ସୋମନାଥ
ଲୋକନାଥ ମିଶ୍ର

ନିୟମ କହେ—
ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ଯାତ୍ରାର
ପ୍ରଥମ ପଦଚିହ୍ନ ସୋମନାଥ ।
ମୋ ଭାଗ୍ୟ କିନ୍ତୁ
ସେହି ପୁରୁଣା ପୁସ୍ତକକୁ ଉଲଟାଇ
ଶେଷ ପୃଷ୍ଠାରେ ମୋ ନାମ ଲେଖିଦେଲା ।
୯.୨.୨୬—
ଏକ ସାଧାରଣ ତାରିଖ,
କିନ୍ତୁ ମୋ ପାଇଁ
ଏକ ଶେଷ ଆରମ୍ଭ ।
ଆରବ ସମୁଦ୍ରର କୂଳରେ
ଦଣ୍ଡାୟମାନ ସୋମନାଥ—
ଲହରୀର ଶ୍ୱାସ ଭିତରେ
ଶିବଙ୍କର ନିରବ ନାଦ ।
ପାଦତଳେ ବାଲୁକା,
ମନ ଭିତରେ ଶତାବ୍ଦୀର ଭଙ୍ଗାଚୁରା ।
ଆରତିର ଆଲୋକ
ଅନ୍ଧାରକୁ ଧୀରେଧୀରେ ଖୋଲିଦେଲା,
ଘଣ୍ଟାର ଧ୍ୱନି
ମୋ ଭିତରର କ୍ଳାନ୍ତିକୁ
କମ୍ପିତ କରିଦେଲା ।
ସାଉଣ୍ଡ ଏଣ୍ଡ ଲାଇଟ—
ଇତିହାସ ଏଠାରେ କଥା କହୁଥିଲା,
ପଥର ମଧ୍ୟରୁ ମନୁଷ୍ୟର ଧୈର୍ଯ୍ୟ ।
ଆହଲ୍ୟା ଦେବୀଙ୍କ ନିର୍ମିତ ମନ୍ଦିରରେ
ମୁଁ ଦେଖିଲି
ଭକ୍ତି କେମିତି ଭଙ୍ଗାକୁ ପୁନଃଗଢ଼େ,
କେମିତି ଏକ ନାରୀ
ସମୟକୁ ଆହ୍ୱାନ କରେ ।
ସୋମନାଥ ମୋ ପାଇଁ
ପ୍ରଥମ ନୁହେଁ,
କିନ୍ତୁ ଶେଷ ମଧ୍ୟ ନୁହେଁ ।
ସେ ହେଲେ—
ଯାତ୍ରାର ଉତ୍ତର,
ଏବଂ ମୋ ଭିତରେ
ଏକ ନୂଆ ପ୍ରଶ୍ନର ଆରମ୍ଭ ।


