ଭାଉଜ କୁ ବିବାହ କରିଥିବା ବିଭୀଷଣ !
ରାମାୟଣର ଏକ ବିବଦମାନ ଚରିତ୍ର ! କଣ ଥିଲେ ବିଭୀଷଣ ? ଗୃହଶତ୍ରୁ ? ରାମଭକ୍ତ ? ମହତ୍ତ୍ୱାକାଂକ୍ଷୀ ସ୍ୱାର୍ଥପର ଭ୍ରାତା ? ମନ୍ଦଦରୀ କୁ ମନେ ମନେ ଭଲ ପାଉ ଥିଲେ କି ସିଏ ?
ଆମକୁ ନିରପେକ୍ଷ ଭାବରେ ବିଭୀଷଣଙ୍କର ଚରିତ୍ରକୁ ବିଶ୍ଳେଷଣ କରିବାକୁ ପଡିବ Ι ଆମେ ତାଙ୍କୁ ଲଙ୍କାର କୁଶଳ କାମନା କରୁଥିବା ଏକ ମହାଜ୍ଞାନୀ ନିର୍ଦ୍ଦୋଷ ପ୍ରତାଡ଼ିତ ଭ୍ରାତା ରୂପେ ସମ୍ମାନ ଦେବା ଅଥବା କାଳେ କାଳେ ତାଙ୍କ ଉପରେ ଲଦି ଦିଆଯାଇଥିବା “ଗୃହଶତ୍ରୁ ” ଉପାଧିକୁ ସମର୍ଥନ କରିବା Ι
ବିଷ୍ଣୁଭକ୍ତ ବିଭୀଷଣ ଆରମ୍ଭରୁ ଲଙ୍କାରେ ବାସ କରୁଥିଲେ ହେଁ ଆସୁରୀ ପ୍ରବୃତ୍ତିରୁ ଦୂରେଇ ରହିଥିଲେ Ι ଅନ୍ୟ ରାକ୍ଷସମାନେ ମଦମତ୍ତ ହୋଇ ବିଳାସ ବ୍ୟସନ ଓ ବ୍ୟଭିଚାର ମଧ୍ୟରେ ବୁଡି ରହିଥିବା ସମୟରେ ସେ ସାତ୍ତ୍ଵିକ ଜୀବନ ଯାପନ କରୁଥିଲେ Ι ରାବଣଙ୍କର ଅହଙ୍କାରକୁ ସେ ବାଧ୍ୟ ହୋଇ ସହ୍ୟ କରୁଥିଲେ Ι ଭ୍ରାତୃଭକ୍ତିରେ ସେ କୁମ୍ଭକର୍ଣ୍ଣଙ୍କଠାରୁ କୌଣସି ଗୁଣରେ କମ ନ ଥିଲେ Ι ବେଦ ଓ ଶାସ୍ତ୍ରମାନଙ୍କରେ ତାଙ୍କର ଅଗାଧ ଜ୍ଞାନ ଥିଲା Ι ସେ ଦୂରଦୃଷ୍ଟିସମ୍ପନ୍ନ ଥିଲେ Ι ତାଡକା ସୁବାହୁ ନିଧନରୁ ଆରମ୍ଭ କରି ଶିବଧନୁ ଭଗ୍ନ କରିବା ଓ ଖର ଦୂଷଣ, ତ୍ରିଶିରା ଓ ବାଳିଙ୍କୁ ବଧ କରିବା ଆଦି କୀର୍ତ୍ତିରାଜିରୁ ପ୍ରଭୁ ଶ୍ରୀରାମ ଅବତାରୀ ପୁରୁଷ ବୋଲି ସେ ନିଶ୍ଚିତ ହୋଇ ସାରିଥିଲେ Ι ଯେଉଁମାନେ ତାଙ୍କ ହସ୍ତରେ ମୃତ୍ୟୁ ବରଣ କରିଥିଲେ ସେମାନେ ଅସାମାନ୍ୟ ବୀର ଥିଲେ Ι ତଥାପି ରାବଣ ତାଙ୍କୁ ସାଧାରଣ ମନୁଷ୍ୟ ଭାବି ହେୟ ଜ୍ଞାନ କରିବା ଦେଖି ସେ ଆଶ୍ଚର୍ଯ୍ୟାନ୍ୱିତ ହେଉଥିଲେ Ι ଦଶାନନଙ୍କର ଅହଙ୍କାର ନିକଟରେ ତାଙ୍କର ଅନେକ ଶୁଭାକାଂକ୍ଷୀ ନତମସ୍ତକ ହୋଇଥିବା ବେଳେ ସେ ଏକା ସ୍ୱର ଉତ୍ତୋଳନ କରିଥିଲେ Ι
ସାହସର ସହିତ ସେ କହିଥିଲେ,
“ସୁଲଭାଃ ପୁରୁଷାଃ ରାଜନ୍ ସତତମ୍ ପ୍ରିୟବାଦିନଃ Ι
ଅପ୍ରିୟସ୍ୟ ତୁ ପଥ୍ୟ(ସତ୍ୟ)ସ୍ୟ ବକ୍ତା ଶ୍ରୋତା ଚ ଦୁର୍ଲଭଃ Ι”
ତାଙ୍କର ପରାମର୍ଶ ରାବଣଙ୍କର ସଦ୍ ବୁଦ୍ଧି ନୁହେଁ, କ୍ରୋଧ ଜାଗ୍ରତ କରୁଥିଲା Ι କିନ୍ତୁ ସେ ପରିଣାମକୁ ଭୟ ନ କରି ଲଙ୍କା ଓ ଲଙ୍କପତିଙ୍କର ମଙ୍ଗଳ ପାଇଁ ଶେଷ ଚେଷ୍ଟା କରୁଥିଲେ Ι ସେ କହିଲେ,
” ତାତ ରାମ ନହିଁ ନର ଭୂପାଲା, ଭୁବନେଶ୍ୱର କାଲହୁ କର କାଲା Ι
ଜନ ରଞ୍ଜନ ଭଞ୍ଜନ ଖଲ ବ୍ରାତା, ବେଦ ଧର୍ମ ରଚ୍ଛକ ସୁନୁ ଭ୍ରାତା Ι
ତାହୀ ବୟରୁ ତଜି ନାଇଅ ମାଥା, ପ୍ରନତାରତି ଭଞ୍ଜନ ରଘୁନାଥା Ι
ଦେହୁ ନାଥ ପ୍ରଭୁ କହୁଁ ବୈଦେହୀ, ଭଜଉ ରାମ ବିନୁ ହେତୁ ସନେହୀ Ι
ବାର ବାର ପଦ ଲାଗଉଁ, ବିନୟ କରଉଁ ଦଶଶୀଶ,
ପରିହରି ମାନ ମୋହ ମଦ ଭଜହୁ କୋଶଲାଧୀଶ Ι”
ବହୁ ପ୍ରକାର ବୁଝାଇବାକୁ ଚେଷ୍ଟା କରିଥିଲେ ବିଭୀଷଣ Ι ବୟୋବୃଦ୍ଧ ମାଲ୍ୟବନ୍ତ ମଧ୍ୟ ବିଭୀଷଣଙ୍କୁ ‘ନୀତି ବିଭୂଷଣ’ କହି ତାଙ୍କୁ ସମର୍ଥନ କଲେ Ι ସେ କହିଲେ,” ବିଭୀଷଣ ଠିକ କହୁଛି ବତ୍ସ, ତା କଥାକୁ ଗୁରୁତ୍ୱର ସହ ବିଚାର କର Ι ଦଶାନନ ଚିତ୍କାର କରି ଆଦେଶ ଦେଲେ, “କିଏ ଅଛରେ, ଏ ଦୁହିଁଙ୍କୁ ଏଠାରୁ ଧକ୍କା ଦେଇ ବାହାର କର Ι ଏ ଦୁହେଁ ଏ ସଭାରେ ରହିବାର ଯୋଗ୍ୟ ନୁହନ୍ତି Ι ଅତିକ୍ରାନ୍ତ ବୟସରେ ମାଲ୍ୟବାନ ଏ ଅପମାନ ସହିବା ଅବସ୍ଥାରେ ନ ଥିଲେ Ι ସେ ଶୀଘ୍ର ପ୍ରସ୍ଥାନ କଲେ Ι କିନ୍ତୁ ବିଭୀଷଣ ତଥାପି ଦଶଗ୍ରୀବଙ୍କୁ ବୁଝାଇ ସୁପଥକୁ ଆଣିବା ଚେଷ୍ଟାରେ କରଯୋଡ଼ି ବିନୀତ ମୁଦ୍ରାରେ କହିଲେ, ” ସୁମତି ଓ କୁମତି ସମସ୍ତଙ୍କ ହୃଦୟରେ ବାସ କରନ୍ତି ଭ୍ରାତା Ι କୁମତି ବିପଦକୁ ଓ ସୁମତି ସମ୍ପଦକୁ ଆମନ୍ତ୍ରଣ କରେ Ι ମୁଁ ଆପଣଙ୍କ ସ୍ନେହର ପାତ୍ର , ଆଦରର ଅନୁଜ, ପାଦ ଧରି ବିନତି କରୁଛି,
ତାତ ଚରଣ ଧରି ମାଗଓଁ ରାଖଉ ମୋର ଦୁଲାର, ସୀତା ଦେହୁ ରାମ କହୁଁ ଅହିତ ନ ହୋଇ ତୁହ୍ମାର.”
ବିଭୀଷଣଙ୍କର ଉପଦେଶ ଶୁଣି ଶୁଣି ରାବଣଙ୍କର ଧୈର୍ଯ୍ୟ ତୁଟିଯାଇଥିଲା Ι ସେ କହିଲେ, “ଯଥେଷ୍ଟ କହିଲୁଣି ମୂର୍ଖ Ι ଏବେ ତୋର ମୃତ୍ୟୁ ଅନିବାର୍ଯ୍ୟ Ι ବହୁତ ସହିଲିଣି Ι ଆଉ ନୁହେଁ Ι ମୁଁ ଏବେ ବୁଝିପାରୁଛି, ଲଙ୍କାରେ ଯଦି ମୋର କେହି ଶତ୍ରୁ ଥାଏ, ସେ ହେଉଛୁ ତୁ Ι ମୋ ନିକଟରେ ତୋର ରାଜଦ୍ରୋହର ବହୁଧା ପ୍ରମାଣ ଅଛି Ι ଆରେ ଦୁଷ୍ଟ , ତୁ ହିଁ ସେ ବାନରକୁ ସୀତା ରହିବା ସ୍ଥାନକୁ ମାର୍ଗ ପ୍ରଦର୍ଶନ କରିଥିଲୁ Ι ମୁଁ ସେ କପିକୁ ମୃତ୍ୟୁଦଣ୍ଡ ଦେଇଥିଲି Ι ତୁ ତାକୁ ବଞ୍ଚାଇବାରୁ ସେ ଯେ କେବଳ ଲଙ୍କା ଦହନ କଲା ତାହା ନୁହେଁ, ସେ ସୀତାର ସନ୍ଧାନ ସେ ଜଟାଧାରୀକୁ ଜଣାଇଲା Ι ମୋ ଲଙ୍କାରେ ରହି ମୋରି ଅନ୍ନରେ ପ୍ରତିପାଳିତ ହୋଇ ତୁ ସର୍ବଦା ଶତ୍ରୁର ଗୁଣଗାନ କରିବାରେ ଲାଗିଛୁ Ι ମୋତେ ମରାଇ ଲଙ୍କାର ରାଜା ହେବା ସ୍ୱପ୍ନ ଦେଖୁଛୁ, ନୁହେଁ ? ଆଉ ତୋତେ ସଙ୍ଗରେ ରଖିବା ସମ୍ଭବ ନୁହେଁ Ι “ ବସେତ୍ ସହ ସପତ୍ନେନ କୃଦ୍ଧେନାଶିବିଷେନ ଚ,
ନ ତୁ ମିତ୍ର ପ୍ରବାଦେନ ସମ୍ବସେତ୍ ଶତୃଣା ସହ Ι
ବରଂ ଶତ୍ରୁ ସହ, ଉତ୍ଫଣ ସର୍ପ ସହ ବାସ କରିବ, କିନ୍ତୁ ତୋ ପରି ମିତ୍ର ନାମଧାରୀ ଶତୃସହ ଏକତ୍ର ରହିବା ଉଚିତ ନୁହେଁ Ι
“ବିଦ୍ୟତେ ଗୋଷୁ ସମ୍ପନ୍ନମ୍ ବିଦ୍ୟତେ ବ୍ରାହ୍ମଣେ ତପମ୍
ବିଦ୍ୟତେ ସ୍ତ୍ରିଷୁ ଚାପଲ୍ୟମ୍ ବିଦ୍ୟତେ ଜ୍ଞାନିତୋ ଭୟମ୍ Ι”
ଗାଭୀମାନଙ୍କଠାରେ ସମ୍ପଦ, ବ୍ରାହ୍ମଣଙ୍କଠାରେ ତପସ୍ୟା ତଥା ସ୍ତ୍ରୀମାନଙ୍କ ନିକଟରେ ଚପଳତା ଥାଏ Ι ସେହି ପରି ଆତ୍ମୀୟ, ବିଶେଷତଃ ତୋ ପରି ଅକୃତଜ୍ଞ ଭ୍ରାତାଠାରୁ କେବଳ ଅନିଷ୍ଟର ହିଁ ଆଶଂକା କରାଯାଇପାରେ Ι ସଂସାରରେ ଭାଇଠାରୁ ବଳୀ ଶତ୍ରୁ ନାହିଁ ବୋଲି ଶୁଣିଥିଲି Ι ତୁ ଆଜି ତାହା ପ୍ରମାଣ କରିଦେଇଛୁ Ι ଭୀରୁ, କାପୁରୁଷ, ମୋତେ ଯୁଦ୍ଧ ଜୟ କରିବାର ମନ୍ତ୍ରଣା ନ ଦେଇ ଭୟ ଦେଖାଇ ଦୁର୍ବଳ କରିଦେବାକୁ ଚାହୁଁଛୁ ?
ଆରେ ପାପିଷ୍ଠ, ତୁ କଣ ବିଂଶବାହୁର ପରାକ୍ରମ ଜାଣିନାହୁଁ Ι ମୋତେ ବାରମ୍ବାର ସେ ବନବାସୀ ମନୁଷ୍ୟ ଦୁଇଟାଙ୍କ ବୀରତ୍ୱର କାହାଣୀ ଶୁଣାଉଛୁ ! ଆଜିଠାରୁ ମୁଁ ତୋତେ ନିର୍ବାସନ ଦଣ୍ଡ ଦେଲି Ι ୟା ପରେ ଯଦି କେବେ ମୁଁ ତୋତେ ଲଙ୍କାରେ ଦେଖିବାକୁ ପାଏଁ, ତେବେ ତୋର ମୃତ୍ୟୁ ସୁନିଶ୍ଚିତ Ι ଦୂର ହୋଇଯା ମୋ ସମ୍ମୁଖରୁ !”
“ଅସ କହି କୀହ୍ନେସି ଚରଣ ପ୍ରହାରେ, ଅନୁଜ ଗହେ ପଦ ବାର ହିଁ ବାରା Ι”
ରାବଣଙ୍କର ପଦାଘାତରେ ବିଭୀଷଣ ଦୟନୀୟ ଅବସ୍ଥାରେ ଭୂପତିତ ହେଲେ Ι ତାଙ୍କର ଶିରୋଭୂଷା ଭୂଲୁଣ୍ଠିତ ହେଲା Ι କେତେଜଣ ଦୁଷ୍ଟ ରାକ୍ଷସ ତାଙ୍କର ଏ ଅପମାନକୁ ଉଚ୍ଚହାସ୍ୟ ଦ୍ୱାରା ସମର୍ଥନ କଲେ Ι ସେହି ତାତ୍ସଲ୍ୟ ଭରା ହାସ୍ୟରୋଳ ମଧ୍ୟରେ ବିଭୀଷଣ ଉଠିଲେ Ι କହିଲେ,” ଆପଣ ପିତୃତୁଲ୍ୟ Ι ମୋତେ ମାରିଲେ ମାରନ୍ତୁ Ι ଆପଣଙ୍କ ନିର୍ଦ୍ଦେଶିତ ଏହି ଦଣ୍ଡ ମୁଁ ସ୍ୱୀକାର କରୁଛି Ι କିନ୍ତୁ ଏବେ ବି ମୁଁ କହୁଛି, “ଲଙ୍କାର ଏବଂ ଆପଣଙ୍କର ମଙ୍ଗଳ ପାଇଁ କହିଯାଉଛି ଭ୍ରାତା,
“ରାମୁ ଭଜେ ନାଥ ହିତ ତୁହ୍ମାରା,
ରାମୁ ଭଜେ ନାଥ ହିତ ତୁହ୍ମାରା Ι”
ଲଙ୍କାରୁ ନିର୍ବାସନ ଦଣ୍ଡ ପ୍ରାପ୍ତ ହୋଇ ବିଭୀଷଣ ମାଲ୍ୟବାନ ସମେତ କେତେଜଣ ହିତୈଷୀଙ୍କ ପରାମର୍ଶ ଲୋଡିଥିଲେ Ι ସେମାନେ ମଧ୍ୟ ଲଙ୍କାର ସାଧାରଣ ଅସୁର ଜନତାଙ୍କୁ ମୃତ୍ୟୁମୁଖରୁ ରକ୍ଷା କରିବାକୁ ହେଲେ ରାମଙ୍କର ଶରଣାପନ୍ନ ହେବା ଉଚିତ ହେବ ବୋଲି ପରାମର୍ଶ ଦେଲେ Ι
ଏବେ ଆମେ ବିଚାର କରିବା ଯେ ବିଭୀଷଣଙ୍କ ପାଇଁ ବିକଳ୍ପ କଣ ଥିଲା ? ସେ ଜାଣିସାରିଥିଲେ ଯେ ରାବଣ ସବଂଶ ନିହତ ହେବାପାଇଁ ପ୍ରତିଜ୍ଞାବଦ୍ଧ Ι କେତେଜଣ ଅତ୍ୟାଚାରୀ ରାକ୍ଷସଙ୍କ ପାଇଁ ସମଗ୍ର ଲଙ୍କା ଧ୍ୱଂସ ନ ହେଉ, ସେଥିପାଇଁ ଶ୍ରୀରାମଙ୍କୁ ତୁଷ୍ଟ କରିବା ଆବଶ୍ୟକ ଥିଲା Ι ଲଙ୍କାକୁ ଯଦି ଆମେ ତାଙ୍କର ଗୃହ ବୋଲି ଧରିନେଉଁ, ତେବେ ସେ ଗୃହଶତ୍ରୁ ହେଲେ କିପରି ? ବିଭୀଷଣ ଶ୍ରୀରାମଙ୍କ ଶିବିରରେ ଯୋଗ ଦେଇ ନ ଥିଲେ ମଧ୍ୟ ରାବଣ ନିଧନ ଓ ଲଙ୍କା ବିଜୟ ଅବଧାରିତ ଥିଲା Ι ଏବେ ବି କଣ ସେ ଶ୍ରୀରାମଙ୍କ ପକ୍ଷରେ ଯୋଗ ଦେଲେ ବୋଲି ତାଙ୍କୁ ଆମେ ଗୃହ ଶତ୍ରୁ ବୋଲି କହିପାରିବା ?
ତଥାପି ସେ ନିଜର ସୁନ୍ଦରି ବିଧବା ବୟସ୍କ ଭାଉଜ କୁ ବିବାହ କରିବାର ଉଚିତ ଥିଲା ଏଇଥି ପାଇଁ ଯେ ସମାଜରେ ବିଧବା ମାନକୁଂ ସମ୍ମାନ ଦେବା ବିଧ୍ଧେୟ ।
ଜୟ ଶ୍ରୀରାମ ।

