Kartika Mahatmya

କାର୍ତ୍ତିକ ମାହାତ୍ମ୍ୟ (ଭାଗ -୧)

🍂🍃🍂କାର୍ତ୍ତିକ ମାହାତ୍ମ୍ୟ 🍂🍃🍂
(ଭାଗ -୧)
—————🌺🌺🌺🌺—————

କାର୍ତ୍ତିକ ମାହାତ୍ମ୍ୟ ଆରମ୍ଭ କରିବା ପୃର୍ବରୁ ଭଗବାନ ଶ୍ରୀକୃଷ୍ଣ ପ୍ରଭୁ ଦାମୋଦର ଙ୍କ ଚରଣରେ ଶରଣ ହୋଇ ତାଙ୍କ ପାଦ ପଦ୍ମରେ ଅନନ୍ତ କୋଟି ଦଣ୍ଡବତ ଜଣାଉଅଛି । ହେ ! ଅଶେଷ ବ୍ରହ୍ମାଣ୍ଡର ନାଥ ଯାହାଙ୍କ ଚରିତ ଶୁଣିଲେ ପୁଣ୍ୟ ମିଳେ , ଆରତ ଜନଙ୍କୁ ଯିଏ ନିଜ ଅଭୟ ପାଦପଦ୍ମ ରେ ଆଶ୍ରୟ ଦିଅନ୍ତି , ମାତା କମଳା ଙ୍କୁ ଆଶ୍ରାକରି ଯିଏ ସର୍ବଦା ରହିଥାନ୍ତି ,ବ୍ରହ୍ମା ଆଦି ସକଳ ଦେବତା ଯାହାଙ୍କୁ ସ୍ତୁତି କରନ୍ତି ,ସୁର ,ମୁନି ଗଣ ଯାହାଙ୍କର ବନ୍ଦନା ନିତ୍ୟ କରୁଥାନ୍ତି ।ମହାଦେବ ଯାହାଙ୍କର ପାଦ ରେ ବାସ କରନ୍ତି ,ଯାହାଙ୍କର ଆଦ୍ୟ ନାହିଁ କି ପ୍ରାନ୍ତ ନାହିଁ ,ଆରମ୍ଭ ନାହିଁ କି ଶେଷ ନାହିଁ ଏ ଛାର ଅଧମ ତାଙ୍କ ନାମ କୁ କଣ ବା ବର୍ଣ୍ଣନା କରିବ । ଯାହାଙ୍କର ମହିମାକୁ ଦେବ ଦାନବ ଜାଣି ପାରନ୍ତି ନାହିଁ ସେହି ପରମକାରୁଣୀଙ୍କ ରସରାଜ ରସିକ ଚୂଡ଼ାମଣି ଭଗବାନ ଶ୍ରୀକୃଷ୍ଣ ଙ୍କ ଅଭୟ ପାଦତଳେ ବିନମ୍ର ପ୍ରଣାମ । କାର୍ତ୍ତିକ ମାହାତ୍ମ୍ୟ କଣ ?କାର୍ତ୍ତିକ ମାହାତ୍ମ୍ୟ କାହିଁକି ? ଏ ମାସରେ କଣ କରାଯାଏ ? କାହାକୁ ଭଜନ କରାଯାଏ ? କେଉଁ ଶାସ୍ତ୍ର ପଢ଼ାଯାଏ ? କେତେବେଳେ ଉଠିବା ଓ କେତେବେଳେ ଶୋଇବା ଓ କେତେବେଳେ ଖାଇବା ଏସବୁ ଜୀବନ ଚର୍ଚ୍ଚା ଥୋଇଦେଇଛି କାର୍ତ୍ତିକ ମାହାତ୍ମ୍ୟ ।ଯାହା ଫଳରେ ଆମେମାନେ ଭଗବାନଙ୍କ ଚରଣାବୃନ୍ଦ କୁ ଆସିବା ।

ସମସ୍ତ ସାଧୁମାନେ ନୈମିଶ୍ୟା ଅରଣ୍ୟରେ ପଚାରୁଛନ୍ତି ସୂତ ମୁନିଙ୍କୁ ହେ ମୁନି ! ସଂସାରୁ ରୁ ମନୁଷ୍ୟ ମୁକ୍ତି ପାଇବା ପାଇଁ କଣ ଉପାୟ ଅଛି ଆମ୍ଭମାନଙ୍କୁ କୁହନ୍ତୁ ମୁନିବର ? ହେ ମୁନି ଆମେ କଣ ଧର୍ମ ଆଚରଣ କରିବୁ ? ଏଠାରେ କହି ରଖୁଛି ବନର ନାମ ନୈମିଶ୍ୟା ଅରଣ୍ୟ କାହିଁକି ହେଲା ? ଦିନେ ବ୍ରହ୍ମାଙ୍କ ନିକଟରେ ସମସ୍ତ ୠଷି ମାନେ ଯାଇ ପ୍ରାର୍ଥନା କଲେ ଓ କହିଲେ ଏମିତି ଗୋଟିଏ ଆମକୁ ଆଶ୍ରୟ ଦିଅ !ଏମିତି ଗୋଟିଏ ଆମକୁ ଆଶ୍ରମ ଦିଅ ଯେଉଁଠି ଲୋକ ମାନଙ୍କର ଗହଳ ଚହଳ କିଛି ନଥିବ । ହରି ନାମ ଭଜନ କୀର୍ତ୍ତନ କରିବାକୁ ଉପଯୁକ୍ତ ସ୍ଥାନ ହୋଇଥିବ ସେମିତି ଗୋଟିଏ ଜାଗା ଆମକୁ ଦିଅ ବେଦପତି ! ବ୍ରହ୍ମା ମାନସ ପଟରୁ ଗୋଟିଏ ରଥ ଛାଡି ଦେଲେ ଓ କହିଲେ ହେ ୠଷି ଗଣ ରଥ ଗଡି ଗଡି ଯାଉଛି । ରଥର ଚକ ଯେଉଁଠାରେ ରହିଯିବ ତାହାର ନେମି ଯେଉଜାଗାରେ ପଡିଯିବ ସେହି ଜାଗାକୁ ବିଚାର କରି ସେହି ଜାଗାରେ ତୁମେ ଭଗବାନ ଙ୍କୁ ସ୍ମରଣ କରିବ। ରଥର ନେମି ସେହି ଅରଣ୍ୟ ରେ ପଡିବାରୁ ତାହାର ନାମ ହେଲା ନୈମିଶ୍ୟା ଅରଣ୍ୟ । ଏଠାରେ ଆମେ ଜାଣିବା ସୂତ କିଏ ? ତାଙ୍କ ପିତାଙ୍କ ନାମ କଣ ? ସେ କଣ କରନ୍ତି ? ଦେବତା ମାନଙ୍କ ମଧ୍ୟରେ ଯେମିତି ଜଣେ ଅଛନ୍ତି ପୁରାଣ ପଣ୍ଡା ସେମିତି ୠଷି ମାନଙ୍କ ମଧ୍ୟରେ ଜଣେ ଅଛନ୍ତି ପୁରାଣ ପଣ୍ଡା । ସେମିତି ଏକ ପୁରାଣ ପଣ୍ଡା ହେଉଛନ୍ତି ମହର୍ଷି ଲୋମ ହର୍ଷଣ ! ଲୋମ ହର୍ଷଣ ଥିଲେ ଜଣେ ପ୍ରସିଦ୍ଧ ୠଷି ଜଣେ ବିଦ୍ୱାନ ୠଷି ,ଜଣେ ପ୍ରଚଣ୍ଡ ୠଷି । ଜ୍ଞାନ ରମୂର୍ତ୍ତି ଥିଲେ ୠଷି ଲୋମ ହର୍ଷଣ ,କିନ୍ତୁ ତାଙ୍କ ମନରେ ଜ୍ଞାନର ଅହଂକାର ଥିଲା । ଦିନେ ୠଷି ଲୋମ ହର୍ଷଣ କାମ୍ୟକ ବନରେ ଅନ୍ୟ ୠଷି ମାନଙ୍କୁ ସୁନ୍ଦର ପ୍ରବଚନ ଶୁଣାଉଥାଆନ୍ତି । ଏପଟେ ମହାଭାରତ ଯୁଦ୍ଧ ଲାଗିଯାଇଛି । ଭଗବାନ ଶ୍ରୀକୃଷ୍ଣ ପାଣ୍ଡଵ ମାନଙ୍କ ପକ୍ଷରୁ ସାରଥୀତ୍ୱ ଗ୍ରହଣ କରି ସେବା କରୁଛନ୍ତି । ବଡ଼ ଭାଇ ବଳରାମ ଙ୍କୁ ବନ ଭ୍ରମଣରେ ପଠାଇ ଦେଇଛନ୍ତି । ବଳଭଦ୍ର ଭଗବାନ ! ଯିଏ ପ୍ରତି ମୁହୂର୍ତ୍ତରେ ରେ କୋପ କରନ୍ତି । ତମ ଗୁଣର ଏକ ଅପୂର୍ବ ଅଙ୍ଗ ଭାବ ତାଙ୍କ ଠାରେ ପରିପୂର୍ଣ୍ଣ ହୋଇ ରହିଥାଏ ।ଯେକୌଣସି ସଗ୍ରାମ ରେ ବଳଦେବ ଙ୍କୁ ଡାକିଲେ ବିଜୟ ହୁଏ ବୋଲି ବିଶ୍ୱାସ ଅଛି । ବଳଭଦ୍ର ଚାଲି ଯାଉଛନ୍ତି କାମ୍ୟକ ବନରେ । ୠଷି ମାନେ ଦେଖିଲେ ଅପୂର୍ବ କାନ୍ତି ବଳଦେବଙ୍କର । ୠଷି ମାନେ ବଡ଼ ଠାକୁରଙ୍କୁ ଦେଖି ପ୍ରଣିପାତ କଲେ । ବଡ଼ ଠାକୁର ଆଶୀର୍ବାଦ ମୁଦ୍ରା ଦେଖାଇ ଦେଇଛନ୍ତି ୠଷି ମାନଙ୍କୁ । କିନ୍ତୁ ୠଷି ଲୋମ ହର୍ଷଣ ବଡ଼ ଠାକୁରଙ୍କୁ ଦେଖି ନିଜ ସ୍ଥାନରୁ ଉଠିଲେ ନାହିଁ କି ନମସ୍କାର କରିଲେ ନାହିଁ ? ଲୋମ ହର୍ଷଣ ଭାବିଲେ ମୋ ଜ୍ଞାନ ଠାରୁ ବଳଦେବ ଙ୍କର ଜ୍ଞାନ ଅଧିକ ନୁହେଁ ? ତେଣୁ ସେ ଆସି ମୋତେ ନମସ୍କାର କରିବା ଉଚିତ ! ବଡ଼ ଠାକୁର ଆସି ସମ୍ବୋଧନ କଲେ କିନ୍ତୁ ଲୋମ ହର୍ଷଣ ଶୁଣିଲେ ନାହିଁ ? କିଛି ସମୟ ପରେ ଲୋମ ହର୍ଷଣ ବଡ଼ ଠାକୁରଙ୍କୁ ଗଉଡ଼ ମୂର୍ଖ ବୋଲି ଉଚ୍ଚାରଣ କଲେ ! ଜ୍ଞାନର ଅହଂକାର ତାଙ୍କୁ ଖାଇଗଲା । ବହୁ କଟୁ ଭାଷାରେ ୠଷି ବଡ ଠାକୁରଙ୍କୁ ଝିଙ୍ଗାସିଲେ । ବଡ଼ ଠାକୁର କି ଛାଡନ୍ତେ !ବଡ଼ ଠାକୁର କହିଲେ ଆରେ ! ଯାହା କୃପାରେ ତୁ ଏତେ ବଡ଼ ହୋଇଛୁ ତାକୁ ପୁଣି ଅବଜ୍ଞା କରୁଛୁ ? ଏହାକହି ବଡ଼ଠାକୁର ଗୋଟିଏ ଚାପୁଡ଼ା ମାରିଲେ ଲୋମ ହର୍ଷଣ ୠଷି ଙ୍କୁ । ମୁଣ୍ଡରୁ ଗଣ୍ଡି ଅଲଗା ହୋଇଗଲା ଋଷିଙ୍କର । ବଡ଼ ଠାକୁର ମାରିଦେଲେ ସିନା କିନ୍ତୁ ପଛରେ ପଶ୍ଚାତାପ କଲେ ଓ କହିଲେ ମୁଁ କେଡେ ଭୁଲ କଲି ? ୠଷି ମାନେ ବଳଭଦ୍ର ଙ୍କ ଆଗରେ କାନ୍ଦିଲେ ଓ କହିଲେ ଆପଣ ଆମ ପୁରାଣ ପଣ୍ଡା ଙ୍କୁ ମାରି ଦେଲେ ,କିଏ ଆଉ ଆମକୁ ପୁରାଣ ଶୁଣାଇବ ? ବଳଭଦ୍ର କହିଲେ ଲୋମ ହର୍ଷଣ ର ପୁଅ କିଏ ଅଛି ତାକୁ ଡାକ ? ୠଷି ମାନେ କହିଲେ ହେ ହଳଧର ! ଲୋମ ହର୍ଷଣ ର ଗୋଟିଏ ପାଞ୍ଚ ବର୍ଷ ର ପୁଅ ଅଛି ! ସେ କଣ ଆମକୁ ପୁରାଣ ଶୁଣାଇବ ? ପ୍ରଭୁ ତା ନାମ “ଉଗ୍ରଶ୍ରବା” ।ବଡ଼ଠାକୁରଙ୍କ ଆଜ୍ଞାପାଇ ୠଷି ମାନେ ଉଗ୍ରଶ୍ରବା କୁ ଘରୁ ଉଠାଇ ଆଣିଲେ । ଅଖିଳ ବ୍ରହ୍ମାଣ୍ଡ ନାଥ ଅକୃତ କ୍ରତା ରେବତୀ କାନ୍ତ ଯେତେବେଳେ ଉଗ୍ରଶ୍ରବା ଦେହରେ ହାତ ଲଗାଇ ଦେଲେ ସେହି ସମୟରେ ପିଲାଟି ବଡ଼ ହୋଇଗଲା । ଉଗ୍ରଶ୍ରବା କୁ ଅତି ମାନସ ଶକ୍ତି ଦେଲେ ବଡ଼ ଠାକୁର ଛୋଟରୁ ବଡ଼ ହୋଇଗଲା । ପ୍ରଚଣ୍ଡ ଜ୍ଞାନୀ ହୋଇଗଲା । ବଡ଼ ଠାକୁର ବଳଭଦ୍ର କହିଲେ ଆଜିଠାରୁ ଉଗ୍ରଶ୍ରବା ନାମ ଲୋପ ପାଇଗଲା । ତୋରନାମ ରହିଲା ସୂତ । ରାମାୟଣ ଦେଖନ୍ତୁ ,ମହାଭାରତ ଦେଖନ୍ତୁ କି ଭାଗବତ ଦେଖନ୍ତୁ ସବୁଠାରେ ସୂତ ଉବାଚ ଅଛି । ଆଜି ମଧ୍ୟ ସୂତ ମୁନି ଙ୍କୁ ପଚାରୁ ଛନ୍ତି ସମସ୍ତ ଋଷି ମାନେ ଏ ସଂସାରରେ କେଉଁ ଧର୍ମ ଆଚରଣୀୟ ! କେଉଁ ମାସ ପବିତ୍ର ମାସ ? କେଉଁ ମାସରେ ଆମେ ବ୍ରତ କରିବୁ ? ସେ ସମସ୍ତ କଥା ଆମ ଆଗରେ କୁହନ୍ତୁ ?

ଅଶେଷ ଧର୍ମ ବନ୍ଧ ନାଶୀ
ଅନ୍ତେ ବୈକୁଣ୍ଠ ପୁରେ ବସି
ବିଷ୍ଣୁ କୈବଲ୍ୟ ଭୋଗ କରେ
ବିଧର୍ମ ସଂସାରେ ପ୍ରଚାରେ ।
ଏମନ୍ତ ଧର୍ମ ଅଛି କାହିଁ
ଭୋ ମୁନି କହ ଦୟା ବହି ।
ଏମନ୍ତ ମୁନି ଙ୍କର ପ୍ରଶ୍ନେ
ସୂତ କହନ୍ତି ତୋଷ ମନେ ।

         ସୂତ କହିଲେ ମୁଁ ତୁମକୁ କହିଲେ ମୁଁ ହେବି ଉତ୍ତରଦାତା । ତମେ ମାନେ ପ୍ରଶ୍ନ ପଚାରିଲେ ତମେ ସବୁ ହେବ ପ୍ରଶ୍ନ କର୍ତ୍ତା । ଏ ପ୍ରଶ୍ନ  କର୍ତ୍ତା ,ଉତ୍ତର କର୍ତ୍ତା ମଧ୍ୟରୁ ମୁଁ ଆଉ ଜଣଙ୍କୁ ପଚାରି ଥିଲି ।ଅନ୍ୟ ୠଷି ମାନେ କହିଲେ ସେ କିଏସେ ? ସୂତ କହିଲେ ମୁଁ ପ୍ରଶ୍ନକର୍ତ୍ତା ହୋଇଥିଲି ଉତ୍ତର ଦାତା ହୋଇଥିଲେ ଭଗବାନ ବ୍ୟାସ । ବ୍ୟାସ ମୋତେ କହିବା ପୂର୍ବରୁ ସେ ଆଉ ଜଣଙ୍କ ଠାରୁ ଶୁଣିଥିଲେ । ୠଷି ମାନେ କହିଲେ ସେ କିଏ ? ସୂତ ମୁନି କହିଲେ ସେ ହେଉଛନ୍ତି ଭଗବାନ ବିଷ୍ଣୁ ! ସ୍ୱୟଂ ଶ୍ରୀକୃଷ୍ଣ ଭଗବାନ । ତାଙ୍କୁ ପଚାରିଥିଲେ ତାଙ୍କ ଧର୍ମପତ୍ନୀ ସତ୍ୟଭାମା । ୠଷି ମାନେ କହିଲେ କୋଉଠି ସତ୍ୟଭାମା ଭଗବାନ ଶ୍ରୀକୃଷ୍ଣ ଙ୍କୁ ଏକଥା ପଚାରିଥିଲେ ? ସୂତ ମୁନି କହିଲେ ସତ୍ୟଭାମା ଭଗଵାନ ଶ୍ରୀକୃଷ୍ଣଙ୍କୁ ଦ୍ୱାରକାପୁରରେ ପଚାରି ଥିଲେ । ୠଷି ମାନେ କହିଲେ ସତ୍ୟଭାମା କାହିଁକି ଏକଥା ପଚାରିଥିଲେ  ? ସତ୍ୟଭାମା କହିଲେ ଯେତେ ବ୍ରତ ଅଛି ସବୁଠାରୁ ଶ୍ରେଷ୍ଠ ବ୍ରତ କଣ ନାଥ ମୋତେ କୁହ ?ନାଥ ମୋତେ କୁହ ....!

     କାର୍ତ୍ତିକ ମାହାତ୍ମ୍ୟ ବିଷୟ ଅବଗତ ହେବା ପୂର୍ବରୁ ଆମେ ଏହା ବିଷୟରେ ସମ୍ୟକ ଧାରଣ ନେବା କେଉଁ ପୁରାଣ ଏହା ବିଷୟରେ କଣ କୁହେ .........!

୧) ପୁରାଣ ଅନୁସାରେ, ଆଷାଢ ଶୁକ୍ଳ ଏକାଦଶୀଠାରୁ ଭଗବାନ ବିଷ୍ଣୁ ଚାରି ମାସ ଲାଗି ଅନନ୍ତ ଶୟନ କରନ୍ତି, ଏହି ଦିନକୁ ହରି ଶୟନ ଏକାଦଶୀ ବୋଲି କୁହାଯ।ଏ ଏବଂ କାର୍ତ୍ତିକ ଶୁକ୍ଳ ଏକାଦଶୀ ଅର୍ଥାତ୍ ହରି ଉଜାପନ ଏକାଦଶୀରେ ଭଗବାନ ବିଷ୍ଣୁ ନିଦରୁ ଉଠନ୍ତି। ଏହି ଚାରି ମାସ କେହି କେହି ଚର୍ତୁମାସ୍ୟା ବ୍ରତ ରଖି ହରି ଉଜାପନ ଏକାଦଶୀରେ ସମାପନ କରନ୍ତି।
(୨) ପଦ୍ମ ପୁରାଣ ଅନୁସାରେ, କାର୍ତ୍ତିକ ବ୍ରତ ଆଶ୍ଵିନ ଶୁକ୍ଳ ଏକାଦଶୀଠାରୁ କାର୍ତ୍ତିକ ଶୁକ୍ଳ ପୂର୍ଣ୍ଣିମା ପର୍ଯ୍ୟନ୍ତ ପାଳନ କରାଯାଇଥାଏ ।
ତେବେ ନାରଦ ପୁରାଣ ଅନୁସାରେ, କୃତ୍ତିକା ନକ୍ଷତ୍ରଯୁକ୍ତ ଚନ୍ଦ୍ରମାସ ହେଉଛି କାର୍ତ୍ତିକ ମାସ ଆଉ ଏହା ଆଶ୍ଵିନ ପରେ ପଡ଼େ।
(୩) ସ୍କନ୍ଧ ପୁରାଣରେ କୁହାଯାଇଛି ଯେ- କାର୍ତ୍ତିକ ପରି ମାସ ହିଁ ନାହିଁ, ଯେମିତି ଗଙ୍ଗା ପରି ତୀର୍ଥ ନାହିଁ କି ସତ୍ୟ ଯୁଗ ପରି ଯୁଗ ନାହିଁ।ଏସବୁ ବିଶ୍ବାସର ଆଧାରରେ କାର୍ତ୍ତିକକୁ ପୁଣ୍ୟ ମାସ ଭାବେ ଧରାଯାଏ।
(୪) ଏହା ଧର୍ମ ମାସ ହୋଇଥିବାରୁ ଓଡ଼ିଶାବାସୀ ମାସଟିକୁ ନିଷ୍ଠାର ସହ ପାଳନ କରିଥାନ୍ତି । ବିଶେଷକରି ମହିଳାମାନେ ମାସ ସାରା ହବିଷ କରି କାର୍ତ୍ତିକ ବ୍ରତ ରଖନ୍ତି। କେହି କେହି ମାସ ସାରା ପାଳି ନପାରିଲେ ମାସର ଶେଷ ପାଞ୍ଚଦିନ ପଞ୍ଚୁକ ବ୍ରତ ପାଳନ କରନ୍ତି ।
(୫) ଏହି ମାସ ବଡ଼ ଦେଉଳରେ ଦୈନନ୍ଦିନ ରୀତିନୀତି ଛଡ଼ା ଆଉ କେତେକ ସ୍ଵତନ୍ତ୍ର ନୀତି ପାଳନ କରାଯାଏ। ସେଗୁଡ଼ିକ ହେଉଛି- ମହାପ୍ରଭୁଙ୍କ ରାଧାଦାମୋଦର ବେଶ, ପଞ୍ଚୁକ ବେଶ, ବାଳଧୂପ ଇତ୍ୟାଦି।ଏହି ସମୟରେ ଦୀପାବଳିରେ ଦୀପଦାନ, ବୋଇତ ବନ୍ଦାଣ, ରାଧାଦାମୋଦର ପୂଜା ସାଙ୍ଗକୁ ବଡ଼ଓଷା ବା ବାଲୁକା ପୂଜା ବି କରାଯାଏ ।
(୬) ଅନ୍ୟ ମାସ ଅପେକ୍ଷା କାର୍ତ୍ତିକ ମାସରେ ଅଧିକ ପୁଣ୍ୟ ତିଥି ପଡ଼େ।ଏହାରି ଭିତରେ ରହିଛି ଗୋବତ୍ସା ଦ୍ୱାଦଶୀ, ଧନ ତ୍ରୟୋଦଶୀ, ନରକ ଚତୁର୍ଦ୍ଦଶୀ, କାଳୀ ପୂଜା, ଦୀପାବଳି ଓ ପୟାଶ୍ରାଦ୍ଧ, ଯମ ଦ୍ୱିତୀୟା, ନାଗ ଚତୁର୍ଥୀ, ଲାଭ ପଞ୍ଚମୀ, ଛଟ୍ ପୂଜା, ଗୋଷ୍ଠାଷ୍ଟମୀ ବା ଗୋପାଷ୍ଟମୀ, ଅଁଳା ନବମୀ, ଭୀଷ୍ମ ପଞ୍ଚକ, ଦେବଉତ୍ଥାପନ ଏକାଦଶୀ ବା ପ୍ରବୋଧିନୀ ଏକାଦଶୀ, ଗରୁଡ଼ ଦ୍ୱାଦଶୀ, ବୈକୁଣ୍ଠ ଚତୁର୍ଦ୍ଦଶୀ ଓ ରାସ ପୂର୍ଣ୍ଣିମା।

(୭) ପଞ୍ଚୁକ ପାଞ୍ଚ ଦିନ ଶ୍ରୀମନ୍ଦିରରେ ମହାପ୍ରଭୁ ଭିନ୍ନ ଭିନ୍ନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥାନ୍ତି। କାର୍ତ୍ତିକ ଶୁକ୍ଳ ଏକାଦଶୀରେ ଲକ୍ଷ୍ମୀନାରାୟଣ ବେଶ ବା ଠିଆକିଆ ବେଶ, ଦ୍ଵାଦଶୀରେ ବାଙ୍କଚୂଡ଼ା ବେଶ, ତ୍ରୟୋଦଶୀରେ ତ୍ରିବିକ୍ରମ ବେଶ, ଚତୁର୍ଦ୍ଦଶୀରେ ଲକ୍ଷ୍ମୀନୃସିଂହ ବେଶ ଓ କାର୍ତ୍ତିକ ପୂର୍ଣ୍ଣିମାରେ ଠାକୁରଙ୍କ ରାଜରାଜେଶ୍ଵର ବେଶ, ସୁନାବେଶ ବା ରାଜବେଶ ଅନୁଷ୍ଠିତ ହୁଏ।
(୮) ପଞ୍ଚୁକ ମଳ ବା ଛଅ ଦିନ ହେଲେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ କରାଯିବା ପରମ୍ପରା ରହିଛି।
(୯) କାର୍ତ୍ତିକ ଶୁକ୍ଳପକ୍ଷ ଦଶମୀ ଗୁରୁବାରରେ ପଡ଼ିଲେ, ତାକୁ ମହିଳାମାନେ ସୁଦଶା ବ୍ରତ ରୂପେ ପାଳନ କରନ୍ତି। ଏଥିରେ ଲକ୍ଷ୍ମୀଙ୍କ ପୂଜା କରାଯାଏ । ଏଥିରେ ଦଶ ପାଖୁଡ଼ା ପଦ୍ମ, ଦଶବର୍ଣ୍ଣ ମୁରୁଜ, ଦଶମୁଖୀ ଦୀପ, ଦଶମୁଠି ଚାଉଳ, ଦଶମେଞ୍ଚା କଦଳୀ, ଦଶଟି ମଣ୍ଡା ଓ ଲକ୍ଷ୍ମୀଙ୍କ ପ୍ରତୀକ ରୂପେ ଲକ୍ଷ୍ମୀଙ୍କ ଦଶନାମ (ଲକ୍ଷ୍ମୀନାରାୟଣୀ, କମଳିନୀ, ଶ୍ରୀହରିପ୍ରିୟା, ପଦ୍ମାଳୟା, କମଳା, ଚଞ୍ଚଳା, ବିଘ୍ନସେନୀ, ସିନ୍ଧୁର ଦୁଲଣୀ, ଦୁର୍ଗତିନାଶିନୀ ଓ ବିଷ୍ଣୁ ପାଟରାଣୀ) ମନେପକାଇ ଦଶଖିଅ ଧଳାସୂତାର ଏକ ବ୍ରତ ପୂଜା କରାଯାଏ। ବ୍ରତକୁ ପରବର୍ତ୍ତୀ ସୁଦଶା ବ୍ରତ ଯାଏ ବ୍ୟବହାର କରାଯାଏ।
(୧୦) କାର୍ତ୍ତିକ ମାସରେ ପୁରୀରେ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ହବିଷ୍ୟାଳି ଭିଡ଼ ଜମାନ୍ତି ।ସେମାନେ ସକାଳୁ ତୀର୍ଥ ପୁଷ୍କରିଣୀରେ ଗାଧେଇବା ପରେ ଚଉରା ମୂଳେ ମହା ସଂକଳ୍ପ କରି ଏକ ମାସ ଧରି ବ୍ରତ ପାଳନ କରନ୍ତି।ଏହି ସମୟରେ ସେମାନେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଧା ଦାମୋଦର ବେଶ ଦର୍ଶନ ସମେତ କାର୍ତ୍ତିକ ମାହାତ୍ମ୍ୟ ଶୁଣି ମହାପ୍ରସାଦ ସେବନ କରନ୍ତି।

A Story of Dvapar Yuga in Prose (Part-16 A)
୩୧ ତାରିଖ ଅଁଳା ନବମୀ । ଘରେ କେଉଁଠି ଏହି ଗଛ ରହିଲେ ହୋଇଥାଏ ଧନର ବର୍ଷା , ଜାଣନ୍ତୁ…..
A Story of Dvapar Yuga in Prose (Part-19)

Leave a Comment

Your email address will not be published. Required fields are marked *