ମୁକ୍ତିମଣ୍ଡପ ଶାସନକାଶି ଜଗନ୍ନାଥ ପୁର।
ଲୋକନାଥ ମିଶ୍ର ॥
ପୁରୀ ଠାରୁ ସାତପଡ଼ା, ଜାତୀୟ ରାଜପଥ ରେ ପ୍ରାୟ ୫ କି.ମି. ଗଲେ ବାମ ପଟେ ଏହି ଶାସନ ଗାଁ ଟି ପଡ଼େ। ଚିହ୍ନା ବ୍ରାହ୍ମଣ ର ପଇତା ଦରକାର ନ ଥିଲା ପରି ଏହି ଗାଁ କୁ ଯିବାପାଇଁ ରାଜପଥ ଠାରୁ କୋୖଣସି ଫଳକ ନାହିଁ।
ଏହି ଗାଁ ଟି ପୂର୍ବ-ପଶ୍ଚିମାଭିମୁଖୀ ଓ ଗୃହ ଗୁଡିକ ଉତ୍ତର-ଦକ୍ଷିଣାଭିମୁଖୀ। ଲମ୍ବା ରାସ୍ତା, ଦୁଇପଟେ ଧାଡ଼ି ଧାଡ଼ି ଘର ଓ ନଡ଼ିଆ ଗଛ ଏହି ଶାସନ ଗାଁ ର ରୂପରେଖ ଦର୍ଶାଇଦିଏ। କାଶି ରୁ ବ୍ରାହ୍ମଣ ଆଣି ଏହି ଶାସନ ରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ୧ ମ ରଖି ଥିବାରୁ ଗାଁ ର ନାମ କାଶି ଜଗନ୍ନାଥ ପୁର।
ଏହି ଗ୍ରାମରେ ଯଜୁର୍ବେଦୀୟ ଓ ଅର୍ଥବ ବ୍ରାହ୍ମଣ ବସବାସ କରନ୍ତି। ଏମାନେ ପ୍ରାୟ ଭରଦ୍ୱାଜ,ଆତ୍ରେୟ, କାଶ୍ୟପ, କୌତ୍ସସ ଗୋତ୍ରୀୟ ଅଟନ୍ତି। ଏମାନଙ୍କୁ ମହାପ୍ରଭୁଙ୍କ ବିଭନ୍ନ ପର୍ବ ପର୍ବାଣୀ ରେ ଗଜପତି ବରଣ କରନ୍ତି।
ଏହି ଗାଁ ର ଅଧିଷ୍ଠାତ୍ରୀ ଦେବୀ ହେଲେ ମା ଦୁର୍ଗା। ତା’ଛଡା ଗୋପୀନାଥ ଦେବ, ଶ୍ରୀ ମୁରଲୀଧର, ଓ ବିଶ୍ଵଶ୍ଵର ମହାଦେବ ପୂଜା ପାଉଛନ୍ତି। ଅନ୍ୟାନ୍ୟ ବ୍ରାହ୍ମଣ ଶାସନ ଗାଁ ପରି ଏଠାରେ ମଧ୍ୟ ଦୋଳ ପୂର୍ଣ୍ଣିମା, ଶୀତଳଷଷ୍ଠୀ,ଗହ୍ମାପର୍ବ, ଦୁର୍ଗା ପୂଜା, ଜନ୍ମାଷ୍ଟମୀ ଧୁମଧାମରେ ପାଳନ କରାଯାଏ।
ଗାଁ ଆରମ୍ଭ ରୁ ଏକ ବଡ ପୁଷ୍କରିଣୀ ଓ ଗାଁ ର ଶେଷ ଆଡକୁ ମଧ ଗୋଟିଏ ପୋଖରୀ ରହିଛି।
ଗାଁରେ ସମସ୍ତେ ଉଚ୍ଚ ଶିକ୍ଷିତ ଓ ଆଧୁନିକ ହେଲେ ମଧ୍ୟ ଗାଁ ଭିତରକୁ ପଶିଲେ ବ୍ରାହ୍ମଣ ଶାସନ ଗାଁ ର ପାରମ୍ପରିକ ଛାପ ବାରିହୋଇ ପଡେ। ଯିଏ ଯେଉଁଠି ଥିଲେ ମଧ୍ୟ ଏବେ ବି ଗାଁ ର ମୁଖ୍ୟ ପର୍ବ ପର୍ବାଣୀ ରେ ସାମିଲ ହେବାକୁ ପହଞ୍ଚି ଯାଆନ୍ତି। ଗାଁ ରୁ ଅନେକ ବର୍ତମାନ ବିଦେଶରେ ରହୁଛନ୍ତି। ଗାଁର କିଛି ଦୂରରେ ଭାର୍ଗବୀ ନଦୀର ଏକ ଉପନଦୀ ପ୍ରବାହିତ ହେଉଛି। ଜଗନ୍ନାଥ ମନ୍ଦିରରେ ଯେତେବେଳେ ଯବନ ଆକ୍ରମଣ କରୁଥିଲେ ବହୁତ ଥର ଏହି ନଦୀ ବାଟ ଦେଇ ଜଗନ୍ନାଥଙ୍କୁ ଡଙ୍ଗା ରେ ନେଇ ସେବକମାନେ ଚିଲିକା ହ୍ରଦ ର ମଝିରେ ଥିବା ଟାପୁ ରେ ଲୁଚାଇ ରଖୁଥିଲେ। ଏହି ଗାଁ କୁ ୧୯୭୮ ମସିହା ପର୍ଯ୍ୟନ୍ତ ରାସ୍ତା ନଥିଲା। ତେଣୁ ସ୍ବାଧୀନତା ସଂଗ୍ରାମୀ ମାନେ ବହୁତ ଥର ଇଙ୍ଗେରଜ୍ ପୋଲିସ ଆଖି ରେ ଚକମା ଦେଇ ଏହି ଗାଁ ରେ ଲୁଚି ରହିଥିଲେ। ନିମକ ହାରାମି ଜାଗିରଦାର ଏହି ଗାଁ ଦେଇ ବ୍ରିଟିଶ ଶାସକ ଙ୍କୁ ନେଇ ବକ୍ସି ଜଗବନ୍ଧୁ ବିଦ୍ୟାଧର ଙ୍କୁ ଧରାଇ ଥିଲା ବୋଲି ଇତିହାସ କହେ। ସିମା ଆନ୍ଦୋଳନ ସମୟରେ ପୁରୀ ର ଗୁଣ୍ଡା ମାନେ ପୋଷ୍ଟ ଅଫିସରେ ଓ ବ୍ୟାଙ୍କ ରେ ନିଆଁ ଲଗାଇ ଏହି ଗାଆଁଟି ରେ ଆସି ଲୁଚି ଥିଲେ। ୧୯୬୭ ଛାତ୍ର ଆନ୍ଦୋଳନ ସମୟରେ ମଧ୍ୟ ଅନେକ ଛାତ୍ରଛାତ୍ରୀ ଏହି ଗାଆଁଟି ରେ ଆସି ଲୁଚି ଥିଲେ। ଗାଁ କୁ ରାସ୍ତା ନଥିବାରୁ ଏଠାରେ ଲୁଚି ରହିବା ପାଇଁ ସୁବିଧା ହୂଏ। ଗାଁ ପାଖରେ ଥିବା ଫକୀର ପାଟଣା ଠାରେ ପୁରୀ ଜିଲ୍ଲାର ସବୁଠାରୁ ବଡ଼ ସୁଖୁଆ ହାଟ ହେଉଥିଲା ମାତ୍ର ଏବେ ବଂଦ ହୋଇ ଯାଇଛି।
