ମନେପଡେ
ସାରଦା ପ୍ରସାଦ ମିଶ୍ର
ଧରାରେ ବିରାଜେ ଜଡ ଶୀତଋତୁ
ସମୟ ଗୋଧୂଳି ବେଳ।
ନୀଳ ଜଳ ବେଣୀ ଅଙ୍ଗେ ଧରି ସୁଖେ
ବହେ ମହାନଦୀ ଧାରା ।
ଯାନ୍ତ୍ରିକ ନଉକା ଚଳେ ନଦୀ ବକ୍ଷେ
ଅସ୍ତଗାମୀ ରବି ବିଭା
ପଡ଼ି ଜଳ ପରେ ବିମଳ ସୁଷମା
ପ୍ରକଟେ ଯାହା ଦୁର୍ଲଭ। ।
କୁଜଙ୍ଗର ଅନ୍ତ – ପୁରରୁ ବାହାରି
ପାରାଦୀପ ମୁଖେ ଚଳେ
ଆମ ଦେଶ ପ୍ରିୟ ନେତା ଜବାହର
ଚଳନ୍ତି ମନ୍ତ୍ରୀଙ୍କ ମେଳେ।
ମୁଖ୍ୟମନ୍ତ୍ରୀ ବିଜୁ ସାଙ୍ଗରେ ବୀରେନ
ଏବଂ ରାଉତରା ନୀଳମଣି
ସରକାରୀ ଗ୍ରସ୍ତେ ଅଛନ୍ତି ସମସ୍ତେ
ନାବ ଚଳେ କାଟି ପାଣି ।
ଚା ପାନ ଶେଷେ ପଣ୍ଡିତ ନେହେରୁ
ସିଗାରେଟ ମୁଖେ ଦେଇ
ଅଵଲୋକୁ ଛନ୍ତି ତଟ ଦେଶ ଶୋଭା
ଆନନ୍ଦେ ବିଭୋର ହୋଇ ।
ଆଗରୁ ପ୍ରସ୍ତୁତ ଟିପ୍ପଣୀ ଓ ନକ୍ସା
ବିଜୁବାବୁ ହସ୍ତେ ଧରି
ନେହେରୁ ସମୀପେ ଅର୍ପଣ କରିଲେ
ମଥା ଅବନତ କରି ।
ନେହେରୁଙ୍କ ସେହି ଶୋଭା ଦର୍ଶନକୁ
ମଝିରେ ବାଧା ଦେବାରୁ
କ୍ରୋଧେ କମ୍ପାମ।ନ ହୋଇ କହିଲେସେ
କାହିଁ ତାଙ୍କୁ ବ୍ୟସ୍ତ କରୁ।
ଅନ୍ୟମାନେ ଭୟେ ଥରିଗଲେ ସିନା
କିନ୍ତୁ ବିଜୁ ନିରି ଭୟ
କହିଲେ ଗରିବ ଓଡ଼ିଶା ରାଜ୍ୟର
ଏ ନିବେଦନ ମହାଶୟ ।
ନେହେରୁଙ୍କ ପରି ପାଇବ କି ଜଣେ
ପ୍ରଧାନ ମନ୍ତ୍ରୀ ଏ ଦେଶ
ଯେ ନିଜ ରାଇଜ ଉନ୍ନତିକୁ କୁ ଛାଡ଼ି
ବୁଝିବ ଅନ୍ୟ ରାଜ୍ୟ କ୍ଲେଶ ।
ରାଗ ଶାନ୍ତ କରି ମୁରୁକି ହସିଣ
ମାଗିଲେ ଟିପ୍ପଣୀ ଚିତ୍ର
ଥିଲା ସେହି ନକ୍ସା ଖଣିଜ ସମ୍ପଦେ
ପରିପୂର୍ଣ୍ଣ ଥିବା କ୍ଷେତ୍ର ।
ଦନ୍ତୁରିତ ସିନ୍ଧୁ ଉପକୂଳ ଯାହା
ପୋତାଶ୍ରୟ ପାଇଁ ଯୋଗ୍ୟ
ଦଇତାରୀ ଠାରୁ ପାରାଦୀପ ଯାଏ
ଏକ ରାଜ ପଥ ଯୋଗ ।
ଗଭୀର ଭାବରେ ଅନୁଧ୍ୟାନ କଲେ
ସମସ୍ତ ଟିପ୍ପଣୀ ଚିତ୍ର
ପରଦିନ ଯାଇ ସ୍ଥାନ ପରିଦର୍ଶୀ
ହୋଇଥିଲେ ନିଜେ ତୃପ୍ତ।
ଯୋଜନା ଆୟୁକ୍ତ ଅନୁମତି କୁ ସେ
ଏଡି ଦେଇଥିଲେ ହେଳେ
ସନ ଊନବିଂଶ ବାଷଠୀ ମସିହା
ଜାନୁଆରୀ ତିନ ତାରିଖରେ ।
ଦେଇଥିଲେ ଶୁଭ ପାରାଦୀପ ଠାରେ
ଗଭୀର ପୋତାଶ୍ରୟ ର
ସମ୍ବାଦ ପତ୍ରଓ ଲୋକ ସଭା ଗୃହେ
ଉଠିଲା ବିରୁଦ୍ଧରେ ସ୍ବର।
କୌଣସି କଥାକୁ ଖାତର ନକରି
ଅଟକଳ ଠୁ ଅଧିକ
ଖର୍ଚ୍ଚ ପାଇଁ ମୁଦ୍ରା ପ୍ରଦାନ କରିଲେ
ହେଲା ପୋତାଶ୍ରୟ ଏକ।
ଆଜି ଜନ୍ମଦିନେ ମନେ ପଡ଼ିଯା
ଏହି ସେ ଅଭୁଲା ସ୍ମୃତି
ଭୁଲିବନି ଜାତି ତାଙ୍କର ଦାନକୁ
ଜଣାଉ ଅଛି ପ୍ରଣତି।
