LeaseLand

ଭୁବନେଶ୍ୱର ଲିଜ୍ ଜମି ସମସ୍ୟା

ମହାଶୟ,

ସବିନୟ ନିବେଦନ ଯେ, ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳରେ ଦୀର୍ଘ ପ୍ରାୟ ୭୦–୮୦ ବର୍ଷ ଧରି ଚାଲିଆସୁଥିବା ଲିଜ୍‌ ଜମି ସମସ୍ୟା ଆଜି କେବଳ ଏକ ରାଜସ୍ୱ ବା ପ୍ରଶାସନିକ ବିବାଦ ହୋଇ ରହିନାହିଁ । ଏହା ହଜାର ହଜାର ପରିବାରଙ୍କର ଜୀବନ, ସମ୍ପତ୍ତି, ଆବାସ, ଆର୍ଥିକ ସୁରକ୍ଷା ଓ ଭବିଷ୍ୟତ ସହିତ ସିଧାସଳଖ ଭାବେ ଜଡ଼ିତ ଏକ ଗୁରୁତର ମାନବିକ ଓ ପ୍ରଶାସନିକ ସମସ୍ୟାରେ ପରିଣତ ହୋଇଛି ।

ଏହି ସମସ୍ୟାର ସମାଧାନ ପାଇଁ ଅନେକ ନାଗରିକ ବର୍ଷ ବର୍ଷ ଧରି ତହସିଲ କାର୍ଯ୍ୟାଳୟ, ସେଟଲମେଣ୍ଟ କାର୍ଯ୍ୟାଳୟ, ରାଜସ୍ୱ ପରିଷଦ, ମାନ୍ୟବର ଉଚ୍ଚନ୍ୟାୟାଳୟ ଏବଂ ମାନ୍ୟବର ସୁପ୍ରିମ୍ କୋର୍ଟ ପର୍ଯ୍ୟନ୍ତ ନ୍ୟାୟ ପାଇଁ ଦୌଡ଼ିବାକୁ ବାଧ୍ୟ ହୋଇଛନ୍ତି । ଅନେକ କ୍ଷେତ୍ରରେ ମାନ୍ୟବର ଉଚ୍ଚନ୍ୟାୟାଳୟ ନାଗରିକଙ୍କ ସପକ୍ଷରେ ସ୍ପଷ୍ଟ ରାୟ ପ୍ରଦାନ କରିଥିଲେ ମଧ୍ୟ, ତାହାର ଅନୁପାଳନରେ ଆଜି ମଧ୍ୟ ଏକରୂପତା, ସ୍ୱଚ୍ଛତା ଓ ସମାନତାର ଅଭାବ ପରିଲକ୍ଷିତ ହେଉଛି ।

ଏପରି ପରିସ୍ଥିତି ନ୍ୟାୟ ପ୍ରଶାସନ ଓ ସାଧାରଣ ନାଗରିକଙ୍କର ଆଇନ ଉପରେ ଥିବା ଆସ୍ଥା ପାଇଁ ଗୁରୁତର ପ୍ରଶ୍ନ ସୃଷ୍ଟି କରୁଛି ।

ଏହି ପୃଷ୍ଠଭୂମିରେ ଦୀର୍ଘଦିନର ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଏକ ଶାନ୍ତିପୂର୍ଣ୍ଣ, ଅହିଂସାମୂଳକ ଓ ସାମ୍ବିଧାନିକ Gen-Z ନାଗରିକ ଆନ୍ଦୋଳନ ଆରମ୍ଭ କରିବାର ଆବଶ୍ୟକତା ଅନୁଭବ ହେଉଛି । ଏହି ଆନ୍ଦୋଳନ କୌଣସି ବ୍ୟକ୍ତିବିଶେଷ, ଅଧିକାରୀ କିମ୍ବା ରାଜନୈତିକ ଦଳ ବିରୋଧରେ ନୁହେଁ; ବରଂ ନ୍ୟାୟ, ସମାନତା, ସ୍ୱଚ୍ଛତା, ଆଇନର ଶାସନ ଓ ଦୀର୍ଘଦିନର ଜମି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ହେବ ।

୧ । ଲିଜ୍‌ ଜମି ପ୍ରଦାନର ଐତିହାସିକ ପୃଷ୍ଠଭୂମି :

ଗତ ଶତାବ୍ଦୀର ସତୁରୀ ଓ ଅଶୀ ଦଶକରେ ଓଡ଼ିଶା ସରକାର ଭୁବନେଶ୍ୱର ଉପକଣ୍ଠରେ ଥିବା ଶାମପୁର, ପଥରଗାଡ଼ିଆ, ଗୋଠପାଟଣା, ଭରତପୁର, ଶଙ୍କରପୁର, ଘାଟିକିଆ, ସୁନ୍ଦରପୁର, ଅନ୍ଧାରୁଆ, ଓଗାଳପଡ଼ା ଆଦି ପ୍ରାୟ ୧୬ଟି ମୌଜାରେ ଅନେକ ଗରିବ ଓ ଭୂମିହୀନ ଲୋକଙ୍କୁ ଚାଷ କରିବା ପାଇଁ ପ୍ରାୟ ଏକର କିମ୍ବା ଦୁଇ ଏକର ଲେଖାଏଁ ପଡ଼ିଆ ଜମି ଲିଜ୍‌ ସୂତ୍ରରେ ପ୍ରଦାନ କରିଥିଲେ ।

କେତେକ ଅଞ୍ଚଳରେ ୫ ବର୍ଷ ଏବଂ କେତେକ ଅଞ୍ଚଳରେ ୧୦ ବର୍ଷ ପର୍ଯ୍ୟନ୍ତ ଜମି ହସ୍ତାନ୍ତର ନକରିବାର ପ୍ରତିବନ୍ଧକ ରହିଥିଲା ।

ସେହିପରି ଜଟଣୀ ତହସିଲର ପ୍ରାୟ ୨୪ଟି ମୌଜାରେ ମଧ୍ୟ ଚାଷ ପାଇଁ ପଡ଼ିଆ ଜମି ଲିଜ୍‌ ଦିଆଯାଇଥିଲା ।

୨ । ଯୁଦ୍ଧବୀର ସୈନିକମାନଙ୍କୁ ଲିଜ୍‌:

ଓଡ଼ିଶା ସରକାରଙ୍କ ଗୃହ ମନ୍ତ୍ରାଳୟ ପ୍ରସ୍ତାବନା ସଂଖ୍ୟା ୧୧୩୨୩, ତାରିଖ ୧୪.୦୫.୧୯୬୩ ଏବଂ ରାଜସ୍ୱ ଓ ଅବକାରୀ ବିଭାଗର ଚିଠି ନମ୍ବର ୪୮୭୯୮/R, ତାରିଖ ୦୨.୦୮.୧୯୮୬ ଅନୁସାରେ ୧୯୬୫ ଓ ୧୯୭୧ ଯୁଦ୍ଧର ବୀର ସୈନିକମାନଙ୍କୁ ସେମାନଙ୍କ ସେବା, ସାହସ ଓ ବଳିଦାନର ସ୍ୱୀକୃତିସ୍ୱରୂପ ମଧ୍ୟ କିଛି ଜମି, ପ୍ରାୟ ୫ ଏକର ପର୍ଯ୍ୟନ୍ତ, ଲିଜ୍‌ ଦିଆଯାଇଥିଲା ।

୩ । ଲିଜ୍‌ ବାତିଲ ଓ ମାନ୍ୟବର ଉଚ୍ଚନ୍ୟାୟାଳୟଙ୍କ ହସ୍ତକ୍ଷେପ:

ସରକାରୀ ନୀତି ଓ ନିୟମ ଅନୁସାରେ ଉପରୋକ୍ତ ଲିଜ୍‌ଗୁଡ଼ିକ ପ୍ରଦାନ କରାଯାଇଥିଲା । ଏହି ଲିଜ୍‌ଗୁଡ଼ିକରେ କୌଣସି ଲିଖିତ ଚୁକ୍ତିନାମା ସ୍ୱାକ୍ଷର ହୋଇନଥିଲା ।

କିଛି ଅନିୟମିତତାର ସନ୍ଦେହ ଦର୍ଶାଇ ତହସିଲଦାର କେତେକ ଲିଜ୍‌ ବାତିଲ କରିଦେଇଥିଲେ । ଏହା ବିରୋଧରେ ପ୍ରଭାବିତ ଲୋକମାନେ ମାନ୍ୟବର ଉଚ୍ଚନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇ ନିଜ ସପକ୍ଷରେ ଆଦେଶ ପାଇଥିଲେ ।

ମାନ୍ୟବର ଉଚ୍ଚନ୍ୟାୟାଳୟ ଅନିୟମିତତାଗୁଡ଼ିକୁ ସ୍ପଷ୍ଟ ଭାବେ ଉଲ୍ଲେଖ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ତଥାପି ତହସିଲଦାର ପୁନର୍ବାର ଲିଜ୍‌ ବାତିଲ କରିଥିଲେ । ଫଳରେ ପ୍ରଭାବିତ ଲୋକମାନେ ପୁନର୍ବାର ମାନ୍ୟବର ଉଚ୍ଚନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇ ନିଜ ସପକ୍ଷରେ ଆଦେଶ ପାଇଥିଲେ ।

ତାହାପରେ ମାନ୍ୟବର ଉଚ୍ଚନ୍ୟାୟାଳୟଙ୍କ ଆଦେଶ ଅନୁସାରେ ADM, ଭୁବନେଶ୍ୱର ଉପଯୁକ୍ତ ଅନୁସନ୍ଧାନ କରି ଲିଜ୍‌ ବାହାଲ କରିଥିଲେ । ଏହା ନବେ ଦଶକର ଘଟଣା । ଉକ୍ତ ଆଦେଶ ବିରୋଧରେ କୌଣସି ମାମଲା ହୋଇନାହିଁ ।

ଏପରି ସ୍ଥିତିରେ ପ୍ରାୟ ୧୫ ବର୍ଷ ପରେ ପୁନର୍ବାର ଅନିୟମିତତାର ସନ୍ଦେହ ଦର୍ଶାଇ ଏକତରଫା ଭାବେ ଏହି ଜମିଗୁଡ଼ିକୁ ସରକାରୀ ଖାତାକୁ ନେବାର ପ୍ରୟାସ କରାଯିବାର ଆଇନଗତ ଆଧାର କ’ଣ—ଏହା ଏକ ଅତ୍ୟନ୍ତ ଗୁରୁତର ଓ ଉତ୍ତର ଆବଶ୍ୟକ କରୁଥିବା ପ୍ରଶ୍ନ ।

୪ । ଭୁବନେଶ୍ୱରର ବିକାଶ ଓ ଜମିର ବ୍ୟବହାର:

ଏହି ଜମିଗୁଡ଼ିକ ଜଳସେଚନର ଅଭାବ ଯୋଗୁଁ ଅନେକ ସ୍ଥାନରେ ଚାଷ ଉପଯୋଗୀ ନଥିଲା । ସମୟକ୍ରମେ ଜମିଧାରୀମାନେ ପାରିବାରିକ ବାଧ୍ୟବାଧକତାରୁ କିଛି ଜମି ବିକ୍ରୟ କରିଥିଲେ ।

ଏହି ବିକ୍ରୟ କବଲାଗୁଡ଼ିକ ସରକାରଙ୍କ ଜ୍ଞାତସାରରେ ହୋଇଥିଲା ଏବଂ ସରକାର ଏଥିରୁ ରାଜସ୍ୱ ମଧ୍ୟ ପାଇଥିଲେ ।

ସମୟ ସହିତ ଭୁବନେଶ୍ୱର ସହରର କଳେବର ବ୍ୟାପକ ଭାବେ ବୃଦ୍ଧି ପାଇଲା । ଲୋକମାନେ ଅନୁମୋଦିତ ନିୟମ ଅନୁଯାୟୀ କିସମ ପରିବର୍ତ୍ତନ କରି ଘର, ସ୍କୁଲ, କଲେଜ, ଡାକ୍ତରଖାନା ଓ ବହୁତଳ ପ୍ରାସାଦ ନିର୍ମାଣ କରିଥିଲେ ।

ବ୍ୟାଙ୍କଗୁଡ଼ିକ ମଧ୍ୟ ଋଣ ପ୍ରଦାନ କରିଥିଲେ । ସରକାର ପାଣି ଓ ବିଦ୍ୟୁତ ସଂଯୋଗ ଦେଇଥିଲେ ଏବଂ ରାସ୍ତାଘାଟର ବିକାଶ କରିଥିଲେ ।

କେତେକ ମୌଜାରେ ବନ୍ଦୋବସ୍ତ ହୋଇ ନୂତନ କ୍ରେତାମାନଙ୍କ ନାମରେ ଜମିର ରେକର୍ଡ ମଧ୍ୟ ପ୍ରସ୍ତୁତ ହୋଇଛି ।

୫ । ପାର୍ଚ୍ଚା ପ୍ରଦାନ:

କେତେକ ମୌଜାରେ ବନ୍ଦୋବସ୍ତ ପ୍ରକ୍ରିୟା ସମ୍ପନ୍ନ ହୋଇ ପ୍ରଜାମାନଙ୍କ ନାମରେ ପାର୍ଚ୍ଚା ପ୍ରଦାନ କରାଯାଇଛି ।

ଏହା ସ୍ପଷ୍ଟ କରେ ଯେ ସେଟଲମେଣ୍ଟ ପ୍ରକ୍ରିୟା ମାଧ୍ୟମରେ ଜମିର ଅଧିକାର ଓ ବ୍ୟବହାର ସମ୍ପର୍କରେ ପ୍ରଶାସନିକ ଭାବେ ରେକର୍ଡ ପ୍ରସ୍ତୁତ ହୋଇଥିଲା ।

ମାନ୍ୟବର ଉଚ୍ଚନ୍ୟାୟାଳୟ W.P.(C) No. 12776/14 ଏବଂ W.P.(C) No. 11912/17 ମାମଲାରେ ନିର୍ଦ୍ଦେଶ ଦେଇଥିଲେ ଯେ, ତିନି ମାସ ମଧ୍ୟରେ କୌଣସି ଆପତ୍ତି ଦାଖଲ ନହେଲେ ପାର୍ଚ୍ଚାକୁ ଅନୁମୋଦନ କରି ପଟ୍ଟା ପ୍ରଦାନ କରାଯିବ ।

ଉକ୍ତ ନିଷ୍ପତ୍ତିର ଆଧାରରେ ତହସିଲଦାରଙ୍କ ଦ୍ୱାରା ଅନ୍ତିମ ପଟ୍ଟା ମଧ୍ୟ ପ୍ରଦାନ କରାଯାଇଛି ।

ଏହି ନିଷ୍ପତ୍ତିକୁ ସରକାର ଚ୍ୟାଲେଞ୍ଜ କରିନଥିବାରୁ ଏହାକୁ ଗ୍ରହଣ କରାଯାଇଥିବା ସ୍ପଷ୍ଟ ।

୬ । ୨୦୧୩ ମସିହାରେ ଜମି ସରକାରୀ ଖାତାକୁ ନେବା:-

୨୦୧୩ ମସିହାରେ ସରକାର ଏକତରଫା ଭାବରେ ସମସ୍ତ ଲିଜ୍‌ ଜମିକୁ ଆବାଦଯୋଗ୍ୟ ଅନାବାଦି ଦର୍ଶାଇ ସରକାରୀ ଖାତାରେ ରେକର୍ଡ କରିଦେଇଥିଲେ ।

କିନ୍ତୁ ପାର୍ଚ୍ଚାକୁ ଅନୁମୋଦନ ମଧ୍ୟ କରାଯାଇନଥିଲା ଏବଂ ବାତିଲ ମଧ୍ୟ କରାଯାଇନଥିଲା । ତେଣୁ ସେହି ପାର୍ଚ୍ଚାଗୁଡ଼ିକ ଆଜି ମଧ୍ୟ ବୈଧ ଭାବେ ରହିଥିବାରୁ, ତହସିଲଦାର, ଭୁବନେଶ୍ୱରଙ୍କ ଦ୍ୱାରା ସେଗୁଡ଼ିକୁ ଆଇନ ଅନୁଯାୟୀ ଅନୁମୋଦନ କରିବା ଆବଶ୍ୟକ ।

ପାର୍ଚ୍ଚାକୁ ନା ଅନୁମୋଦନ କରାଯାଇଥିଲା, ନା ବାତିଲ କରାଯାଇଥିଲା; ତଥାପି ଆସିଷ୍ଟାଣ୍ଟ ସେଟଲମେଣ୍ଟ ଅଧିକାରୀ ପ୍ରଜାମାନଙ୍କ ଜମିକୁ ସରକାରୀ ନାମରେ ରେକର୍ଡ କରିଥିଲେ । ଏପରି କାର୍ଯ୍ୟର ଆଇନଗତ ଅଧିକାର ଓ କ୍ଷମତା କେଉଁଠାରୁ ଆସିଲା—ଏହାର ସ୍ପଷ୍ଟ ଉତ୍ତର ଆବଶ୍ୟକ ।

ଆସିଷ୍ଟାଣ୍ଟ ସେଟଲମେଣ୍ଟ ଅଧିକାରୀଙ୍କ ଚିଠିରେ ମଧ୍ୟ ହାଇକୋର୍ଟ କେସ୍‌ ନମ୍ବର ୯୪୪୯/୯୩ର ଉଲ୍ଲେଖ ଥିଲା । ଉକ୍ତ ମାମଲାରେ ଏହି ଜମିଗୁଡ଼ିକ ସମ୍ପର୍କରେ ସଚିବ ସ୍ତରୀୟ ଅଧିକାରୀଙ୍କ ଦ୍ୱାରା ଯାଞ୍ଚ କରିବା ପାଇଁ ରାଜ୍ୟ ସରକାରଙ୍କୁ ଆଦେଶ ଦିଆଯାଇଥିଲା ।

ସରକାର ଜଣେ ପୂର୍ବତନ ସେଟଲମେଣ୍ଟ କମିସନରଙ୍କୁ ନିଯୁକ୍ତ କରି ତାଙ୍କ ମାଧ୍ୟମରେ ରିପୋର୍ଟ ମଧ୍ୟ ଗ୍ରହଣ କରିଥିଲେ ।

ଏହି ପରିସ୍ଥିତିରେ ଜଣେ ଆସିଷ୍ଟାଣ୍ଟ ସେଟଲମେଣ୍ଟ ଅଧିକାରୀ କେଉଁ ଆଇନଗତ ଅଧିକାର ବଳରେ ପ୍ରଜାଙ୍କ ଜମିକୁ ସରକାରୀ ଖାତାକୁ ନେଇଥିଲେ, ତାହା ସ୍ୱାଭାବିକ ଭାବେ ଏକ ଗୁରୁତର ଆଇନଗତ ପ୍ରଶ୍ନ ଭାବେ ଉଭା ହୋଇଛି ।

୭ । ଉଚ୍ଚନ୍ୟାୟାଳୟଙ୍କ ହସ୍ତକ୍ଷେପ ଓ ପଟ୍ଟା ପ୍ରଦାନ:-

ଏହାପରେ ପ୍ରଭାବିତ ଲୋକମାନଙ୍କୁ ପୁନର୍ବାର କୋର୍ଟ କଚେରୀକୁ ଯିବାକୁ ପଡ଼ିଥିଲା ।

ଆସିଷ୍ଟାଣ୍ଟ ସେଟଲମେଣ୍ଟ ଅଧିକାରୀ ମାନ୍ୟବର ଉଚ୍ଚନ୍ୟାୟାଳୟରେ ହଳଫନାମା ଦେଇଥିଲେ ଯେ ଅତିରିକ୍ତ ମୁଖ୍ୟ ସଚିବଙ୍କ ମୌଖିକ ନିର୍ଦ୍ଦେଶ ଆଧାରରେ ଜମିଗୁଡ଼ିକୁ ସରକାରୀ ଖାତାକୁ ନିଆଯାଇଥିଲା । ମାତ୍ର ସମ୍ପୃକ୍ତ ଅଧିକାରୀ ନିଜ ହଳଫନାମାରେ ଏହାକୁ ଅସ୍ୱୀକାର କରିଥିଲେ ।

ଏହି ପରିପ୍ରେକ୍ଷୀରେ ମାନ୍ୟବର ଉଚ୍ଚନ୍ୟାୟାଳୟ ଆସିଷ୍ଟାଣ୍ଟ ସେଟଲମେଣ୍ଟ ଅଧିକାରୀଙ୍କ ଆଦେଶକୁ ବାତିଲ କରି ଜମି ଫେରାଇଦେବାକୁ ଆଦେଶ ଦେଇଥିଲେ ଏବଂ ସେଟଲମେଣ୍ଟ ଅଧିକାରୀଙ୍କର ଲିଜ୍‌ ଜମିରେ ହସ୍ତକ୍ଷେପ କରିବାର ଅଧିକାର ନଥିବା ସ୍ପଷ୍ଟ କରିଥିଲେ ।

କିନ୍ତୁ ହାତଗଣତି କେତେକ ଲୋକଙ୍କୁ ପଟ୍ଟା ମିଳିଥିବା ବେଳେ ଅନେକ ଯୋଗ୍ୟ ଲୋକ ଏପର୍ଯ୍ୟନ୍ତ ପଟ୍ଟା ପାଇନାହାନ୍ତି ।

ମାନ୍ୟବର ମୁଖ୍ୟ ବିଚାରପତି କେତେକ ମାମଲାକୁ ଏକତ୍ର କରି W.P.(C) No. 1608/2014କୁ ପ୍ରମୁଖ ମାମଲା ଭାବରେ ବିଚାର କରିଥିଲେ । ନରୋତ୍ତମ ରଥ ବନାମ ରାଜ୍ୟ ସରକାର ମାମଲାରେ ସହକାରୀ ବନ୍ଦୋବସ୍ତ ଅଧିକାରୀଙ୍କ ମାଧ୍ୟମରେ ପ୍ରଜାମାନଙ୍କୁ ପଟ୍ଟା ପ୍ରଦାନ କରିବା ଏବଂ ଜମି ଫେରାଇଦେବା ସମ୍ପର୍କରେ ଆଦେଶ ଦିଆଯାଇଥିଲା ।

ସରକାର ଏହା ବିରୋଧରେ ସୁପ୍ରିମ୍ କୋର୍ଟକୁ ଯାଇଥିଲେ । ସୁପ୍ରିମ୍ କୋର୍ଟ ମାମଲାଗୁଡ଼ିକୁ ଉଚ୍ଚନ୍ୟାୟାଳୟକୁ ଫେରାଇ ଦେଇ ପ୍ରତ୍ୟେକ ମାମଲାକୁ ଅଲଗା ଭାବରେ ବିଚାର କରିବାକୁ ଆଦେଶ ଦେଇଥିଲେ ।

ବର୍ତ୍ତମାନ ସେହି ମାମଲାଗୁଡ଼ିକ ର ଫଇସଲା ହୋଇସାରିଛି । ମାନ୍ୟବର ଉଚ୍ଚନ୍ୟାୟାଳୟ ସ୍ପଷ୍ଟ ଭାବରେ କହିଛନ୍ତି ଯେ ସେଟଲମେଣ୍ଟ ଅଧିକାରୀମାନଙ୍କର OGLS ଅଧିନିୟମ ଅଧୀନରେ ହସ୍ତକ୍ଷେପ କରିବାର ଅଧିକାର ନାହିଁ ।

ଏହାର ଫଳରେ କେତେକ ମାମଲାରେ ତହସିଲଦାରଙ୍କୁ ପଟ୍ଟା ପ୍ରଦାନ କରିବା ପାଇଁ ମାନ୍ୟବର ଉଚ୍ଚନ୍ୟାୟାଳୟ ଆଦେଶ ଦେଇଛନ୍ତି । ସେଗୁଡ଼ିକ ମଧ୍ୟରେ W.P.(C) No. 1608/2014, 5876/2014, 8832/2014, 9775/2014, 9776/2014, 9777/2014 ଏବଂ 9778/2014 ଅନ୍ତର୍ଭୁକ୍ତ ।

ତଥାପି ଏପର୍ଯ୍ୟନ୍ତ ସମସ୍ତ ଯୋଗ୍ୟ ମାମଲାରେ ପଟ୍ଟା ପ୍ରଦାନ ହୋଇନାହିଁ ।

W.P.(C) No. 7529/2020 ମାମଲାରେ ସରକାର ଉକ୍ତ ନିଷ୍ପତ୍ତି ବିରୋଧରେ SLP ଦାଖଲ କରିନାହାନ୍ତି । ASO ମଧ୍ୟ ତହସିଲଦାର, ଭୁବନେଶ୍ୱରଙ୍କୁ ପଟ୍ଟା ପ୍ରଦାନ ପାଇଁ ସୁପାରିଶ କରିଥିଲେ । ତଥାପି ଆଜି ପର୍ଯ୍ୟନ୍ତ ତହସିଲଦାରଙ୍କ ପକ୍ଷରୁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇନାହିଁ ।

୮ । ରାଜସ୍ୱ ପରିଷଦର ମତ

ଏହା ମଧ୍ୟ ଉଲ୍ଲେଖନୀୟ ଯେ ଅଧ୍ୟକ୍ଷ, ରାଜସ୍ୱ ପରିଷଦ, କେତେକ ମାମଲାରେ ମାନ୍ୟବର ଉଚ୍ଚନ୍ୟାୟାଳୟଙ୍କ ରାୟ ସହ ସମାନ ମତ ପ୍ରକାଶ କରି କହିଛନ୍ତି ଯେ ସେଟଲମେଣ୍ଟ ଅଧିକାରୀମାନଙ୍କର OGLS ଅଧିନିୟମ ଅଧୀନରେ ହସ୍ତକ୍ଷେପ କରିବାର ଅଧିକାର ନାହିଁ ।

ସେହି ଆଧାରରେ କେତେକ ଲୋକଙ୍କୁ ପଟ୍ଟା ମଧ୍ୟ ମିଳିଛି ।

ଏହା ଦ୍ୱାରା ଆହୁରି ଏକ ପ୍ରଶ୍ନ ଉଠୁଛି—ସମାନ ପ୍ରକୃତିର ମାମଲାରେ ସମାନ ଆଇନଗତ ମାନଦଣ୍ଡ କାହିଁକି ପ୍ରୟୋଗ ହେଉନାହିଁ?

୯ । ସମାନ ଜମିରେ ଭିନ୍ନ ଭିନ୍ନ ବ୍ୟବହାର

ଗୋଟିଏ ଲିଜ୍‌ ପ୍ଲଟ୍‌କୁ ୧୫ ଜଣ କିଣିଥିବା ଘଟଣା ମଧ୍ୟ ଦେଖିବାକୁ ମିଳୁଛି । ସେଥିରୁ ୧୦ ଜଣଙ୍କ କ୍ଷେତ୍ରରେ ମାନ୍ୟବର ଉଚ୍ଚନ୍ୟାୟାଳୟ ସେଟଲମେଣ୍ଟ ଅଧିକାରୀଙ୍କ ଆଦେଶ ଖାରଜ କରି ପଟ୍ଟା ପ୍ରଦାନ ପାଇଁ ଆଦେଶ ଦେଇଛନ୍ତି ।

ଏହି ୧୦ ଜଣଙ୍କ ମଧ୍ୟରୁ ୮ ଜଣଙ୍କ ମାମଲା ୮–୧୦ ବର୍ଷ ହୋଇଥିଲେ ମଧ୍ୟ ସରକାର ସୁପ୍ରିମ୍ କୋର୍ଟକୁ ଯାଇନାହାନ୍ତି । ବର୍ତ୍ତମାନ ମାତ୍ର ୨ ଜଣଙ୍କ କ୍ଷେତ୍ରରେ ସୁପ୍ରିମ୍ କୋର୍ଟକୁ ଯିବାକୁ ମନସ୍ଥ କରାଯାଇଥିବା ଜଣାପଡ଼ୁଛି ।

ସମାନ ପରିସ୍ଥିତିରେ ଏପରି ଦୁଇପ୍ରକାର ନୀତି କିପରି ନ୍ୟାୟସଙ୍ଗତ ହୋଇପାରେ—ଏହା ସାଧାରଣ ନାଗରିକଙ୍କ ପାଇଁ ଏକ ଗୁରୁତର ପ୍ରଶ୍ନ ।

ଆହୁରି ଆଶ୍ଚର୍ଯ୍ୟର ବିଷୟ ହେଉଛି, ଯେଉଁ ଉଚ୍ଚନ୍ୟାୟାଳୟ ରାୟ ବିରୋଧରେ ସରକାର ସୁପ୍ରିମ୍ କୋର୍ଟକୁ ଯିବାକୁ ନିଷ୍ପତ୍ତି ନେଇଛନ୍ତି, ସେହି ସମାନ ଉଚ୍ଚନ୍ୟାୟାଳୟ ରାୟର ଆଧାରରେ ଅନ୍ୟ ମାମଲାରେ ସୁପ୍ରିମ୍ କୋର୍ଟକୁ ନଯାଇ ପଟ୍ଟା ପ୍ରଦାନ କରିବାକୁ ଆଦେଶ ଦିଆଯାଇଛି ।

ପୂର୍ବ ସରକାରଙ୍କ ସମୟରେ ଏହି ଲିଜ୍‌ ସମ୍ପର୍କିତ ମାମଲାରେ ସୁପ୍ରିମ୍ କୋର୍ଟକୁ ନଯିବା ପାଇଁ ଆଡଭୋକେଟ୍ ଜେନେରାଲଙ୍କ ମତ ମଧ୍ୟ ଥିବା କୁହାଯାଉଛି ।

ଏହି ବିରୋଧାଭାସୀ ଆଭିମୁଖ୍ୟ ଉପରେ ସରକାରଙ୍କ ପକ୍ଷରୁ ସ୍ପଷ୍ଟ, ଯୁକ୍ତିସଙ୍ଗତ ଓ ଆଇନସମ୍ମତ ବ୍ୟାଖ୍ୟା ଆବଶ୍ୟକ ।

୧୦ । କେବଳ କୋର୍ଟ କଚେରୀ ମାଧ୍ୟମରେ ସମାଧାନ ସମ୍ଭବ ନୁହେଁ:

ହଜାର ହଜାର ମାମଲାକୁ କେବଳ କୋର୍ଟ କଚେରୀ ମାଧ୍ୟମରେ ସମାଧାନ କରିବା ବ୍ୟବହାରିକ ନୁହେଁ ।

ସମସ୍ତ ନାଗରିକଙ୍କର ଦୀର୍ଘ ଆଇନଗତ ଲଢ଼େଇ କରିବାର ଆର୍ଥିକ ଓ ଶାରୀରିକ କ୍ଷମତା ନଥାଏ । ମାମଲା ବର୍ଷ ବର୍ଷ ଧରି ଚାଲିଥାଏ । କେତେକ କ୍ଷେତ୍ରରେ ଜଣେ ବ୍ୟକ୍ତିଙ୍କ ଜୀବନକାଳରେ ମଧ୍ୟ ମାମଲା ଶେଷ ହୋଇନପାରେ ।

ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ପୂର୍ବ ସରକାର, ମାନ୍ୟବର ରାଜ୍ୟପାଳଙ୍କ ଅନୁମୋଦନ କ୍ରମେ, ଅଧ୍ୟକ୍ଷ, ରାଜସ୍ୱ ପରିଷଦଙ୍କ ଅଧ୍ୟକ୍ଷତାରେ ୨୦୨୧ ମସିହାରେ ଏକ କମିସନ ଗଠନ କରିଥିଲେ ।

ସେହି କମିସନ ସମ୍ମୁଖରେ ପ୍ରତିନିଧିମାନେ ନିଜର ପକ୍ଷ ରଖିବାର ସୁଯୋଗ ପାଇଥିଲେ । ଡିସେମ୍ବର ୨୦୨୧ରେ କମିସନ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ ।

ସରକାର ପରିବର୍ତ୍ତନ ହୋଇଯିବାରୁ ସେହି ରିପୋର୍ଟ କାର୍ଯ୍ୟକାରୀ ହୋଇପାରିନାହିଁ ଏବଂ ବର୍ତ୍ତମାନ ଏହା କ୍ୟାବିନେଟ୍‌ ଅନୁମୋଦନ ଅପେକ୍ଷାରେ ଥିବା କୁହାଯାଉଛି ।

ଏତେ ଦୀର୍ଘ ସମୟ ଧରି ସରକାରୀ ସ୍ତରରେ ବିଚାରାଧୀନ ରହିଥିବା ଏହି ସମସ୍ୟାକୁ ଆଉ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଝୁଲାଇ ରଖିବା ନ୍ୟାୟସଙ୍ଗତ ନୁହେଁ ।

୧୧ । ଭୁବନେଶ୍ୱରର ବିକାଶ ଯୋଜନା:

ଭୁବନେଶ୍ୱର ସହରର କାୟା ବିସ୍ତାର ହେବା ସହିତ ନୂଆ ନୂଆ ଯୋଜନା ଅନୁସାରେ ଘରବାଡ଼ିର ଆବଶ୍ୟକତା ବୃଦ୍ଧି ପାଇଛି ।

ସେଥିପାଇଁ BDA ପକ୍ଷରୁ କଟକ, ଭୁବନେଶ୍ୱର ଓ ଖୋର୍ଦ୍ଧାକୁ ନେଇ Comprehensive Development Plan (CDP) ପ୍ରସ୍ତୁତ କରାଯାଇଛି । ଏଥିରେ ଭୁବନେଶ୍ୱର ଆଖପାଖର ଅନେକ ଗ୍ରାମକୁ ସାମିଲ କରାଯାଇଛି ।

ଯୋଜନା ଅନୁସାରେ ବିଭିନ୍ନ ଅଞ୍ଚଳକୁ ଐତିହ୍ୟ, ଆବାସିକ, ବାଣିଜ୍ୟିକ, ଅର୍ଦ୍ଧବାଣିଜ୍ୟିକ ଓ ଆନୁଷ୍ଠାନିକ ଅଞ୍ଚଳ ଭାବରେ ବିଭକ୍ତ କରାଯାଇଛି ।

ଫଳରେ ପୂର୍ବରୁ ଚାଷ ପାଇଁ ଲିଜ୍‌ ଦିଆଯାଇଥିବା ଅନେକ ଜମିରେ ଏବେ ଘରବାଡ଼ି ନିର୍ମାଣ ହୋଇପାରୁଛି ଏବଂ ଅନେକ ସ୍ଥାନରେ ନିର୍ମାଣ ହୋଇସାରିଛି ।

୧୨ । ପଥରଗାଡ଼ିଆ ଓ ଅନ୍ୟ ମୌଜାର ବର୍ତ୍ତମାନ ସ୍ଥିତି:

ଭୁବନେଶ୍ୱରର ଅନେକ ସଫ୍ଟୱେର କମ୍ପାନୀ ପଥରଗାଡ଼ିଆ ମୌଜା ନିକଟରେ ଥିବାରୁ ଏହି ମୌଜାକୁ ଆବାସିକ, ବାଣିଜ୍ୟିକ, ଆନୁଷ୍ଠାନିକ ଓ ଶିକ୍ଷାନୁଷ୍ଠାନିକ ବ୍ୟବହାର ପାଇଁ Final Modified CDPରେ ସାମିଲ କରାଯାଇଛି ।

ଭୁବନେଶ୍ୱର ପରିସୀମାରେ ଥିବା ସେହି ୧୬ଟି ମୌଜା, ଯେଉଁଠାରେ ଦିନେ ଚାଷ ପାଇଁ ଜମି ଲିଜ୍‌ ଦିଆଯାଇଥିଲା, ଆଜି ସେଗୁଡ଼ିକୁ କେବଳ ଚାଷ ଜମି ଭାବେ ଦେଖିବା ବାସ୍ତବତାକୁ ଅସ୍ୱୀକାର କରିବା ସମାନ ।

ଏହି ଅଞ୍ଚଳଗୁଡ଼ିକ ଏବେ ସହରୀ ଅଞ୍ଚଳର ଅଂଶ ଏବଂ ମାଷ୍ଟର ପ୍ଲାନରେ ଅନ୍ତର୍ଭୁକ୍ତ ।

ମାଷ୍ଟର ପ୍ଲାନ ଅନୁସାରେ ଅନେକ ସ୍ଥାନରେ ଘର, ଡାକ୍ତରଖାନା, ବିଦ୍ୟାଳୟ ଓ ଆବାସିକ ପ୍ରକଳ୍ପ ଗଢ଼ିଉଠିଛି । ଅନେକ କ୍ଷେତ୍ରରେ ଅନୁମୋଦିତ ପ୍ଲାନ ଅନୁସାରେ ନିର୍ମାଣ ହୋଇଛି ଏବଂ ତୃତୀୟ ପକ୍ଷଙ୍କୁ ବିକ୍ରୟ ମଧ୍ୟ ହୋଇଛି । ଏଥିରୁ ସରକାର ରାଜସ୍ୱ ପାଇଛନ୍ତି ।

୧୩ । ୧୯.୦୬.୨୦୨୫ର ରାଜସ୍ୱ ବିଭାଗର ଆଦେଶ:

ରାଜ୍ୟ ସରକାରଙ୍କ ରାଜସ୍ୱ ବିଭାଗ ୧୯.୦୬.୨୦୨୫ ତାରିଖରେ ସ୍ଥିତିବାନ ଜମିକୁ ପଟ୍ଟାଦାର ସତ୍ତ୍ୱକୁ ପରିବର୍ତ୍ତନ କରିବା ସମ୍ପର୍କରେ ଆଦେଶ ଦେଇଥିଲେ ।

ଏହା ବିରୋଧରେ ମାମଲା ହେବା ପରେ ମାନ୍ୟବର ଉଚ୍ଚନ୍ୟାୟାଳୟ ଉକ୍ତ ସରକାରୀ ଆଦେଶକୁ ରଦ୍ଦ କରିଥିଲେ । ଏହି ମାମଲା W.P.(C) No. 34954/2025, ତାରିଖ ୨୩.୧୨.୨୦୨୫ ।

ଏହି ରାୟର ଆଲୋକରେ ସମ୍ପୃକ୍ତ ରାଜସ୍ୱ ଅଧିକାରୀମାନେ ଆଇନସମ୍ମତ ଭାବେ ପରବର୍ତ୍ତୀ ପଦକ୍ଷେପ ନେବା ଆବଶ୍ୟକ ।

୧୪ । ଉଚ୍ଚନ୍ୟାୟାଳୟଙ୍କ ଆଦେଶର ଅସମାନ ଅନୁପାଳନ:

ବର୍ତ୍ତମାନ ମଧ୍ୟ ଦେଖାଯାଉଛି ଯେ ମାନ୍ୟବର ଉଚ୍ଚନ୍ୟାୟାଳୟରୁ ଆଦେଶ ପାଇବା ପରେ କେତେକ କ୍ଷେତ୍ରରେ ତହସିଲଦାର ପଟ୍ଟା ପ୍ରଦାନ କରୁଛନ୍ତି, ଆଉ କେତେକ କ୍ଷେତ୍ରରେ ପଟ୍ଟା ପ୍ରଦାନ କରାଯାଉନାହିଁ ।

ଏପରି ପରିସ୍ଥିତି ଦ୍ୱାରା ନାଗରିକମାନଙ୍କ ମଧ୍ୟରେ ଅସମାନ ବ୍ୟବହାର ଓ ପ୍ରଶାସନିକ ବିଷମତାର ଧାରଣା ସୃଷ୍ଟି ହେଉଛି ।

ବିଶେଷକରି ଯେଉଁ ମାମଲାରେ ମାନ୍ୟବର ଉଚ୍ଚନ୍ୟାୟାଳୟଙ୍କ ରାୟ ବିରୋଧରେ ସରକାରଙ୍କ ପକ୍ଷରୁ SLP ଦାଖଲ ହୋଇନାହିଁ ଏବଂ ରାୟ ଉପରେ କୌଣସି stay ନାହିଁ, ସେହି ମାମଲାରେ ଆଇନ ଅନୁଯାୟୀ ଆବଶ୍ୟକ consequential action ନେଇ ପଟ୍ଟା ପ୍ରଦାନ କରାଯିବା ଉଚିତ ।

W.P.(C) No. 7529/2020 ଏହାର ଏକ ଉଦାହରଣ—ସରକାର ଉକ୍ତ ରାୟକୁ ଚ୍ୟାଲେଞ୍ଜ ମଧ୍ୟ କରିନାହାନ୍ତି ଏବଂ ଏପର୍ଯ୍ୟନ୍ତ ତାହାର ଅନୁପାଳନ ମଧ୍ୟ ହୋଇନାହିଁ ।

୧୫ । ଜନସାଧାରଣଙ୍କ ଦାବି ଓ ପ୍ରାର୍ଥନା:

ଉପରୋକ୍ତ ସମସ୍ତ ତଥ୍ୟ, ଘଟଣାକ୍ରମ, ନ୍ୟାୟିକ ନିଷ୍ପତ୍ତି ଓ ପ୍ରଶାସନିକ ପରିସ୍ଥିତିକୁ ସମଗ୍ର ଭାବେ ବିଚାର କରି, ନିମ୍ନଲିଖିତ ଦାବିଗୁଡ଼ିକ ଉପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମହୋଦୟ ତୁରନ୍ତ, ଗୁରୁତ୍ୱପୂର୍ଣ୍ଣ ଓ ସହାନୁଭୂତିଶୀଳ ହସ୍ତକ୍ଷେପ କରିବାକୁ ନିବେଦନ କରାଯାଉଛି ।

୧ । ଲିଜ୍‌ ଜମିର ସ୍ଥାୟୀ ସମାଧାନ ପାଇଁ SOP:

ଲିଜ୍‌ ଜମି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ସରକାର ଏକ ସ୍ୱତନ୍ତ୍ର Standard Operating Procedure (SOP) ପ୍ରସ୍ତୁତ କରି ନିର୍ଦ୍ଦିଷ୍ଟ ଓ ସୀମିତ ସମୟସୀମା ମଧ୍ୟରେ ତାହା କାର୍ଯ୍ୟକାରୀ କରନ୍ତୁ ।

ଏହା ଦ୍ୱାରା ହଜାର ହଜାର ଲୋକ ଉପକୃତ ହେବେ ଏବଂ ସେଟଲମେଣ୍ଟ କାର୍ଯ୍ୟାଳୟ, ରାଜସ୍ୱ ପରିଷଦ ଓ ମାନ୍ୟବର ଉଚ୍ଚନ୍ୟାୟାଳୟରେ ପଡ଼ିରହିଥିବା ଶହ ଶହ ମାମଲାର ମଧ୍ୟ ସମାଧାନ ହୋଇପାରିବ ।

ଏହା ପ୍ରାୟ ୭୦–୮୦ ବର୍ଷର ପୁରୁଣା ସମସ୍ୟା । ଏହାର ସ୍ଥାୟୀ ସମାଧାନ ହେଲେ ସାଧାରଣ ଲୋକମାନେ ବର୍ତ୍ତମାନର ସରକାରଙ୍କ ପ୍ରଶାସନିକ ସଫଳତାର ପ୍ରତ୍ୟକ୍ଷ ଅନୁଭୂତି ପାଇପାରିବେ ।

୨ । ପାର୍ଚ୍ଚା ଆଧାରରେ ପଟ୍ଟା ପ୍ରଦାନ

ସେଟଲମେଣ୍ଟ ସମୟରେ ଆଇନସମ୍ମତ ଭାବେ ପ୍ରସ୍ତୁତ ଓ ଅନୁମୋଦିତ ପାର୍ଚ୍ଚାଗୁଡ଼ିକୁ ଯଥାଯଥ ଭାବେ ବିଚାର କରି, ଯେଉଁ କ୍ଷେତ୍ରରେ କୌଣସି ଆଇନଗତ ବାଧା ନାହିଁ, ସେହି କ୍ଷେତ୍ରରେ ତହସିଲଦାରଙ୍କ ମାଧ୍ୟମରେ ପଟ୍ଟା ପ୍ରଦାନ କରାଯାଉ ।

ଏହା W.P.(C) No. 12776/14 ଏବଂ W.P.(C) No. 11912/17ରେ ମାନ୍ୟବର ଉଚ୍ଚନ୍ୟାୟାଳୟଙ୍କ ନିଷ୍ପତ୍ତିର ମୂଳ ଆତ୍ମା ସହ ସମନ୍ୱିତ । ଉକ୍ତ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରାଯାଇନଥିବାରୁ ଏହାକୁ ସରକାର ଗ୍ରହଣ କରିଥିବା ପରିଲକ୍ଷିତ ହୁଏ ।

୩ । ଉଚ୍ଚନ୍ୟାୟାଳୟଙ୍କ ରାୟର ଅନୁପାଳନ:

ଯେଉଁ ମାମଲାରେ ମାନ୍ୟବର ଉଚ୍ଚନ୍ୟାୟାଳୟ ପଟ୍ଟା ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ସେହି ରାୟ ବିରୋଧରେ ସରକାରଙ୍କ ପକ୍ଷରୁ SLP ଦାଖଲ ହୋଇନାହିଁ ଓ କୌଣସି stay ନାହିଁ, ସେହି ସମସ୍ତ ମାମଲାରେ ତହସିଲଦାର ତୁରନ୍ତ ଆଇନସମ୍ମତ consequential action ନେଇ ପଟ୍ଟା ପ୍ରଦାନ କରନ୍ତୁ ।

୪ । SLP ସମ୍ପର୍କିତ ନୀତିର ପୁନର୍ବିଚାର:

ମାନ୍ୟବର ଉଚ୍ଚନ୍ୟାୟାଳୟଙ୍କ ଲିଜ୍‌ ଜମି ସମ୍ପର୍କିତ ରାୟଗୁଡ଼ିକ ବିରୋଧରେ ସୁପ୍ରିମ୍ କୋର୍ଟରେ SLP ଦାଖଲ କରିବା ସମ୍ପର୍କରେ ନିଆଯାଇଥିବା ପ୍ରସ୍ତାବର ସରକାର ପୁନଃବିଚାର କରନ୍ତୁ ।

ଯେଉଁ କ୍ଷେତ୍ରରେ ଆଇନଗତ ଭାବେ ଆବଶ୍ୟକତା ନାହିଁ, ସେଠାରେ SLP ଦାଖଲ ନକରି ମାନ୍ୟବର ଉଚ୍ଚନ୍ୟାୟାଳୟଙ୍କ ରାୟର ଅନୁପାଳନ କରାଯାଉ ।

୫ । W.P.(C) No. 1608/2014 ସମ୍ପର୍କରେ:

W.P.(C) No. 1608/2014 ସମ୍ପର୍କରେ ସରକାର ସୁପ୍ରିମ୍ କୋର୍ଟରେ ଆବେଦନ କରିବା ପାଇଁ ଯେଉଁ ନିର୍ଦ୍ଦେଶ ଦେଇଥିବା କୁହାଯାଉଛି, ତାହାର ପୁନର୍ବିଚାର କରାଯାଉ ।

ଏହି ମାମଲାରେ ଜମିର ପରିମାଣ ୫୦ ଡେସିମିଲ୍‌ରୁ କମ୍—ପ୍ରାୟ ୨୨୦୦ ବର୍ଗଫୁଟ୍‌ । ଏହି ଜମି ସମ୍ପର୍କରେ ହାଇକୋର୍ଟରେ ୪ଟି ମାମଲା ଓ ୨ଟି Contempt Case ସମେତ ମୋଟ ୬ଥର ବିଚାର ହୋଇଥିବା ଏବଂ ଥରେ ସୁପ୍ରିମ୍ କୋର୍ଟ ମଧ୍ୟ ଏହି ବିଷୟକୁ ବିଚାର କରିଥିବା ଉଲ୍ଲେଖ କରାଯାଉଛି ।

ଯଦି ମାମଲା ଚାଲିବାର ଖର୍ଚ୍ଚ ଜମିର ବଜାର ମୂଲ୍ୟଠାରୁ ଅଧିକ ହୋଇଯାଏ, ତେବେ ଏପରି ଦୀର୍ଘ ଆଇନଗତ ପ୍ରକ୍ରିୟା ସାଧାରଣ ନାଗରିକଙ୍କ ପାଇଁ ଅସହ୍ୟ ଆର୍ଥିକ ଓ ମାନସିକ ଭାରରେ ପରିଣତ ହୁଏ ।

ଏହି ବିଷୟରେ ପୂର୍ବରୁ ସରକାର ସୁପ୍ରିମ୍ କୋର୍ଟରେ ଅନେକ ମାମଲାରେ ପରାଜିତ ହୋଇଥିବା ଦାବି କରାଯାଉଛି । ତେଣୁ ଆଇନ ବିଭାଗ ଓ ସରକାର ଏହାର ସମସ୍ତ ପ୍ରାସଙ୍ଗିକ ଦିଗ ପୁନଃବିଚାର କରି, ଯେଉଁଠାରେ ଆଇନସମ୍ମତ ଭାବେ ସମ୍ଭବ, ସେଠାରେ ମାନ୍ୟବର ଉଚ୍ଚନ୍ୟାୟାଳୟଙ୍କ ଆଦେଶ ଅନୁପାଳନ କରି ପଟ୍ଟା ପ୍ରଦାନ କରିବା ଦିଗରେ ବିଚାର କରନ୍ତୁ ।

୬ । ଅନାବଶ୍ୟକ ମାମଲା ଏଡ଼ାଇବା:

ଯେଉଁ ମାମଲାଗୁଡ଼ିକ ଉଚ୍ଚନ୍ୟାୟାଳୟ ଓ ରାଜସ୍ୱ ପରିଷଦରେ ଖାରଜ ହୋଇଛି, ସେଗୁଡ଼ିକରେ ପୁନର୍ବାର ସୁପ୍ରିମ୍ କୋର୍ଟକୁ ଯାଇ ନାଗରିକ ଓ ସରକାରଙ୍କ ଉପରେ ଅନାବଶ୍ୟକ ଆଇନଗତ ଭାର ବଢ଼ାଇବା ପରିବର୍ତ୍ତେ, ଆଇନ ବିଭାଗର ଯଥାଯଥ ମତାମତ ନେଇ ଯେଉଁଠାରେ ଆଇନସମ୍ମତ ଭାବେ ସମ୍ଭବ, ସେଠାରେ ମାମଲାର ଅବସାନ କରାଯାଉ ।

୭ । ଘରବାଡ଼ି କିସମକୁ ପରିବର୍ତ୍ତନ:

ଯେଉଁ ଲିଜ୍‌ ଜମି ସମ୍ପର୍କରେ ତହସିଲଦାରଙ୍କ ଦ୍ୱାରା ଆଇନସମ୍ମତ ପଟ୍ଟା ପ୍ରଦାନ ହୋଇଛି ଏବଂ ଜମିକୁ ସ୍ଥିତିବାନ ମର୍ଯ୍ୟାଦା ଦିଆଯାଇଛି, ସେହି ଜମିର କିସମକୁ ପ୍ରଚଳିତ ଆଇନ ଓ ନିୟମ ଅନୁସାରେ ଘରବାଡ଼ି କିସମକୁ ପରିବର୍ତ୍ତନ କରିବା ପାଇଁ ADM, ଭୁବନେଶ୍ୱର ଆବଶ୍ୟକ ପଦକ୍ଷେପ ନିଅନ୍ତୁ ।

୮ । ୨୦୨୧ କମିସନର ରିପୋର୍ଟ:

୨୦୨୧ ମସିହାରେ ଗଠିତ କମିସନ ଦ୍ୱାରା ଦିଆଯାଇଥିବା ରିପୋର୍ଟକୁ ସରକାର ତୁରନ୍ତ ବିଚାର କରନ୍ତୁ ଏବଂ ଆବଶ୍ୟକ ହେଲେ କ୍ୟାବିନେଟ୍‌ ଅନୁମୋଦନ ମାଧ୍ୟମରେ ଏକ ସ୍ଥାୟୀ ଓ ସ୍ପଷ୍ଟ ନୀତି ଗ୍ରହଣ କରନ୍ତୁ ।

Gen-Z ନାଗରିକ ଆନ୍ଦୋଳନ ସମ୍ପର୍କରେ

ମହାଶୟ, ଉପରୋକ୍ତ ଦାବିଗୁଡ଼ିକ କେବଳ କିଛି ବ୍ୟକ୍ତିଙ୍କର ବ୍ୟକ୍ତିଗତ ଦାବି ନୁହେଁ । ଏହା ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳରେ ଦୀର୍ଘଦିନ ଧରି ଲିଜ୍‌ ଜମି ସମସ୍ୟାରେ ପୀଡ଼ିତ ଅନେକ ପରିବାରଙ୍କର ସାମୂହିକ ଓ ନ୍ୟାୟସଙ୍ଗତ ଦାବି ।

ଯଦି ସରକାର ଏହି ୭୦–୮୦ ବର୍ଷର ପୁରୁଣା ସମସ୍ୟାର ସମୟବଦ୍ଧ ଓ ସ୍ଥାୟୀ ସମାଧାନ ପାଇଁ ଠୋସ ପଦକ୍ଷେପ ନ ନିଅନ୍ତି, ତେବେ ପ୍ରଭାବିତ ନାଗରିକମାନେ Gen-Z ପ୍ଲାଟଫର୍ମ ଅଧୀନରେ ଏକ ଶାନ୍ତିପୂର୍ଣ୍ଣ, ଅହିଂସାମୂଳକ ଓ ସାମ୍ବିଧାନିକ ଗଣତାନ୍ତ୍ରିକ ପ୍ରଦର୍ଶନ କରିବାକୁ ବାଧ୍ୟ ହେବେ ।

ଏହି ପ୍ରଦର୍ଶନ କୌଣସି ବ୍ୟକ୍ତି, ଅଧିକାରୀ ବା ରାଜନୈତିକ ଦଳ ବିରୋଧରେ ନୁହେଁ ।

ଏହାର ଏକମାତ୍ର ଉଦ୍ଦେଶ୍ୟ ହେବ—

“ନ୍ୟାୟସଙ୍ଗତ ଅଧିକାରର ସମାନ ଅନୁପାଳନ, ମାନ୍ୟବର ଉଚ୍ଚନ୍ୟାୟାଳୟଙ୍କ ରାୟର ସମ୍ମାନ, ପାର୍ଚ୍ଚା ଆଧାରରେ ପଟ୍ଟା ପ୍ରଦାନ ଏବଂ ୭୦–୮୦ ବର୍ଷର ଲିଜ୍‌ ଜମି ସମସ୍ୟାର ସ୍ଥାୟୀ ସମାଧାନ ।”

ଆମର ଦୃଢ଼ ଆଶା ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ଗଣତାନ୍ତ୍ରିକ ଦାବିକୁ ଏକ ଆନ୍ଦୋଳନର ରୂପ ନେବା ପୂର୍ବରୁ ଗଭୀରତାର ସହିତ ଓ ସମ୍ବେଦନଶୀଳ ଭାବେ ବିଚାର କରିବେ ଏବଂ ଏହି ଦୀର୍ଘଦିନର ସମସ୍ୟାର ଏକ ସ୍ଥାୟୀ, ସ୍ୱଚ୍ଛ, ସମାନ, ନିରପେକ୍ଷ ଓ ଆଇନସମ୍ମତ ସମାଧାନ ପାଇଁ ତୁରନ୍ତ ପ୍ରଶାସନିକ ପଦକ୍ଷେପ ନେବେ ।

ଏହି ମାମଲାରେ ଶୀଘ୍ର ଏକ ଉଚ୍ଚସ୍ତରୀୟ ବୈଠକ ଡାକି, ସମସ୍ତ ସମ୍ପୃକ୍ତ ବିଭାଗ ଓ ପ୍ରତିନିଧିମାନଙ୍କ ସହ ଆଲୋଚନା କରି ଏକ ସ୍ପଷ୍ଟ, ସମୟବଦ୍ଧ ଓ କାର୍ଯ୍ୟକ୍ଷମ କାର୍ଯ୍ୟପନ୍ଥା ଘୋଷଣା କରିବାକୁ ମଧ୍ୟ ଅନୁରୋଧ କରାଯାଉଛି ।

ଏହା କେବଳ ଏକ ନିବେଦନ ନୁହେଁ; ଏହା ଦୀର୍ଘଦିନ ଧରି ଅପେକ୍ଷାରତ ନାଗରିକମାନଙ୍କର ନ୍ୟାୟସଙ୍ଗତ ଅଧିକାର, ଆଇନର ଶାସନ ଏବଂ ସମାନ ପ୍ରଶାସନିକ ବ୍ୟବହାର ପାଇଁ ଏକ ଦୃଢ଼ ଗଣତାନ୍ତ୍ରିକ ଆହ୍ୱାନ ।

ବିନୀତ,

Lokanath Mishra
Mobile: 9437314941
Email: jailoknathjee@gmail.com

ଅନୁଲିପି ପ୍ରେରଣ

୧ । ମାନ୍ୟବର ରାଜସ୍ୱ ମନ୍ତ୍ରୀ, ଓଡ଼ିଶା ସରକାର, ଭୁବନେଶ୍ୱର ।

୨ । ମୁଖ୍ୟ ଶାସନ ସଚିବ, ଓଡ଼ିଶା ସରକାର, ଭୁବନେଶ୍ୱର ।

୩ । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ସଚିବ, ଓଡ଼ିଶା ସରକାର, ଭୁବନେଶ୍ୱର ।

୪ । ଜିଲ୍ଲାପାଳ, ଖୋର୍ଦ୍ଧା ।

୫ । ଅତିରିକ୍ତ ଜିଲ୍ଲାପାଳ, ଭୁବନେଶ୍ୱର ।

୬ । ତହସିଲଦାର, ଭୁବନେଶ୍ୱର ।

Leave a Comment

Your email address will not be published. Required fields are marked *