kartika-mahatmya-

କାର୍ତ୍ତିକ ମାହାତ୍ମ୍ୟ (ଭାଗ -୧୧)

ଭଗବାନ ଶ୍ରୀକୃଷ୍ଣ ସତ୍ୟଭାମା ଙ୍କୁ ଶୁଣାଉଥିବା କଥା କୁ ନାରଦ ପୃଥୁ ରାଜା ଙ୍କୁ କହୁଛନ୍ତି । ପୃଥୁରାଜା ଏଠାରେ ପ୍ରଶ୍ନ କଲେ ହେ ମୁନି ! ଭଗବାନ ଶଙ୍କର ଯୁଦ୍ଧ କ୍ଷେତ୍ରକୁ ଆସି ତାଣ୍ଡବ ରଚନା କରି ସେଦିନ ବିଶ୍ରାମ ନେଲେ ? କିନ୍ତୁ ଜଳନ୍ଧର କୁ ବଧ କରି ପାରିଲେ ନାହିଁ ? ତାପରେ କଣ ହେଲା ? ଈଶ୍ୱର ଭଗବାନ ଯୁଦ୍ଧକୁ ଆସିଲେ ନା ନାହିଁ ? ଯଦି ଆସିଲେ କିପରି ଯୁଦ୍ଧ ହେଲା ସେ ବିଷୟରେ ମୋତେ ବିସ୍ତାର କରି କୁହନ୍ତୁ ? ମହର୍ଷି ନାରଦ କହିଲେ ହେ ରାଜନ ! ଏବେ ମୁଁ ସେ ସବୁ କହୁଛି ଶୁଣ ? ନାରଦ କହିଲେ ……….. ………..!!!

ତୃତୀୟ ଦିନ ଶଙ୍କର ଭଗବାନ ଯୁଦ୍ଧ କ୍ଷେତ୍ରକୁ ଆସି ଜଳନ୍ଧର ସହିତ ଯୁଦ୍ଧକଲେ ? ଯୁଦ୍ଧ କରିବା ସହିତ ତାଣ୍ଡବ ନୃତ୍ୟ ମଧ୍ୟ କଲେ । ଏମିତି ଯୁଦ୍ଧ କରୁ କରୁ ସନ୍ଧ୍ୟା ହୋଇଗଲା । ଯୁଦ୍ଧର ନିୟମ ଅନୁଯାଇ ସେଦିନର ଯୁଦ୍ଧକୁ ସେହିଠାରେ ରଖି ଭଗବାନ ଶଙ୍କର ବିଶ୍ରାମନେଲେ ।ରୁଦ୍ରଗଣ ମଧ୍ୟ ବିଶ୍ରାମ ନେଲେ । ସେଦିନ ରାତ୍ରିରେ ରୁଦ୍ରଗଣ ଚିନ୍ତା କଲେ ଶିବ ଭଗବାନ ଯୁଦ୍ଧ କରିବାକୁ ଆସିଲେ ! ମାତ୍ର ଏମିତି କଣ ଯୁଦ୍ଧ କଲେ ? ଏମିତି ଯୁଦ୍ଧ ଯଦି ଭଗବାନ ଶିବ କରିବେ ତେବେ ଯୁଗ , ଯୁଗ ବିତିଯିବ ,ଜଳନ୍ଧର ମରିବ ନାହିଁ ଏକଥା ଭାବି ରୁଦ୍ରଗଣ ସେଦିନ ରାତ୍ରିରେ ଶିବ ଭଗବାନ ବିଶ୍ରାମ କରୁଥିବା ସମୟରେ ତାଙ୍କ ନିକଟକୁ ଯାଇ ହାତଯୋଡ଼ି ଠିଆହେଲେ । ଗଜ ବଦନ ଗଣେଶ୍ୱର ପ୍ରଭୁ ଶୂଳପାଣି ଙ୍କୁ ଚାହିଁ କହିଲେ …..ଭୋ ପିତା ଆପଣ ଦୈତ୍ୟ ମାନଙ୍କର ରଣ କୌଶଳ ଦେଖୁଛନ୍ତି !ବିରଭଦ୍ର ମୋ ପରି ଜଣେ ଶକ୍ତ ଯୋଦ୍ଧା ।ସେ ମୋତେ ତଳ ଉପର ଗଡାଇ ଯୁଦ୍ଧରେ ମୋତେ ବହୁତ କଷ୍ଟ ଦେଲା । ଆପଣ ଏସବୁ ଦେଖି ନିରବ ରହି ତାଣ୍ଡବ ନୃତ୍ୟ କଲେ । ଏମିତି ଯଦି ଯୁଦ୍ଧକୁ ଆସି ତାଣ୍ଡବ ନୃତ୍ୟ କରିବେ ତାହାଲେ ତୁମର ପ୍ରଭୁ ପଣ ରହିବ ତ ? ଆପଣ ନିଯେ ନିଜର ପ୍ରମାଣ ହାନି କରୁଛନ୍ତି ପ୍ରଭୁ ଏମିତି କାର୍ଯ୍ୟ କଲେ ଆମ୍ଭକୁ ଲାଜ ଲାଗୁଛି ପ୍ରଭୁ ଲାଜ ହିଁ ଲାଗୁଛି ! ଜଳନ୍ଧର ସାମାନ୍ୟ ବୀର ନୁହେଁ ତାହାର ସୈନ୍ୟ ମଧ୍ୟ ସାମାନ୍ୟ ନୁହନ୍ତି ? ତେଣୁ ଈଶ୍ୱର ଯେମିତି ଯୁଦ୍ଧ କରନ୍ତି ସେହିପରି ଯୁଦ୍ଧ କରନ୍ତୁ । ହେ ପିତା ! ଆପଣ ଜାଣନ୍ତି ଜଳନ୍ଧର ସମସ୍ତ ଦେବତା ମାନଙ୍କୁ ଜିଣି ବା ସହିତ ଭଗବାନ ବିଷ୍ଣୁ ଙ୍କୁ ଯୁଦ୍ଧରେ କରାଗତ କରାଇ ନିଜ ପୁରରେ ରଖିଛି ଆପଣ ଯଦି ଜଳନ୍ଧର କୁ ନଜିଣିବେ ତେବେ ସଂସାର ରହିବ ତ ? ତେଣୁ ଟିକେ ସାବଧାନ ହୋଇ ଚିନ୍ତାକାର ଦେବତା ମାନଙ୍କ କଥାକୁ ମନକୁ ଆଣନ୍ତୁ ପ୍ରଭୁ ! ଗଣେଶ ବଚନ କୁ ଶୁଣି ବିଶ୍ୱନାଥ କହିଲେ ସର୍ଵଦେବଗଣ ଶୁଣନ୍ତୁ ଆଜି ଆପଣ ମାନେ ଯୁଦ୍ଧରେ ଦେଖିବେ କଣ ମୁଁ କରୁଛି ଆଜି ନିଶ୍ଚିତ ସେ ଦୁର୍ବୃତ୍ତ ଦୈତ୍ୟ ସିନ୍ଧୁ ସୁତ ଜଳନ୍ଧର କୁ ନିଶ୍ଚିତ ମାରିବି।

କୈଳାଶ ପତି ରୁଦ୍ରଗଣ ସମେତ ସମସ୍ତ ଦେବତା ମାନଙ୍କୁ ପୁନଶ୍ଚ କହିଲେ ଜଳନ୍ଧର କୁ ବଧ ନକରିବା ଯାଏ ମୁଁ ଆଉ କୈଳାସ କୁ ଆସିବି ନାହିଁ ଏହାକହି ବିଶ୍ୱନାଥ କପିଳା ସୁତ ପିଠିରେ ବସି ଯୁଦ୍ଧ କ୍ଷେତ୍ରକୁ ବାହାରିଲେ । ସକାଳ ହେଲା । ଦିନକର ଙ୍କ ଜ୍ୟୋତି ପ୍ରକାଶ ପାଇଲା । ପଞ୍ଚ ବଦନ ତିନି ଲୋଚନ , ଧରିଲେ ଶଙ୍କର । ତାଙ୍କର ଶରୀରରୁ ସତେ ଯେପରି ପ୍ରଚଣ୍ଡ ଅଗ୍ନି ବାହାରୁଥିବାର ପ୍ରତୀୟମାନ ହେଉଥାଏ । ଜଟା ମୁକୁଟ ସପ୍ତଫେଣି , କର୍ଣ୍ଣରେ କୁଣ୍ଡଳ , କଣ୍ଠ ରେ ହାର , ସୁନା ସୁତା ରେ ବନ୍ଧା ହୋଇଥିବା ନର ମାନଙ୍କ ମୁଣ୍ଡ ଦଶ ଆୟୁଧ ଦଶ ହାତରେ ଧରିଲେ କାଣ୍ଡ , କୋଦଣ୍ଡ , ଚକ୍ର କାତି , ତ୍ରିଶୁଳ , ପିନାକୀ , ଖଡ୍ଗ , ମୁଦ୍ଗର ଓ ପରଶୁ, ଧାରଣ କରି ଭଗବାନ ଶଙ୍କର ବାହାରିଲେ । ଈଶ୍ୱର ଙ୍କ ଶରୀରରୁ ଧବଳ ଜ୍ୟୋତି ବାହାରୁଥାଏ । ନବେଲକ୍ଷେ ଡମ୍ବରୁ ବାଜୁଥାଏ । ରୁଦ୍ରଗଣ ଭଗବାନ ଶିବ ଙ୍କର ପ୍ରଳୟ ଅଗ୍ନିରୁପ ଦେଖି ଧାଇଁବାରେ ଲାଗିଲେ । ଶିଙ୍ଗ ଓ ଶଙ୍ଖ ଧ୍ୱନି ଶବ୍ଦରେ ମେଦିନୀ ପୁରି ଉଠୁଥାଏ ।

ଶିବ ଭଗବାନଙ୍କର ଏପରି ରୂପ ଦେଖି ଅସୁରମାନେ କମ୍ପିବାକୁ ଲାଗିଲେ । ଅସୁର ମାନେ ମନ୍ତ୍ରୀ ଶୁକ୍ରଚାର୍ଯ୍ୟ ବିହୀନେ ଭାଳି ହେଉଥିଲେ ।ଏହି ସମୟରେ ଶଙ୍କର ଭଗବାନ ଯୁଦ୍ଧ କ୍ଷେତ୍ର କୁ ପ୍ରବେଶ କଲେ । ଶିବ ଭଗବାନ ଙ୍କୁ ଜଳନ୍ଧର ଦେଖି ଭୟରେ ଥରହର ହୋଇ କମ୍ପିବାକୁ ଲାଗିଲା ।

କାର୍ତ୍ତିକ ବ୍ରତ କରୁଥିବା ଜନ ମାନେ ପାପ ଦେଖିଲେ ଯେପରି ହୁଅନ୍ତି ସେହିପରି ଜଳନ୍ଧର ,କୈଳାଶପତି ଙ୍କୁ ଦେଖି ଥରିବାରେ ଲାଗିଲା ।ଜଳନ୍ଧର ଭୟ କଲେ ବି କ୍ଷେତ୍ରିୟ ଗୁଣ କୁ ଧରି ଯୁଦ୍ଧ କରିବାକୁ ରଣ କ୍ଷେତ୍ରରେ ପ୍ରବେଶ କଲା ।ଜଳନ୍ଧର ରଥର ସାରଥି ଥିଲା ରାହୁ ।ଜଳନ୍ଧର ବିଭିନ୍ନ ଆୟୁଧ ଧରି ରଣ କରିବାକୁ ଆସିଲା । ଅସୁର ମାନଙ୍କ ପକ୍ଷରୁ ଟମକ ନିଶାଣ ବାଜୁ ଥାଏ । ଧନୁ କୁ ଆକର୍ଷି ଶର ବିନ୍ଧି ଚାଲିଲା ଜଳନ୍ଧର ।
ଦେବର୍ଷି ନାରଦ ପୃଥୁ ରାଜାଙ୍କୁ କହିଲେ ହେ ରାଜନ! ବିଷ୍ଣୁଙ୍କ ଲୀଳା କୁ ଶୁଣନ୍ତୁ ? କିଏ କିପରି ଯୁଦ୍ଧ କଲା ତାହା ମୁଁ ତୁମ ଆଗରେ ଗୋଟି ଗୋଟି କରି କହୁଛି ! ନାରଦ କହିଲେ ନିଶୁମ୍ଭ ସହିତ ଗଣପତି ,କାର୍ତ୍ତିକ ସହିତ ଜଳନ୍ଧର ଲୁଚିକରି ଯୁଦ୍ଧ କରୁଥାଏ ।କାଲନେମି ର ଭୀମ ପରି ବଳ ଥାଏ ସେ ମଧ୍ୟ ଯୁଦ୍ଧ କରୁଥାଏ ଭଗବାନ ଶିବ ଙ୍କ ସହିତ ଶମ୍ଭୁ ଓ କାଲନେମି ଶଙ୍କର ଭଗବାନ ଙ୍କ ସହିତ ଘମାଗୋଟ ଯୁଦ୍ଧ କରୁଥାନ୍ତି । ଶମ୍ଭୁ ,ନିଶୁମ୍ଭ ,କାଲନେମି ଜଳନ୍ଧର ,ଏ ଚାରି ମଲ୍ଲ ଯୁଦ୍ଧ କ୍ଷେତ୍ରେ ଗଡି ଗଡି ଯୁଦ୍ଧ କରୁଥାନ୍ତି । ହେତି ,ପ୍ରହେତୀ ଦୁଇଜଣ ଶିଳା ସାହାଯ୍ୟ ରେ ଯୁଦ୍ଧ କରି ଚାଲିଥାନ୍ତି । ରୁଦ୍ରଗଣ ଓ ଅସୁରଗଣ ଉଭୟ ଥାଟ ମିଶି ତୁମୂଳ ସଂଗ୍ରାମ ରେ ଦିନରାତି ଲାଗି ପଡିଛନ୍ତି । କିଛି ଦୈତ୍ୟ ରଣ ଭୂମିରେ ମରି ପଡିଗଲେ । ଭଗବାନ ଶିବ ଙ୍କର ଅସ୍ତ୍ର ରେ ହଜାର ହଜାର ସଂଖ୍ୟକ ଅସୁର ମଲେ । ସେମାନଙ୍କର ଶବ ସେହିଠାରେ ପଡି ରହିଥାଏ ।ଧରଣୀ ରକ୍ତ ବର୍ଣ୍ଣ ଦେଖାଗଲା ।

କୋପମୁର୍ତ୍ତି ଧାରଣ କଲେ ଶଙ୍କର ।ଯୁଗ ଅନ୍ତ ହେଲାବେଳେ ଯେପରି ଅଗ୍ନିର ଜ୍ୟୋତି ପ୍ରକାଶ ପାଏ ସେହିପରି ମୂର୍ତ୍ତି ଧରିଲେ ଶିବ ଭଗବାନ । ଶଙ୍କରଙ୍କ ଗୋଟିଏ ଶୂଳ ପ୍ରହାରରେ ଶମ୍ଭୁର ରଥ ଶତ ଖଣ୍ଡ ହୋଇଗଲା । ରଥ ଭାଙ୍ଗି ଯିବାରୁ ଶମ୍ଭୁ ,ଆଉ ଯୁଦ୍ଧ ନକରି ଶିବ ଭଗବାନ ଙ୍କ ଠାରୁ ଦୂରେଇ ଗଲା ।ଉମାକାନ୍ତ କି ଛାଡନ୍ତେ ଶମ୍ଭୁକୁ ଶମ୍ଭୁ ପଳାଇ ଯାଉଥିବାର ଦେଖି ଶିବ ଭଗବାନ ଖଡ୍ଗରେ ଶମ୍ଭୁ କୁ ହତ କଲେ । କାଲନେମି ର କେଶକୁ ଧରି ଟାଣି ଆଣିଲେ ଶଙ୍କର , ସେହିଠାରେ କାଲନେମିର ପ୍ରାଣ ଗଲା ।ଦଶଲକ୍ଷ ଅସୁରଙ୍କୁ ବୃଷଭ ପାଦରେ ଦଳି ମାରିଦେଲା । ଘସ୍ମର ଦୈତ୍ୟ ର ମୁହଁକୁ ଗୋଟିଏ ବିଧା ଦେଲେ ଶିବ ଭଗବାନ ସେ ମଧ୍ୟ ସେହିଠାରେ ମରି ପଡିଲା ।ଅସୁର ମାନଙ୍କ ମୃତ୍ୟୁ ଦେଖି ଜଳନ୍ଧର ଭୟରେ ପାଇ ଚିନ୍ତାକଲା ଏ ହେଉଛନ୍ତି ମହାଦେବ ବିଶ୍ଵନାଥ ,ମୋର ମରଣ ଏହାଙ୍କ ହାତରେ ନିଶ୍ଚିତ । ଜାଣି ପାରିଲା ଜଳନ୍ଧର ଜଳନ୍ଧର ଯୁଦ୍ଧ କ୍ଷେତ୍ରରେ ଚିନ୍ତା କରିବାକୁ ଲାଗିଲା ଓ ମନେ ମନେ କହୁଥାଏ ମୋତେ ମାରିବାକୁ ବିଧାତା ଏପରି ଭିଆଣ କଲା । ପାର୍ବତୀ ଙ୍କୁ ଆଶାକରି ଆଜି ମୋର ମରଣ ଦଶା ହେବାକୁ ଯାଉଛି । ଜଳନ୍ଧର ମୁଣ୍ଡ କିଛି କାମ କଲାନାହିଁ ।ଜଳନ୍ଧର ଭାବିଲା ଯୁଦ୍ଧରେ ମୁଁ ନିଶ୍ଚିତ ମରିବି ତଥାପି କିଛି ଚେଷ୍ଟା କରି ମରିବା ଭଲ ।ଏମିତି ଭାବି ଭାବି ଜଳନ୍ଧର ଗୋଟିଏ ମାୟା ରଚନା କଲା ।ମାୟାରେ ସଦାନନ୍ଦ ରୂପ ଧାରଣ କରି ଗଉରୀ ଙ୍କ ନିକଟକୁ ଯାଇ ତାଙ୍କ ମନରେ ବିଶ୍ୱାଶ ଜନ୍ମାଇ ହରଣ କରିବି ତେବେ ଯାଇ ମୁଁ ସମସ୍ତଙ୍କୁ ଜୟ କଲି ବୋଲି ଜାଣିବି । ଏମିତି ତ ମୃତ୍ୟୁ ମୋହର ହେବା ନିଶ୍ଚିତ । ମୃତ୍ୟୁ କୁ ମୋହର ଭୟ ନାହିଁ କିନ୍ତୁ ମରିବା ପୂର୍ବରୁ ଗୌରୀ ଙ୍କୁ ହରଣ କରି ମରିବି ଜଳନ୍ଧର ,ଶମ୍ଭୁ ନିକଟକୁ ଯାଇ ପ୍ରୀତିପୂର୍ଣ୍ଣ ବାକ୍ୟ ରେ କହିଲା ତୁ କିଛି ସମୟ ଯୁଦ୍ଧକୁ ସମ୍ଭାଳି ଥାଅ । ମୁଁ ମୋ ଭିଣୋଇ ବିଷ୍ଣୁ ଙ୍କୁ ସହିତ ବିଚାର କରି ଆସୁଛି ଜଳନ୍ଧର , ଶମ୍ଭୁ କୁ କହିଲା ମୋ ଭିଣୋଇ ମାୟାଧର ସେ ଅନେକ ମାୟା ଜାଣନ୍ତି । କେମିତି ଯୁଦ୍ଧରେ ଆମେ ବିଜୟ ହେବା ସେ ବିଚାର କରି ମୁଁ ଶୀଘ୍ର ଲେଉଟି ଆସିବି ।ଏମନ୍ତ କଥା କହି ଜଳନ୍ଧର ନିଜ ରଥକୁ ଶମ୍ଭୁ ଦେଇ କହିଲା ଏହି ରଥରେ ବସି ଶିବ ଙ୍କ ସହିତ ଯୁଦ୍ଧ କରୁଥା । ଏପରି କହି ଜଳନ୍ଧର ଯୁଦ୍ଧ କ୍ଷେତ୍ର ଛାଡି ସେଠାରୁ ବହୁ ଦୁରକୁ ଚାଲିଗଲା ।
ଜଳନ୍ଧର ନିଜ ରୂପକୁ ତ୍ୟାଗ କରି ମାୟାରେ ଶିବ ରୂପ ଧାରଣ

କଲା । ପାଞ୍ଚ ବଦନ ଦଶଭୁଜ ,ବିପୁଳ ବାହୁ ,ଶରୀରର ତେଜ ଜ୍ୟୋତି ପରି ବାହାର କଲା । ହାତରେ ତ୍ରିଶୁଳ , ପାଶୁପତ ମୁହଁ ରେ ତିନି ନେତ୍ର ,ପନ୍ଦର ଆଖି ,ପାଞ୍ଚ ଟି ମୁହଁ ରେ ଭସ୍ମ ଲଗାଇ ଲା । ମୁଣ୍ଡରେ ଜଟା ଓ ମୁକୁଟ ,କଣ୍ଠରେ ଅସ୍ଥିମାଳ ଧାରଣ କଲା କାନରେ ମର୍କତ କୁଣ୍ଡଳ ,ଧଳା ବୃଷଭ ପିଠିରେ ବସି ମାୟା ଶଙ୍କର ହୋଇ ଜଳନ୍ଧର କପିଳାସ କୁ ଗମନ କଲା । ମାୟାରେ ଜଳନ୍ଧର ଏମିତି ଶିବ ରୂପକୁ ଧାରଣ କଲାଯେ , ଯେ କୌଣସି ଦେବତା ହୁଅନ୍ତୁ କି ନର ଜାଣି ପାରିବେ ନାହିଁ ଏ ସେହି ଜଳନ୍ଧର ବୋଲି । ଜଳନ୍ଧର ର ଏ ରୂପ ଦେଖିଲେ ସମସ୍ତେ ବିଶ୍ୱାସ କରିବେ ଏ ହେଉଛନ୍ତି ପ୍ରତ୍ୟକ୍ଷ ଶିବ ଭଗବାନ । ଜଳନ୍ଧର କପିଳାସ ପୁରେ ପହଁଞ୍ଚି ଗଲା । ମାତା ପାର୍ବତୀ ଙ୍କୁ ସେହି ସମୟରେ ଦାସୀମାନେ ସେବା କରୁଥାନ୍ତି । ଶିବ ସମ୍ପଦ ହୋଇ ଅସୁର ଶିବ ପୁରରେ ପ୍ରବେଶ କରି ଜୟ , ଜୟ ଶବ୍ଦ କଲା ପାର୍ବତୀଙ୍କ ଦାସୀ ମାନେ ସିଂହଦ୍ୱାରରେ ବସିଥିଲେ । ଜୟ ,ଜୟ ଶବ୍ଦ ଶୁଣି ସେମାନେ ଶୀଘ୍ର ଉଠିପଡ଼ି ରାଜମାର୍ଗକୁ ଚାହିଁଲେ । ଦାସୀମାନେ ଦେଖିଲେ ବିଶ୍ୱନାଥ ନିଜେ ଆସିଛନ୍ତି । ଗୟସ ଫୁଲ କୁ ରାଜ ମାର୍ଗ ରେ ପକାଇଲେ ପଶୁପତିଙ୍କୁ ଦେଖି ଦାସୀମାନେ ତାଙ୍କ ମୁଣ୍ଡରେ ଫୁଲ ପକାଇଲେ । ଏହାପରେ ଦାସୀମାନେ ମାତା ପାର୍ବତୀଙ୍କ ଅନ୍ତପୁର କୁ ଯାଇ କହିଲେ ହେ ମାତା ଆପଣ ଶୀଘ୍ର ଆସନ୍ତୁ ! ଆପଣଙ୍କ ପ୍ରାଣ ବଲ୍ଲବ ତ୍ରିପୁରାରୀ ରଣ ଜୟ କରି ଆସିଛନ୍ତି ।ଆପଣ ଆସନ୍ତୁ ଅର୍ଘ୍ୟ ଦେଇ ତାଙ୍କୁ ଘରକୁ ଆଣିବେ ।

             ଦାସୀମାନଙ୍କ ମୁଖରୁ ଏମନ୍ତ ବାଣୀ ଶୁଣି  କନକ ଶୈଳ ଦୁଲଣୀ

ନିଜ ଆସନରୁ ଉଠି ଆସିଲେ । ତାଙ୍କ ସହିତ କାଞ୍ଚନ ଓ ମାଳା ସଖୀ ଦୁଇଜଣ ଆସିଥିଲେ । ଦାସୀମାନେ ଅର୍ଘ୍ୟ ଥାଳି ଧରି ଠିଆ ହୋଇ ହୁଳହୁଳି ପକାଉଥାନ୍ତି ।ଯେତେବେଳେ ନିଜ ପୁରରୁ ପାର୍ବତୀ ବାହାର ହୋଇଲେ ,ପାର୍ବତୀ ଦେବୀଙ୍କୁ ଅସୁର ଜଳନ୍ଧର ଦେଖିଦେଲା । ନାରଦ ଯେଉଁ ରୂପରେ ଶିବ ଙ୍କ ଘରଣୀ ଙ୍କୁ ବର୍ଣ୍ଣନା କରିଥିଲେ ତାହା ସଠିକ୍ । ଚାହିଁ ରହିଲା ଜଳନ୍ଧର ମାତା ପାର୍ବତୀଙ୍କ ମୁହଁକୁ । ଅସୁର ଜଳନ୍ଧର ଆଖିର ପତା ଆଉ ପଡିଲା ନାହିଁ । ଚାହିଁ ରହି ଦୈତ୍ୟ ଦେଖୁଥାଏ ମାତା ପାର୍ବତୀଙ୍କ ସୌନ୍ଦର୍ଯ୍ୟ କୁ । ମନେ ମନେ ଭାବୁଥାଏ ପାର୍ବତୀଙ୍କ ର ରୂପ ଶୁଦ୍ଧ ସୁବର୍ଣ୍ଣ ପରି ,ଅଗ୍ନି ପରି ତେଜ , ପୂର୍ଣ୍ଣଚନ୍ଦ୍ର ଠାରୁ ମୁଖ ଅଧିକ ସୁନ୍ଦର ,ନୀଳ ରଙ୍ଗ ଶାଢ଼ୀ ଆହୁରୀ ଶୋଭାକୁ ବଢ଼ାଇ ଦେଉଛି । ପାର୍ବତୀ ଙ୍କ ଆଖି ଦୁଇଟିକୁ ଦେଖି ଜଳନ୍ଧର କମ୍ପମାନ ହେଲା ।ପାର୍ବତୀଙ୍କ ଅଙ୍ଗ ଆଭୂଷଣ ସତେ ଯେପରି ସୂର୍ଯ୍ୟଙ୍କ କିରଣ ପରି ଜଳନ୍ଧର କୁ ମନେ ହେଉଥାଏ । ମୁଣ୍ଡର ସୀମନ୍ତ ମଥମଣି ଓ ନାସାରେ ମୁକ୍ତା ର ଚାପସରି ଦେଖି ଦୈତ୍ୟ ବିଭୋର ହୋଇଗଲା । ପାର୍ବତୀ ଙ୍କର ଏତେ ସବୁ ସୌନ୍ଦର୍ଯ୍ୟ କୁ ଦେଖି ସାଗର ନନ୍ଦନ ର ହୃଦୟରେ କୋପ ସୃଷ୍ଟି ହେଲା ।

ଜଳନ୍ଧର ଏତେ କାମାଗ୍ନିରେ ଜର୍ଜରିତ ହୋଇଗଲା ପାର୍ବତୀଙ୍କ ଦେଖିଯେ ଅଣାୟତ ହୋଇ ପଡ଼ିଲା । ଠିକ୍ ଏହି ସମୟରେ କନ୍ଦର୍ପ ଜଳନ୍ଧର ଉପରେ ପଞ୍ଚଶର ପ୍ରହାର କଲା । ଜଳନ୍ଧରର ମର୍ମରେ ଏହି ପାଞ୍ଚଶର ବାଜିଲା ଅଚେତନ ହୋଇଗଲା ଜଳନ୍ଧର । ବୃଷଭ ଉପରୁ ଖସି ପଡ଼ିଲା ଜଳନ୍ଧର । ସତେ ଯେପରି ବୃକ୍ଷ ରୁ ଫୁଲ ଝଡି ପଡିଲା କି ?ସେହିପରି ମନେ ହେଲା । ସେହି ପ୍ରକାରରେ ଅସୁରୁ ଭୂମି ଉପରେ ପଡ଼ିଲା । ଦେବୀ ପାର୍ବତୀ ଏପରି ଦୃଶ୍ୟ ଦେଖି ମନେ ମନେ ଚିନ୍ତା କଲେ ଏ ନିଶ୍ଚିତ ମାୟାଯତି । ପାର୍ବତୀ ସଂଗେ ସଂଗେ ସେଠାରୁ ଅନ୍ତର୍ଦ୍ଧାନ ହୋଇଗଲେ । ଦାସୀ ମାନଙ୍କ ସହିତ ପାର୍ବତୀ ଗୁପ୍ତ ସ୍ଥାନରେ ରହିଲେ । ଜଳନ୍ଧର ମୋହରେ ଅଚେତନ ହୋଇ ପଡ଼ିଥିଲା । କିଛି ସମୟ ପରେ ଚେତ ପାଇ ଲାଜରେ ସିନ୍ଧୁ ସୁତ ନିଜ ବେଶକୁ ଧରି ରତ୍ନ କାଇଁଚ ରଥରେ ବସି ଯୁଦ୍ଧରେ ପ୍ରବେଶ ହେଲା । ଏହାପରେ ମାତା ଅମ୍ବିକା ମନେ ମନେ ବହୁତ କଷ୍ଟ ପାଇ ନିରୋଳା ସ୍ଥାନରେ ବସି ବ୍ରହ୍ମରାଶି ଙ୍କୁ ଧ୍ୟାନ କଲେ । ଚିନ୍ତାମଣି ଗୌରୀ ଙ୍କ ମନକଥା ଜାଣି ପାରିଲେ , ଅଗୋଚରରେ ପାର୍ବତୀଙ୍କ ନିକଟରେ ପ୍ରବେଶ ହେଲେ ।

ଏହାପରେ ପାର୍ବତୀ ଭଗବାନ ଵିଷ୍ଣୁ ଙ୍କୁ କହୁଛନ୍ତି ହେ ପ୍ରଭୁ ତୋ ନାମ ପରମ କାରଣ ତୁ ଦେବ ନାରାୟଣ ! ତୋତେ ଯୋଗୀମାନେ ପରମ ହଂସ ଦୀକ୍ଷା ଜ୍ଞାନ ନେଇ ଚିନ୍ତନ୍ତି । ତୋ ରୂପକୁ ଧ୍ୟାନ କଲେ ଯମ ଦର୍ଶନ ରୁ ମୁକ୍ତିମିଳେ । ଯେଉଁ ଜନ କାଳକୁ ଭୟ କରି ତୋତେ ଆଶ୍ରକରେ ତାହାର ବିପତ୍ତି ଆଉ ରୁହେ ନାହିଁ ।ହେ ପ୍ରଭୁ ଏବେ ମୋ ଗୁହାରି ଶୁଣିବା ହେଉ ?ଅସୁର ଜଳନ୍ଧର ନିଜ ବଳରେ ତିନିପୁର ଜିଣିଲା ? ମୋତେ ପାଇବା ପାଇଁ ମନରେ ବିଚାର କଲା ମାୟାରେ ଶିବ ରୂପ ଧରି ମୋ ଭୁବନରେ କୋଉ ପଣ ନେଇ ପଶିଲା ନଷ୍ଟ ବ୍ୟବହାର ନେଇ ଆସିଥିଲା ସେ ! ମୋ ରୂପ ଦେଖି ମୋହ ହୋଇଗଲା । ଧର୍ମ ଥିଲା ବୋଲି ସିନା ଏତେ କଥା !ନହେଲେ ଏତେବେଳେ କୁ ମୁଁ ଅପବିତ୍ର ହୋଇ ସାରନ୍ତିଣୀ ପ୍ରଭୁ ତୁ ହିଁ ମୋତେ ଜଳନ୍ଧର ଠାରୁ ରକ୍ଷା କଲୁ । ହେ ଲକ୍ଷ୍ମୀକାନ୍ତ ଏବେ କହ ମୁଁ କଣ କରିବି ?ଜଳନ୍ଧର ଭଳି ଅସୁର ଯଦି ରହିବେ ତେବେ ସୁଜନେ ନିଶ୍ଚିତ ରେ ନାଶ ଯିବେ । ପାର୍ବତୀ କହିଲେ ପ୍ରଭୁ ! ମୁଁ କଣ ଆଉ ଅଧିକ କହିବି ? ତୋହର ଯାହା ଆଜ୍ଞା ତାହା ହିଁ ହେବ ।

         ବିଷ୍ଣୁ ଭଗବାନ ପାର୍ବତୀ ଙ୍କ ଠାରୁ ଏପରି ବାକ୍ୟ ଶୁଣି ହସିଲେ ଓ କହିଲେ ଗୋ ଦେବୀ ଶାକାମ୍ବରୀ ମାୟାକୁ ମାୟା ଦରକାର । ମୋ ନାମ  ମାୟାଧର ଯେହେତୁ ମୁଁ ମାୟାକୁ ସହିବି କେମିତି ?ଯେଉଁମାନେ ସାଧୁଙ୍କ ଠାରେ ମାୟା କରନ୍ତି ମୁଁ ତାହାଙ୍କୁ ମାୟା କରେ ତାହାର କାୟା ଥିବା ପର୍ଯ୍ୟନ୍ତ ମୁଁ ମାୟା ରଚନା କରେ ସେହି ସୁଖ ମୋହର ନାହିଁ ଦେବୀ ପାର୍ବତୀ ! ଏବେ ଜଳନ୍ଧର ଆସି ମାୟାରେ ଶିବ ରୂପଧରି ତୁମ୍ଭ ପୁରରେ ପଶିଲା ତୁମେ ଦେଖ ଦେବୀ ଏବେ ଯେଉଁ କାର୍ଯ୍ୟ ହେଉଛି  ମୁଁ ଆଜି ମାୟା ରୂପ ଧରୁଛି !ଜଳନ୍ଧର ଆଗ ଏପରି କର୍ମ କରିଛି ?ପଛରେ ଆମ୍ଭେ ସେହି କର୍ମ କଲେ ଆମର କିଛି ଦୋଷ ନାହିଁ ପାର୍ବତୀ । ଜଳନ୍ଧର ଯେଉଁ ରୂପ ରେ ଅପରାଧୀ ହୋଇଥିଲା ମୁଁ ସେହି ବୁଦ୍ଧି କରିବି ? ଜଳନ୍ଧର ର ଘରଣୀ ତିନିପୁରରେ ଅତି ସୁନ୍ଦରୀ ଅଟେ ବୃନ୍ଦାବତୀ ତାହାର ନାମ । ସେହି ବୃନ୍ଦାବତୀ କୁ ନାଶ କଲେ ସିନ୍ଧୁ ସୁତ ମରିବ । ଭଗବାନ ବିଷ୍ଣୁ ମାତା ପାର୍ବତୀଙ୍କ ଏତିକି କହି ସେଠାରୁ ଅନ୍ତର୍ଦ୍ଧାନ ହୋଇଗଲେ ।

କ୍ରମଶଃ …………………..

ସଂଗୃହିତ:- ଦୁଷ୍ମନ୍ତ କୁମାର ମିଶ୍ର 🙏

କାର୍ତ୍ତିକ ମାହାତ୍ମ୍ୟ
କାର୍ତ୍ତିକ ମାହାତ୍ମ୍ୟ  (ନବମ ଅଧ୍ୟାୟ)

Leave a Comment

Your email address will not be published. Required fields are marked *