ଚକ୍ରବାକ ଚକ୍ରବାକୀ ସମ୍ବାଦ
ପମ୍ପା ସରୋବର କୂଳେ କୂଳେ ଶ୍ରୀରାମ ଓ ସୌମିତ୍ରୀ ଚାଲିଥାନ୍ତି Ι ଅପୂର୍ବ ପ୍ରାକୃତିକ ସୌନ୍ଦର୍ଯ୍ୟ ମନ ମୋହି ନେଉଥାଏ Ι ବୈଦେହୀଶଙ୍କୁ ବୈଦେହୀଙ୍କର ଅଭାବ ବିବ୍ରତ କଲା Ι ଏତେ ଅନୁପମ ଦୃଶ୍ୟରାଜି ଏବଂ ଏହି ମନ୍ତ୍ରମୁଗ୍ଧ କରି ତୋଲୁଥିଵା ବାତାବରଣରେ ପ୍ରାଣପ୍ରିୟା ପାଶରେ ଥିଲେ, କେତେ ସୁଖରେ ସମୟ ବିତୁଥାନ୍ତା ! ବିଚ୍ଛେଦର ଦୁଃଖରେ ଜାନକୀବଲ୍ଲଭଙ୍କର ଚକ୍ଷୁ କୋଣରେ ଦୁଇ ବୁନ୍ଦା ଅଶ୍ରୁ ଦେଖା ଦେଲା Ι ସରୋବର କୂଳରେ ଚକ୍ରବାକ ଚକ୍ରବାକୀ ଦୁଇଟି ମଧୁର ପ୍ରଣୟରେ ରତ ଥାନ୍ତି Ι ଶ୍ରୀରାମ ଅନ୍ୟମନସ୍କ ଭାବରେ ସେ ଦୁହିଁଙ୍କୁ ପଚାରିଦେଲେ, “ହେ ଚକ୍ରବାକ ଦମ୍ପତ୍ତି, ମୋର ପ୍ରାଣାଧିକା ପତ୍ନୀ ମୈଥିଳୀ ଥିବା ସମୟରେ ଆମେ ଦୁହେଁ ମଧ୍ୟ ତୁମ୍ଭ ପରି ବହୁ ଆନନ୍ଦରେ ଅରଣ୍ୟ ବିହାର କରୁଥିଲୁଁ Ι ଏବେ ତା ବିରହରେ ମୁଁ ଅସହ୍ୟ ଯନ୍ତ୍ରଣା ଭୋଗ କରୁଅଛି Ι ତୁମ୍ଭେମାନେ ଆକାଶରେ ବିଚରଣ କର Ι ତୁମେ ନିଶ୍ଚୟ ମୋ ପତ୍ନୀକୁ ରାବଣ ନେବାର ଦେଖିଥିବ ? ସେ କେଉଁ ଦିଗକୁ ଗଲା, ଦେଖିଛ କି ?” ପକ୍ଷୀ ଓ ପକ୍ଷିଣୀ ଶୃଙ୍ଗାରରେ ଏତେ ମଜ୍ଜି ଯାଇଥିଲେ ଯେ ସେ ଦୁହେଁ ଶ୍ରୀରାମଙ୍କର ପ୍ରଶ୍ନକୁ ଶୁଣିଲେ ନାହିଁ Ι ରାମ ନିଜ ପ୍ରଶ୍ନ ଦୋହରାଇଲେ Ι ବାରମ୍ବାର ପ୍ରଶ୍ନ କଲାରୁ ଚକ୍ରବାକ କ୍ରୋଧାନ୍ୱିତ ହୋଇ ପ୍ରଭୁଙ୍କୁ କଟୁ ଭାଷାରେ ଭର୍ତ୍ସନା କଲା Ι
“ବୋଲୁଁ କୋପି ଚକ୍ରବାକ। ବୋଇଲା ଏମନ୍ତ ବାକ ।
ବେନିନାବେ ଦେଇ ପଦ । ବ୍ୟର୍ଥ ସମ୍ପଦ ଏ ।
ବହୁ ଜଟା ସ୍ତିରୀହିତ । ବୁଡି଼ମରିବା ବିହିତ ।
ବିହଗ ରତି ବିଲୋକ । ବିଲଜ୍ଜ ଲୋକ ତୁ ।”
ଦୁଷ୍ଟ ଚକ୍ରବାକ କହିଲା, ଶିରରେ ଜଟା ଧାରଣ କରି ସନ୍ନ୍ୟାସ ପାଳନ କରୁଛ, ଅଥଚ ‘ସ୍ତ୍ରୀ , ସ୍ତ୍ରୀ’ ହେଉଛ Ι ଏମିତି ଦୁଇ ନାଆରେ ଗୋଡ ଦେବା ଲୋକ ବୁଡି ମରନ୍ତି Ι ତୁମକୁ ଲଜ୍ଜା ନାହିଁ, ଆମକୁ ରତି କ୍ରିୟା ସମୟରେ ପ୍ରଶ୍ନ ପଚାରି ବାଧା ସୃଷ୍ଟି କରୁଛ ? “ରାଜୀବଲୋଚନରେ ଦେଖା ଦେଇଥିବା ଅଶ୍ରୁ ଦୁଇବୁନ୍ଦା ଟପ ଟପ ଖସି ପଡିଲା Ι ଭ୍ରାତାଙ୍କ ବିରହ ବେଦନା ଲକ୍ଷ୍ମଣ ପୂର୍ଣ୍ଣ ଭାବରେ ଅନୁଭବ କରୁଥିଲେ Ι ସାମାନ୍ୟ ପକ୍ଷୀର ଏ ତିରସ୍କାର ଲକ୍ଷ୍ମଣ ସହନ୍ତେ କେମିତି ?
“ବୋଲୁଁ ବୋଇଲେ ତକ୍ଷଣ।ବିଚକ୍ଷଣ ସୁଲକ୍ଷଣ ।
ବିଜ୍ଞ ହେଉଛୁ ଇଚ୍ଛାର । ବିହଗ ଛାର ତୁ ।
ବିଯୋଗରେ ନିଅ କାଳ । ବିହି ଏ ଶାପ ତତ୍କାଳ ।
ବେନି ସୋଦର ବହନେ । ବିଜେ ଗହନେ ସେ ।“
ଲକ୍ଷ୍ମଣ କହିଲେ, “ତୁ ସାମାନ୍ୟ ଏକ ବିହଙ୍ଗମ Ι ତୋ ପକ୍ଷିଣୀ ତୋ ନିକଟରେ ଅଛି ବୋଲି ତୁ ବିଚ୍ଛେଦର ବ୍ୟଥା ବୁଝି ପାରୁନାହୁଁ Ι ଜଗତର ନାଥ ପ୍ରଭୁ ଶ୍ରୀରାମଙ୍କୁ ଏତେ ନିଷ୍ଠୁର ଭାଷା ପ୍ରୟୋଗ କରିବାକୁ ତୁ ସାହସ କଲୁ କେମିତି ? ଯେଉଁ ପ୍ରେମରେ ଉନ୍ମତ୍ତ ହୋଇ ତୁ ଏଭଳି ଅପମାନଜନକ ବ୍ୟବହାର କଲୁ, ଆଜିଠାରୁ ମୁଁ ତୋତେ ସେ ଦୁର୍ଲଭ ପ୍ରେମରୁ ବଞ୍ଚିତ କଲି Ι ୟା ପରେ ତୁମେ ଉଭୟ ଆଉ କେବେ ମଧ୍ୟ ରମଣର ପ୍ରୟାସ କଲେ, ତୁମର ମୂର୍ଦ୍ଧନାପାତ ହେବ Ι” ପକ୍ଷୀ ଦମ୍ପତ୍ତିଙ୍କର ପ୍ରେମ ନିଶା ଅନ୍ତର୍ହିତ ହୋଇଯାଇଥିଲା Ι ଚକ୍ରବାକୀ ତାର ସ୍ୱାମୀକୁ କହିଲା,” ୟାଙ୍କର ରୋଦନ ରତା ସ୍ତ୍ରୀକୁ ରାବଣ ଦକ୍ଷିଣ ଦିଗକୁ ନେଇ ଯାଉଥିବା ଦେଖି ମଧ୍ୟ ତାଙ୍କୁ ନ କହିବା ଆମର ବଡ ଭୁଲ ହେଲା Ι ଚାଲ ତାଙ୍କ ପାଦ ତଳେ ପଡି କ୍ଷମା ମାଗିବା Ι”
“ବିଚାରି ସେ ଗୋଡା଼ଇଲେ । ବିନୟି ରାମେ ହୋଇଲେ ।
ବିଭୋ ଦକ୍ଷିଣ ଗମନ । ବାମ ସୁମନ ହେ ।
ବଦନ ଦଶ ବିଂଶତି । ବାହୁ ତା ଆଗେ ବସତି ।
ବିମାନେ ଶୋକ ଜନିତା । ବରବନିତା ଯେ ।“
“ପ୍ରଭୁ, ଆମେ ଅଧମ ବିହଗ Ι ଆମକୁ କ୍ଷମା କରନ୍ତୁ Ι ଆପଣଙ୍କ ଅଭିଶାପ ଆମର ବଂଶ ଉଚ୍ଛେଦ କରିଦେଵ Ι ଅପରାଧ ମାର୍ଜନା କରନ୍ତୁ Ι ଏଡ଼େ ବଡ ପ୍ରଭୁ ହୋଇ ଆମ ପରି ହୀନ ପକ୍ଷୀ ଦୁଇଟିଙ୍କ ଜୀବନକୁ ହାହାକାରମୟ କରି ଦିଅନ୍ତୁ ନାହିଁ Ι”
“ବିଲୋକ ଏତେ ମାତର । ବିବେକ କର ଚିତ୍ତର ।
ବିହ ଶାପକୁ ସୁଗତି । ବିହୁଁ ଭଗତି ସେ ।
ବାସରେ ମାତର ତର । ବିଭାବରୀରେ ଅନ୍ତର ।
ବେନିକୂଳେ ନଦେ ରହି । ବାଧୁ ବିରହ ଏ ।”
ଚକୁଆ ଚକୋଈଙ୍କର ଗୁହାରୀ ପ୍ରଭୁ ଶୁଣିଲେ Ι ସେ କହିଲେ,” ମୁଁ ଲକ୍ଷ୍ମଣ ଦେଇଥିବା ଅଭିଶାପକୁ ସମ୍ପୂର୍ଣ୍ଣ ନିବାରଣ କରିପାରିବି ନାହିଁ Ι କିଛି ଲାଘବ କରିପାରିବି Ι ତୁମେ ଦୁହେଁ ରାତ୍ରିରେ ନଦୀର ଉଭୟ ପାର୍ଶ୍ବରେ ରହି ବିରହ ବ୍ୟଥା ଭୋଗ କରିବ Ι କିନ୍ତୁ ଦିବସରେ ତୁମର ମିଳନ ହୋଇ ପାରିବ Ι” ପକ୍ଷୀ ପକ୍ଷିଣୀ ଦୁହେଁ ବାହୁଡ଼ିଲେ Ι ଗୋଟିଏ ବୃକ୍ଷ ଶାଖାରେ ବସି ନିଜର କୃତକର୍ମକୁ ନିନ୍ଦା କରୁଛନ୍ତି Ι କେଉଁଠୁ ଗୋଟିଏ ବ୍ୟାଧ ଆସି ଜାଲ ପକାଇ ଦୁହିଁଙ୍କୁ ଧରିନେଲା Ι ପରଦିନ ବିକ୍ରି କରିବା ଅଭିପ୍ରାୟରେ ଉଭୟଙ୍କୁ ଗୋଟିଏ ପଞ୍ଜୁରୀ ଭିତରେ ରଖିଲା Ι ଦିବାବସାନ ହେବାରୁ ପ୍ରାଣ ଯିବା ଭୟରେ ଉଭୟ ପ୍ରଭୁ ଶ୍ରୀରାମଙ୍କୁ ପ୍ରାର୍ଥନା କଲେ,”ପ୍ରଭୁ, ଏବେ ଆମର ପ୍ରାଣ ସଙ୍କଟରେ Ι ଆପଣ ହିଁ ରକ୍ଷା କରିବେ, ନ ହେଲେ ଉପାୟ ନାହିଁ Ι” ଅକସ୍ମାତ୍ ପଞ୍ଜୁରୀ ଭଗ୍ନ ହୋଇ ଖଣ୍ଡ ଖଣ୍ଡ ହୋଇଗଲା Ι ଉଭୟ ମୁକ୍ତ ହୋଇ ରାତ୍ରି ହେବା ପୂର୍ବରୁ ପରସ୍ପରଠାରୁ ଅଲଗା ହୋଇଗଲେ।
[ପଦ୍ୟାଂଶ ବୈଦେହୀଶ ବିଳାସରୁ ଉଦ୍ଧୃତ]


