ ନାମରେ ପରିଚିତ। ନାଟ ମନ୍ଦିର (ଜଗମୋହନ) ଓ ଭୋଗମଣ୍ଡପ ଯଥାକ୍ରମେ ରାଜା ପୁରୁଷୋତ୍ତମ ଦେବ (ଖ୍ରୀଷ୍ଟାଦ୍ଦ ୧୪୬୮-୧୪୯୭) ଏବଂ ରାଜା ପ୍ରତାପରୁଦ୍ର ଦେବ (ଖ୍ରୀଷ୍ଟାଦ୍ଦ ୧୪୯୭-୧୫୩୩) ଙ୍କ ସମୟରେ ନିର୍ମାଣ କରାଯାଇଥିବା କଥା କୁହା ଯାଇଛି। କିନ୍ତୁ ‘ମାଦଳା ପାଞ୍ଜି’ ରେ ଉଲ୍ଲେଖ ଅଛି ଯେ,ପୁରୁଷୋତ୍ତମ ଦେବ ତାଙ୍କର ୭ମ ଅଙ୍କରେ ଭୋଗମଣ୍ଡପ ତୋଳାଇଥିଲେ। ସେ ମଧ୍ୟ ନାଟମନ୍ଦିର ନିର୍ମାଣ କରାଇଥିବେ। ଏହି ରାଜା ଶ୍ରୀମନ୍ଦିରର ଭିତର ବେଢ଼ା (କୁରୁମ ବେଢ଼ା) ଗଢ଼ାଇଥିଲେ। ରାଜା କପିଳେନ୍ଦ୍ର ଦେବଙ୍କ ସମୟ (ଖ୍ରୀ ୧୪୩୫-୧୪୬୮)ରେ ୧୫ ଅଙ୍କ ରେ ବାହାର ବେଢ଼ା ଗଢ଼ାଯାଇଥିଲା ବୋଲି ‘ମାଦଳା ପାଞ୍ଜି’ରେ ଉଲ୍ଲେଖ ଅଛି।
ପ୍ରୋକ୍ତ ତଥ୍ୟସବୁ ପାଠ କଲାପରେ ଅଧିକାଂଶ ହୃଦୟଙ୍ଗମ କରିବେ ଯେ ଶ୍ରୀମନ୍ଦିର ନିର୍ମାଣ କାର୍ଯ୍ୟ ଅନେକ ରାଜାଙ୍କ ଦ୍ଵାରା ଉତ୍ତରୋତ୍ତର ହୋଇଥିଲା। କେହି ଜଣେ ରାଜା ସମ୍ପୂର୍ଣ୍ଣ ଶ୍ରୀମନ୍ଦିର ନିର୍ମାଣ କରି ନାହାନ୍ତି । ପ୍ରଥମେ ଇନ୍ଦ୍ ରଦ୍ୟୁମ୍ନ ଶ୍ରୀମନ୍ଦିର ନିର୍ମାଣ କରିଥିଲେ ତାପରେ ଅନ୍ୟ ମାନେ ପୁରାତନ ଯାଗାରେ ନୁତନ ତିଆରି କରି ଥିଲେ ।
ଇନ୍ଦ୍ରଦ୍ୟୁମ୍ନଙ୍କୁ ଶ୍ରୀମନ୍ଦିର ନିର୍ମାତା ଭାବେ ଗ୍ରହଣ କରିବା ପଛରେ ଅନେକ କାରଣ ଅଛି ଯଥା – ଶ୍ରୀମନ୍ଦିର ପୁରାଣ ପ୍ରସିଦ୍ଧ ତଥା ପୁରାତନ ମନ୍ଦିର ।
ଶ୍ରୀମନ୍ଦିର ସତ୍ୟଯୁଗର ।
ଇନ୍ଦ୍ରଦ୍ଯୁମ୍ନଙ୍କ ଶ୍ରୀମନ୍ଦିର ନିର୍ମାଣ ସମ୍ବନ୍ଧୀୟ ପୌରାଣିକ କଥାରେ ମଧ୍ୟ ଏହିକଥା ସୁକ୍ଷ୍ମ ଭାବେ କଥିତ ହୋଇଛି।
ସେହି କଥା ଅନୁସାରେ ଇନ୍ଦ୍ରଦ୍ୟୁମ୍ନ ପୁରୀ ଜଗନ୍ନାଥ ଦେଉଳ ତୋଳାଇ ତାକୁ ପ୍ରତିଷ୍ଠା କରିବା ପାଇଁ ବ୍ରହ୍ମାଙ୍କୁ ଡ଼ାକିବାକୁ ଯାଇଥିଲେ। ଏହି ଅବସ୍ଥାରେ ଅନେକ କାଳ ବିତିଗଲା। ଏଣେ ବାଲି ଉଡ଼ି ଦେଉଳଟି ପୋତି ହୋଇଗଲା।
ପରବର୍ତ୍ତୀ ଜନୈକ ରାଜା ଗାଲମାଧବ ଘୋଡ଼ା ଝପଟାଇ ଯାଉଥିଲା ବେଳେ ଘୋଡ଼ାର ଟାପୁ ଦେଉଳର ନୀଳ ଚକ୍ରାଗ୍ରରେ ବାଜିବାରୁ ସେ ବାଲି ଖୋଳାଇ ଦେଉଳ ରଖିଲେ ଓ ଇନ୍ଦ୍ରଦ୍ଯୁମ୍ନ ଫେରି ଆସିବାରୁ ଗାଲମାଧବ ଏ ଦେଉଳ ତୋଳାଇଥିବା ଦାବି କଲେ। ତେବେ ଇନ୍ଦ୍ରଦ୍ଯୁମ୍ନ ନାମକ ପୋଖରୀରେ ଥିବା କୂର୍ମମାନେ ଇନ୍ଦ୍ରଦ୍ଯୁମ୍ନ ଦେଉଳ ତୋଳାଇ ଥିଲେ ଏହା ପ୍ରମାଣ କରି
ତେବେ ଇନ୍ଦ୍ରଦ୍ୟୁମ୍ନ ହୁଅନ୍ତୁ ଯଯାତି କେଶରୀ ହୁଅନ୍ତୁ ବା ଚୋଡ଼ଗଙ୍ଗ ଦେବ କିମ୍ବା ଅନଙ୍ଗଭୀମ ଦେବ ହୁଅନ୍ତୁ କେହି ବି ପ୍ରକୃତରେ ଶ୍ରୀମନ୍ଦିର ନିର୍ମାଣ କରି ନାହାଁନ୍ତି ସେମାନେ ଶ୍ରୀମନ୍ଦିର ନିର୍ମାଣ କରାଇଛନ୍ତି।
ପ୍ରକୃତରେ ବିଭିନ୍ନ ସମୟକାଳରେ ଶ୍ରୀମନ୍ଦିର ନିର୍ମାଣ କରିଛନ୍ତି ଏ ଦେଶର କରଦାତା ଜନତା ,ଶିଳ୍ପୀ ଓ ଶ୍ରମିକମାନେ ଏବଂ ସେମାନଙ୍କୁ କେବଳ ଏକଜୁଟ କରି ନିର୍ଦ୍ଦେଶ ଓ ଆଦେଶ ମାତ୍ର ଦେଇ କାମ କରାଇଛନ୍ତି ବିଭିନ୍ନ ସମୟର ରାଜପୁରୁଷ ମାନେ। ତେଣୁ ଶ୍ରୀମନ୍ଦିରର ପ୍ରକୃତ ନିର୍ମାତା ଆମେ କାହାକୁ କହିବା ?
କାନ୍ଧରେ ପଥର ବୋହିଥିବା ଶ୍ରମିକ,ପଥର କାଟି ଯୋଡି଼ଥିବା ଶିଳ୍ପୀ ନା ସେମାନଙ୍କୁ ଆଦେଶ ଦେଇ କାର୍ଯ୍ୟ କରାଇଥିବା ରାଜପୁରୁଷ ?
ସାମଗ୍ରିକ ଭାବରେ କୁହା ଯାଇପାରେ ଯେ ଓଡ଼ିଶାବାସୀ ଜନତା ହିଁ ପ୍ରକୃତରେ ଶ୍ରୀମନ୍ଦିରର ନିର୍ମାତା…
