ଶାବରୀ -୨
କବନ୍ଧ ସ୍ଵର୍ଗପୁରକୁ ଯିବା ପୂର୍ବରୁ ପମ୍ପା ସରୋବରକୁ ପଥ, ପମ୍ପା ସର ଓ ତାର ଚତୁର୍ପାର୍ଶ୍ୱରେ ଥିବା ଅରଣ୍ୟାନୀର ସୌନ୍ଦର୍ଯ୍ୟ, ଦିବଂଗତ ଋଷି ମାତଙ୍ଗଙ୍କ ଆଶ୍ରମ ଓ ସେ ଆଶ୍ରମରେ ଦୀର୍ଘକାଳ ଅପେକ୍ଷାରତା ଏକ ତପସ୍ୱିନୀ ବିଷୟରେ ସବିଶେଷ ତଥ୍ୟ ଦେଇ ଯାଇଥିଲେ Ι ପ୍ରକୃତରେ ତାଙ୍କର ବର୍ଣ୍ଣନା ଅନୁରୂପ ପ୍ରାକୃତିକ ଶୋଭାର ଭଣ୍ଡାର ଥିଲା ପମ୍ପା ସରୋବର Ι
ସେହି ଜଳାଶୟରେ ନାନା ବର୍ଣ୍ଣର କମଳ ବିକଶିତ ହୋଇଥିଲେ Ι ହଂସ, ସାରସ ଆଦି ପକ୍ଷୀମାନେ ଜଳ କ୍ରୀଡା କରୁଥିଲେ Ι ଭିନ୍ନ ଭିନ୍ନ ଜାତିର ମତ୍ସ୍ୟ ତାର ନିର୍ମଳ ଜଳରେ ସନ୍ତରଣ କରୁଥାନ୍ତି Ι
“ବିକଶେ ସରସିଜ ନାନା ରଙ୍ଗା, ମଧୁର ମୁଖର ଗୁଞ୍ଜତ ବହୁ ଭୃଙ୍ଗା Ι
ବୋଲତ ଜଳ କୁକ୍କୁଟ କଳହଂସା, ପ୍ରଭୁ ଵିଲୋକି ଜନୁ କରତ ପ୍ରଶଂସା Ι
ଚକ୍ରବାକ, ବକ, ଖଗ ସମୂଦାଇ, ଦେଖତ ବନଇ ବରଣି ନହିଁ ଯାଇ Ι
ଚମ୍ପକ ବକୁଳ, କଦମ୍ବ ତମାଳା, ପାଟଳ, ପଣସ, ପରାଶ, ରସାଳା Ι
ଶୀତଳ ମନ୍ଦ ସୁଗନ୍ଧ ସୁଭାଉ, ସନ୍ତତ ବହଇ ମନୋହର ବାଉ Ι
କୁହୁ କୁହୁ କୋକିଳ ଧୁନି କରଇ, ଶୁଣି ରବ ସରସ ଧ୍ୟାନ ମୁନି ଟରହି Ι[ରାମଚରିତ ମାନସ]
ତୀରବର୍ତ୍ତୀ ଅରଣ୍ୟରେ ପତ୍ର, ପୁଷ୍ପ, ଫଳ ମଣ୍ଡିତ ବୃକ୍ଷରାଜି ସୌର ତାପକୁ ଅବରୋଧ କରୁଥାନ୍ତି Ι ଘନ ଶୀତଳ ବୃକ୍ଷ ଛାୟା, ନାନା ଜାତି ପୁଷ୍ପର ସୁଗନ୍ଧ, ହିଂସା ପରିହାର କରି ଏକତ୍ର ବିଚରଣ କରୁଥିବା ବଣ୍ୟ ପଶୁମାନଙ୍କ ସନ୍ଦର୍ଶନରେ ତଥା ବହୁବିଧ ବିହଙ୍ଗଙ୍କର କାକଳି ଶ୍ରବଣ କରି ଭ୍ରାତା ଦ୍ୱୟ କ୍ଷଣକ ପାଇଁ ଅପହୃତା ସୀତାଙ୍କର ବିଚ୍ଛେଦ ଜନିତ ଦୁଃଖ ବିସ୍ମୃତ ହୋଇଗଲେ Ι ସେଠାରେ କିଛି ସମୟ ବିଶ୍ରାମ ପରେ ଦୁହେଁ ପମ୍ପା ସରୋବରର ପଶ୍ଚିମ ତୀର ଦେଇ ମାତଙ୍ଗ ଋଷିଙ୍କ ଆଶ୍ରମକୁ ଗମନ କଲେ Ι
ଶବରୀ ମାତା ସେଦିନ ଅନ୍ୟମନସ୍କ ରହୁଥାନ୍ତି Ι ସେ ଭାବୁଥାନ୍ତି, ‘ଯଦି ଆସିଗଲେ ? କଣ କରିବି ? ବାଟକୁ ଯାଇ ପାଛୋଟି ଆଣିବି ? ନା, ନା, ସେ ମୋର ଏହି ବୁଢ଼ୀ ଶବରୁଣୀ ରୂପ ଦେଖି ଡରି ପଳାଇବେ Ι ମୁଁ କୁଟୀର ଭିତରେ ଲୁଚିଯିବି Ι ସେ ଆସିବେ ବୋଲି ଗୁରୁ କହିଛନ୍ତି Ι ସେ ବଳେ ଆସି ମୋତେ ଖୋଜିବେ ନାହିଁ କି ? ପାଣି ଢାଳଟା ଆଉ ଥରେ ମାଜି ସଫା କରିଦିଏଁ Ι ଏ ବସ୍ତ୍ର ମଳିନ ଦେଖାଯାଉଛି Ι ପ୍ରଭୁଙ୍କ ଚରଣ ପୋଛିବି କେଉଁଥିରେ ? ଆରେ, ମୁଁ ଆଜି ସ୍ନାନ କରିଛି ନା ନାହିଁ ? ହଁ, ହଁ, ଏ ପାଲଟା ବସ୍ତ୍ରଟା କୁଟୀର ସମ୍ମୁଖରେ ଶୁଖୁଛି Ι ଛି, ଛି, ସେ ଦେଖିଥିଲେ କଣ ହୋଇଥାନ୍ତା ! ୟାକୁ ପଛ ପଟେ ଶୁଖାଇ ଦିଏଁ Ι ଖାଇବା ପାଇଁ କଣ ଦେବି ? ଖାଲି ଏଇ ବର କୋଳି ଦିଟା ! ନା, ମୋତେ ଆଉ କିଛି ଫଳ ସଂଗ୍ରହ କରିବାକୁ ହେବ Ι ବାଡିରେ ସୁନ୍ଦରୀ ଆମ୍ବ କେତୋଟି ପାଚିଥିଲା Ι ବହୁ କଷ୍ଟରେ ସେଥିରୁ ଦୁଇଟି ତୋଳି ଆଣି ରଖିଲେ Ι ପାଖ ପାଖରେ ମିଳୁଥିବା କିଛି ଫଳ ଓ କନ୍ଦମୂଳ ସଂଗହ କରି ଆଣି ରଖିଲେ Ι ଦୃଷ୍ଟି ଥାଏ ଆଶ୍ରମ ଦ୍ୱାରକୁ Ι ଶବରୀ କୁଟୀର ବାହାରକୁ ବାହାରୁଛନ୍ତି Ι ଦେଖିଲେ, ଶ୍ୟାମ ଗୌର ବର୍ଣ୍ଣର ଦୁଇଜଣ ସୁନ୍ଦର ଯୁବକ ତାଙ୍କ ଆଶ୍ରମ ଆଡକୁ ଆସୁଛନ୍ତି Ι “ଆସିଗଲେ Ι ପ୍ରଭୁ ମୋର ଆସିଗଲେ Ι ରାମ ଲକ୍ଷ୍ମଣ ଆସିଗଲେ Ι ଏତେ ଦିନେ ଗୁରୁଙ୍କ ବଚନ ଫଳିଲା Ι ଧନ୍ୟ ହେଲି, ଧନ୍ୟ ହେଲି Ι ପ୍ରଭୁ, ତରିଗଲି, ତରିଗଲି Ι” ମାତା ଶବରୀଙ୍କର ବୃଦ୍ଧା ଅସ୍ୱଚ୍ଛ ଚକ୍ଷୁରେ ନବୀନ ଜ୍ୟୋତି ବିକଶିତ ହେଲା Ι ସେ ଦେଖିଲେ,
“ସରସିଜ ଲୋଚନ ବାହୁ ବିଶାଲା I ଜଟାମୁକୁଟ ଶିରଉର ବନମାଲା Ι
ଶ୍ୟାମ ଗୌର ସୁନ୍ଦର ଦୋଉ ଭାଇ, ସବରୀ ପଡ଼ି ଚରନ ଲପଟାଇ Ι
“ଗୁରୁ ଏମିତି ରୂପରେ ମିଳିବେ ବୋଲି କହିଥିଲେ, ଇଏ ସେହି Ι” ଶବରୀଙ୍କର ଗୋଟାଏ ଜନ୍ମର ପ୍ରତୀକ୍ଷାର ଅନ୍ତ ଘଟିଲା Ι ତାଙ୍କର ଆରାଧ୍ୟ ଦେବତା ତାଙ୍କ ସମ୍ମୁଖରେ ବିଦ୍ୟମାନ ଥିଲେ Ι ଅନେକ ପ୍ରକାର ସେବା କରିବେ ବୋଲି ଭାବିଥିଲେ Ι ତାଙ୍କୁ ଅକସ୍ମାତ୍ ସମ୍ମୁଖରେ ପାଇଁ ସେ କିଂକର୍ତ୍ତବ୍ୟବିମୂଢ଼ ହୋଇଗଲେ Ι ଦର୍ଶନ ମିଳିଲେ ବହୁତ କଥା କହିବେ ବୋଲି ଭାବିଥିଲେ Ι କେତେ କେତେ କେତେ ସ୍ତୁତି ଘୋଷି ରଖିଥିଲେ Ι ତାଙ୍କର ବାକ୍ ରୁଦ୍ଧ ହୋଇଗଲା Ι ସେ ସବୁ ଭୁଲିଗଲେ Ι
“ପ୍ରେମ ମଗନ ମୁଖ ବଚନ ନ ଆଓ୍ବା, ପୁନିପୁନି ପଦ ସରୋଜ ଶିର ନାଓ୍ବା Ι
ସାଦର ଜଲ ଲଇ ଚରନ ପଖାରେ l ପୁନି ସୁନ୍ଦର ଆସନ ବୈଠାରେ Ι”[ରାମଚରିତ ମାନସ]
ପରମପଦ ଦାୟୀ ସେହି ପଦ୍ମପାଦ ଯୁଗଳକୁ ଶବରୀ କୁଣ୍ଢାଇ ଧରିଲେ Ι ମସ୍ତକ ଲୋଟାଇ ଦେଲେ ସେହି ଚରଣ ଉପରେ Ι ଆନନ୍ଦାଶ୍ରୁରେ ପାଦ ଧୌତ କରିଦେଲେ ସେ ପ୍ରଭୁଙ୍କର Ι ଜଳପାତ୍ର କେବଳ ଲକ୍ଷ୍ମଣଙ୍କର ଆବଶ୍ୟକ ହେଲା Ι ପ୍ରଭୁଙ୍କର ଚରଣ କମଳ ଭିଜି ଯାଇଥିଲା ଯୋଗଜନ୍ମା ଆଜନ୍ମ ତପସ୍ୱିନୀ ଶବରୀମାତାଙ୍କ ଲୁହରେ Ι କୋମଳ ପତ୍ର ବିଛାଇ ତା ଉପରେ ପୁଷ୍ପ ବିଞ୍ଚି ଦେଇ ସେ ତାଙ୍କର ଆରାଧ୍ୟ ଦେବତାଙ୍କୁ ବସାଇଲେ Ι ‘ତା ପରେ କଣ ?’ ଶବରୀ ଭାବୁଥିଲେ, ଅତିଥି ଆସିଲେ, କଣ ସବୁ କେମିତି ଚର୍ଚ୍ଚା କରନ୍ତି ! ସେ କେବଳ ଦାଶରଥୀଙ୍କର ମୁଖାରବିନ୍ଦକୁ ଅବଲୋକନ କରୁଥିଲେ Ι ଭୁଲି ଯାଇଥିଲେ ତାଙ୍କୁ ଭୋଜନ ବିଷୟରେ ପଚାରିବା କଥା Ι ନିଜେ ଶ୍ରୀରାମ କହିଲେ, “ବହୁତ ଭୋକ, ଶବରୀ ମା!” ଶବରୀ ଚମକି ପଡିଲେ,” ଏଁ ହଁ, ମୁଁ ପରା କୋଳି ଆଣି ରଖିଛି Ι ଫଳ ମୂଳ ଯାହା ମିଳିଲା ଆଣିଛି ଯେ, କିନ୍ତୁ ସେ ସବୁ ମିଠା କି ଖଟା କି ପିତା ଜାଣିନି Ι ଦେଉଛି ରୁହ Ι ମୁଁ ବାଛି ବାଛି ଦେଉଛି Ι ସଂଗ୍ରହ କରିଥିବା ମୂଳ, ଫଳ, କୋଳି ସବୁ ପରିଷ୍କାର ଜଳରେ ଧୁଆ ହୋଇ ଆସିଲା Ι ମାତା ଗୋଟି ଗୋଟି ଚାଖିଲେ Ι ଯେଉଁଟା ମିଠା ଲାଗିଲା, ପ୍ରଭୁଙ୍କୁ ଦେଲେ Ι ଯେଉଁଟା ଭଲ ନ ଲାଗିଲା, ଅଲଗା ଗୋଟିଏ ପାତ୍ରରେ ରଖିଦେଲେ Ι ରାମ ପରମ ଆଗ୍ରହର ସହ ଖାଉଥାଆନ୍ତି ଓ ବାରମ୍ବାର କହୁଥାଆନ୍ତି, “ଆଃ, କେତେ ମିଠା ! କି ସ୍ୱାଦ !”
“କନ୍ଦମୂଳ, ଫଳ ସୁରସ ଅତି, ଦିଏ ରାମେ କହୁଁ ଆନି,
ପ୍ରେମ ସହିତ ପ୍ରଭୁ ଖାଏ ବାରମ୍ବାର ବଖାନି Ι [ରାମଚରିତ ମାନସ]
“ଫଳାନି ଚ ସୁପକ୍ୱାନି, ମୂଳାନି ମଧୁରାଣି ଚ,
ସ୍ୱୟଂ ଆସ୍ୱାଦ୍ୟ ମାଧୁର୍ଯ୍ୟମ୍, ପରୀକ୍ଷ, ପରିଭକ୍ଷ ଚ,
ପଶ୍ଚାତ୍ ନିବେଦୟାମାସ ରାଘବୌ ସା ଦୃଢ଼ବ୍ରତା Ι” [ପଦ୍ମ ପୁରାଣ]
ଉଭୟ ପରଷ୍ପର ମୁଖାଵଲୋକନ କରୁଛନ୍ତି Ι ଜଣେ ଭକ୍ତିମତୀ ଶବରୀ Ι ଆଉ ଜଣେ ଭକ୍ତବତ୍ସଳ ଭାବଗ୍ରାହୀ Ι ଖାଇବା ଖୁଆଇବା ତ ଉପଲକ୍ଷ ମାତ୍ର ! ଆତ୍ମା ପରମାତ୍ମା ମଧ୍ୟରେ ଅଦୃଶ୍ୟ ବାର୍ତ୍ତା ବିନିମୟ ଚାଲିଛି Ι ଲକ୍ଷ୍ମଣ ଦେଖୁଛନ୍ତି Ι ନିଷ୍ପଲକ, ନିର୍ବାକ୍, ନିସ୍ପନ୍ଦ ! ପ୍ରଥମେ ରାମ ଭକ୍ତି ପାଶରୁ ମୁକୁଳିଲେ Ι ଲକ୍ଷ୍ମଣଙ୍କୁ କହିଲେ, “ଆରେ ତୁ ଖାଉନାହୁଁ କାହିଁକି ?” ଲକ୍ଷ୍ମଣ କହିଲେ, “ସବୁ ଫଳ ମୂଳ ଓ କୋଳି ସରି ଗଲାଣି !” ଶବରୀ କହିଲେ, “ରୁହ ରୁହ ମୁଁ ଆମ୍ବ ଦୁଇଟି ରଖିଥିଲି Ι ସେ ଆମ୍ବଦୁଇଟି ଆଣି ଗୋଟିଏ ରାମଙ୍କୁ ବଢ଼ାଇଲେ Ι ରାମ କହିଲେ,” ମା ! ଏଇଟା ତ ଚାଖିଲ ନାହିଁ ? ଖଟା ହୋଇଥିବ, ମୁଁ ଖାଇବି ନାହିଁ Ι ଲକ୍ଷ୍ମଣ ଖଟା ଖାଇବାକୁ ଭଲ ପାଏ Ι ତାକୁ ଦୁଇଟିଯାକ ଦେଇଦିଅ Ι’ ଲକ୍ଷ୍ମଣ ଆତ୍ମବିସ୍ମୃତ ହୋଇ ଏ ଲୀଳା ଅବଲୋକନ କରୁଥିଲେ Ι କିଛି ବୁଝି ନ ପାରି ସେ ଆମ୍ବ ଦୁଇଟି ନେବାକୁ ହାତ ବଢ଼ାଇଲେ Ι


