ବକୁଳର ଖେଦ
ସାରଦା ପ୍ରସାଦ ମିଶ୍ର

ଆମ ବାଡି ଆମ୍ବ ତରୁ
ବକୁଳେ ଶୋଭିତ ଚାରୁ
ମନ ମାରି ରହିଛି ମଉନେ
ମୂର୍କି ହସେ ମତେ ଦେଖି
କହିଲା ରହିଛି ସାକ୍ଷୀ
ଯାହା ଘଟି ଯାଇଛି ତୁମରି ଜୀବନେ।
ଘର ଛାଡ଼ି ଚାଲିଗଲ
ସହରେ ଯାଇ ରହିଲ
ମଝିରେ କେବେ କେବେ ପାଉ ଦରଶନ
ମୋର ମନର ଭାବନା
କରି ଅନୁମାନ ସିନା
କହିଲା ସମୟ ବଡ ବଳବାନ।
ଏହି ଦେଖ ମୁଁ ସୁନ୍ଦରୀ
ସେପଟେ ବେଲ ପତିରି
କାଳେଇ ଓ ରସୁଣିଆ ଅଛି ପଛେ
ଗୁରୁଡ଼ି ଆମ୍ବ ଗଛ ଟି
କହୁଛି ଭୁଲି ଗଲକି
ଗୁଡ ପରି ମୋର ସ୍ଵାଦ ଯେବେ ପାଚେ।
ମୁରୁକି ବାଳୁତ ତରୁ
କହେ ମୋର ଅଙ୍ଗ ଚାରୁ
ଧରିଛି ନବ ବକୁଳ ଏହି ସାଲ
ଯେବେ ହେବି ପରିପକ୍ଵ
ଆସିଲେ ପାଇବି ସୁଖ
ନହେଲେ ଭକ୍ଷିବେ ସବୁ ମର୍କଟ ପଲ।
ଭାବିଲି କହିବି ତ।ରେ
ପରିଣତ ବୟସରେ
ଯାତାୟତ ଲାଗେ ବଡ କଷ୍ଟ
ଦଧି ବାବନ କରୁଣା
ହୋଇଲେ ସମ୍ଭବ ସିନା
ଆସି ଫଳ ଚାଖି କରିବି ସନ୍ତୁଷ୍ଟ।

