kartika-mahatmya

କାର୍ତ୍ତିକ ମାହାତ୍ମ୍ୟ(ଭାଗ -୧୫)

ରାଜା ପୃଥୁ ନାରଦ ଙ୍କୁ ପ୍ରଣିପାତ କଲେ ଓ କହିଲେ ହେ ଦେବର୍ଷି !ଆପଣ ତୁଳସୀ ଙ୍କ ଜନ୍ମ ବିଷୟରେ କହିଲେ ? ଏହି ବୃତ୍ତାନ୍ତ ଶୁଣି ମୋହର ଆତ୍ମା ପବିତ୍ର ହୋଇଗଲା । ଆଉ ଗୋଟିଏ କଥା ମୋ ମନକୁ ଆସୁଛି ଯେ କାର୍ତ୍ତିକ ବ୍ରତ ଉଦ୍ୟାପନ ବିଧି କଣ ?

ପୂର୍ବରୁ କିଏ ଏହାକୁ କରିଥିଲେ ଓ ଭଵ ସାଗର ରୁ ପାରି ହୋଇଥିଲେ କି ?ଯଦି ଏହି କାର୍ତ୍ତିକ ଉଦ୍ୟାପନ କରି କେହି ମୁକ୍ତି ପାଇଛନ୍ତି ତେବେ ମୋତେ ଦୃଷ୍ଟାନ୍ତ ଦେଇ କୁହନ୍ତୁ ଦେବର୍ଷି ! ରାଜା ପୃଥୁଙ୍କର ଏପରି ପ୍ରଶ୍ନ ଦେଖି ନାରଦ କହିଲେ ହେ ରାଜନ !କାର୍ତ୍ତକ ଉଦ୍ୟାପନ କିଏ କରିଥିଲେ ଓ କଣ ସୁଫଳ ତାଙ୍କୁ ମିଳିଥିଲା ଯାହା ପୂର୍ବ ଇତିହାସ ଅଛି ତାହା ମୁଁ ତୁମ ନିକଟରେ କହୁଛି ଶୁଣ !ନାରଦ କହିଲେ ………….!!!!!!!!!!!

ସତ୍ୟାଦ୍ରୀ ନାମକ ପର୍ବତ ନିକଟରେ ଗୋଟିଏ ଗାଁ ଥାଏ । ଗାଁ ଟିର ନାମ କରବୀର । ସେହି ଗ୍ରାମରେ ଜଣେ ବ୍ରାହ୍ମଣ ବାସ କରୁଥାଏ । ତାଙ୍କର ନାମ ଧର୍ମଦତ୍ତ । ବ୍ରାହ୍ମଣ କାର୍ତ୍ତିକ ବ୍ରତ ସହିତ ସବୁ ଧର୍ମ ର ରୀତିନୀତି ଜାଣନ୍ତି ।ଗୋଟିଏ ବର୍ଷର କାର୍ତ୍ତିକ ମାସ ର କଥା । ବ୍ରାହ୍ମଣ ଜଣଙ୍କ ସବୁ ବର୍ଷ ପରି ସେହିବର୍ଷ କାର୍ତ୍ତିକ ମାସରେ ଯାହା ବିଧି ସେଇୟା କରି ଚାଲିଲେ । ମାସ ଶେଷରେ ଉଦ୍ୟାପନ କରିବା ପାଇଁ ସମସ୍ତ ବିଧି ,ବିଧାନ ସାରି ରାତି ର ଶେଷ ଅର୍ଥାତ ସୂର୍ଯ୍ୟ ଦେବ ନ ଆସିବା ପୂର୍ବରୁ ନିଜର ସମସ୍ତ ନିତ୍ୟକର୍ମ ସାରି ନୃସିଂହ ଭଗବାନଙ୍କୁ ଦର୍ଶନ କରିବା ପାଇଁ ଆସିଲା । ବ୍ରାହ୍ମଣ ହାତରେ ,ପାତ୍ରୀ , କମଣ୍ଡଳୁ ଓ କମଣ୍ଡଳୁ ରେ ଉଦକ ସହିତ ତୁଳସୀ ପତ୍ର ମିଶାଇ ପାଟିରେ ଗୋବିନ୍ଦ ଗୋବିନ୍ଦ ନାମ କୁ ଜପି ଜପି ଚାଲିଥାଏ ।ପର୍ବତ ରେ ଥିବା ଅରଣ୍ୟ ବହୁତ ଭୟଙ୍କର ଥିଲା । ସେହି ରାସ୍ତା ଦେଇ ଧର୍ମଦତ୍ତ ବ୍ରାହ୍ମଣ ଯାଉଥାଏ ନୃସିଂହ ଭଗବାନଙ୍କୁ ଦର୍ଶନ କରିବା ପାଇଁ ।ବ୍ରାହ୍ମଣ ଯେଉଁ ମାର୍ଗରେ ଯାଉଥିଲା ହଠାତ ଗୋଟିଏ ପିଶାଚୀ ଆସି ବ୍ରାହ୍ମଣ ଧର୍ମଦତ୍ତ ଙ୍କ ପଥ ନିରୋଧି କଲା। ବ୍ରାହ୍ମଣ ଧର୍ମଦତ୍ତ ପିଶାଚୀ କୁ ଦେଖି ଡରିଗଲେ । ପିଶାଚୀ ର ଭୟଙ୍କର ମୂର୍ତ୍ତି ଏହିପରି ଥିଲା ,ଲମ୍ବା ବେକ ,ବଡ଼ ବଡ଼ ଦାନ୍ତ , ଉଲଗ୍ନ ଅବସ୍ଥା , କେଶ ଗୁଡିକ ଖୋଲା ହୋଇଛି ,ବିକଟାଳ ମୁହଁ ଶରୀର ର ମାଂସ ଗୁଡିକ ଶୁଖି ଯାଇଛି , ଦୁର୍ବଳ ଶରୀର କିନ୍ତୁ ହାଡ଼ କୁ ଚମ ବାନ୍ଧି କରି ରଖିଛି । ଆଖି ଦୁଇଟିରକ୍ତ ବର୍ଣ୍ଣ ,ବଡ଼ ସ୍ୱରରେ ପାଟି କରୁଛି ,ଜିଭରେ ତାହାର ଅଗ୍ନି ଜଳୁଛି ,ଚେମେଣି ଆ ପକ୍ଷୀପରି ସ୍ତନ ,ନାକରୁ ଦୁର୍ଗନ୍ଧ ପବନ ବାହାରୁ ଅଛି । ଶରୀର ଧୂମ୍ର ବର୍ଣ୍ଣ ଏହିପରି ଗୋଟିଏ ପିଶାଚୀ ଆସି ବ୍ରାହ୍ମଣ ଧର୍ମଦତ୍ତ ଙ୍କ ବାଟ ରୋଧ କଲା । ବ୍ରାହ୍ମଣ ଧର୍ମଦତ୍ତ ପିଶାଚୀ କୁ ଦେଖିଲେ ।ତାଙ୍କ ହାତରେ ତମ୍ବାପାତ୍ର ଅର୍ଥାତ ପାତ୍ରୀ ଥିଲା ।ସେହି ପାତ୍ରୀ ରେ ତୁଳସୀ ପତ୍ର ମିଶ୍ରିତ ଜଳ ଥିଲା । ସେହି ଜଳକୁ ବ୍ରାହ୍ମଣ ପିଶାଚୀ ଉପରକୁ ଫିଙ୍ଗିଦେଲେ ।ଯେମିତି ପିଶାଚୀ ଉପରେ ତୁଳସୀ ଜଳ ପଡିଲା ପିଶାଚୀ ଟି ଦିବ୍ୟ ରୂପ ପାଇଲା ।ଦିବ୍ୟ ରୂପ ,ଚନ୍ଦ୍ର ପରି ଶୋଭା ପାଇ ବ୍ରାହ୍ମଣ ଆଗରେ ଠିଆ ହେଲା । ସୁନା ଯେପରି ଉଜ୍ଜ୍ୱଳ ସେହିପରି ଗୋରା ଓ ସ୍ୱର୍ଗର ଅପ୍ସରୀ ପରି ଦେଖାଯାଉଥିଲା ସେହି ପୂର୍ବ ପିଶାଚୀ ।ବହୁ ଅଳଙ୍କାର ,ଗନ୍ଧ ,ଚନ୍ଦନ , ଫୁଲ ଓ ସୁନ୍ଦର ଶରୀର ଦେଖି ବ୍ରାହ୍ମଣ ଆଶ୍ଚର୍ଯ୍ୟ ହୋଇଗଲା । ଧର୍ମଦତ୍ତ ଏପରି ସୁନ୍ଦରୀ ଯୁବତୀ କୁ ଦେଖି ମନରେ ଆଉ ଭୟ କଲେ ନାହିଁ । ଯୁବତୀ ମୁହଁ କୁ ଚାହିଁ ବ୍ରାହ୍ମଣ କହିଲେ ହେ ରୂପବତୀ ନାରୀ ତୋର ଏତେ ସୁନ୍ଦର ରୂପ ଥାଉ ଥାଉ ଏମିତି ପିଶାଚୀ ରୂପ ଧରି କାହିଁକି ମୋ ଆଗକୁ ଆସୁଥିଲୁ ? ତୋହର ସେହି ରୂପ ଦେଖି ମୁଁ ଡରି ଯାଇଥିଲି । ତୋ ଉପରକୁ ତୁଳସୀ ଜଳ ଫିଙ୍ଗିବାରୁ ତୋର ଏହି ରୂପ ହେଲା ।କହ ,ତୋହର ଏ କି ବିପରୀତ ରୂପ କାହିଁକି ? ପୂର୍ବ ଜନ୍ମରେ ତୁ କଣ କରି ଥିଲୁକି ? କଣ ପାପ କରିଛୁ କି ?କାହିଁକି ପାପ ଶରୀର ବୋହି ଥିଲୁ ? କହ ସୁନ୍ଦରୀ କହ ?ତୋ ଠାରୁ ଏବିଷୟରେ ଶୁଣିଲେ ମୋ ମନରୁ ସଂଶୟ ଦୂର ହୋଇଯିବ ? ସୁନ୍ଦରୀ ବିପ୍ରଙ୍କୁ ନମସ୍କାର କଲା ।ବିପ୍ର ଙ୍କ ଏତେ ଗୁଡିଏ ପ୍ରଶ୍ନ ର ଉତ୍ତର ଦେବାକୁ ଯାଇ କହିଲା ହେ ଦ୍ଵଜବର ! ଏ ସବୁ ମୋ ଅର୍ଜିଲା କର୍ମ ର ଫଳ ।ମୋ ଅର୍ଜିତ କର୍ମ କଣ ଶୁଣିବ ? ତେବେ ଧର୍ଯ୍ୟ ସହକାରେ ଶୁଣ ଗୋସାଇଁ …………..!!

    ହେ ବିପ୍ର ଶେଷ୍ଠ !ପୂର୍ବରେ ସୌରାଷ୍ଟ୍ର  ନାମରେ ଏକ ନଗ୍ର ଥିଲା । ସେହି ନଗରରେ ଗୋଟିଏ କୃଷ୍ଣ ଭିକ୍ଷୁ ନାମକ ଜଣେ ବ୍ରାହ୍ମଣ ବାସ କରୁଥିଲେ । ସେହି ଦ୍ଵିଜ ର ଘରଣୀ ମୁଁ । ନାମ ମୋହର କଳନା । ମୋତେ ସମସ୍ତେ କଳନା ବ୍ରାହ୍ମଣୀ ବୋଲି ଡାକନ୍ତି । ମୁଁ  ସବୁବେଳେ  ମୋ ସ୍ୱାମୀଙ୍କ ସହିତ କଳି କରୁଥିଲି । ମୋ ସ୍ୱାମୀ ଯେତେ ଭଲ ମୋତେ କହିଲେବି ମୁଁ ତାଙ୍କ କଥା ଶୁଣୁ ନଥିଲି ମୋ ଘରେ ଯେତେ ଭଲ ଦ୍ରବ୍ୟ ଥାଏ ତାକୁ ମୁଁ ଲୁଚେଇ ଖାଇଦେଏ । ମୋ ସ୍ୱାମୀଙ୍କୁ ମୁଁ ଠିକ୍ ସମୟରେ ଅନ୍ନ ଖାଇବାକୁ ଦିଏ ନାହିଁ ! ମୁଁ ଖାଇ ସାରିବା ପରେ ଯଦି କିଛି ବଳିପଡ଼େ ତ ମୋ ସ୍ୱାମୀ ଖାଆନ୍ତି ,ନଚେତ ପାଣି ପିଇ ଉପବାସ ରେ ଶୁଅନ୍ତି । ସ୍ୱାମୀ ଯାହା ଯେଉଁଥିରେ ମନ ବଳାନ୍ତି ମୁଁ ତାଙ୍କୁ ସେଇଆ ଦିଏ ନାହିଁ ଏପରିକି ମୋ  ଶରୀର ତାଙ୍କୁ ଅର୍ପଣ କରିନାହିଁ ! ଯଦି ମୋତେ ବାଧ୍ୟ କରନ୍ତି ତେବେ ଆମ ଭିତରେ କଳି ଲାଗେ  ।ମୋର ଧିକ୍କାର ବଚନ ଶୁଣି ମୋ ସ୍ୱାମୀ ଅସ୍ତ ବ୍ୟସ୍ତ ହୋଇ ପଡନ୍ତି । ଏମିତି କେତେଦିନ ଆମ ଭିତରେ କଟିଗଲା ମୋ ସ୍ୱାମୀ ଆଉ ମୋତେ ଭଲ ପାଇଲେ ନାହିଁ  ତାଙ୍କ ମନ ମୋ ଠାରୁ ଦୂରେଇ ଗଲା  ସୁନ୍ଦରୀ ଝିଅ ମାନଙ୍କୁ ଦେଖି ମୋ ସ୍ବାମୀ  ଗୋଟିଏ ସୁନ୍ଦରୀ ଝିଅକୁ ବିଭା  ହେଲେ ।ମୁଁ  ଥାଉ ଥାଉ ଆଉ ଗୋଟିଏ ପତ୍ନୀ ମୋ ସ୍ୱାମୀ ଆଣିବା ଦେଖି ମୁଁ ତାକୁ ସହି ପାରିଲି ନାହିଁ  ବିଷ ମହୁରା ଖାଇ ଦେଲି । ମୋ ପ୍ରେତ ପିଣ୍ଡକୁ ଯମ ଦୂତ ମାନେ ନେଇଗଲେ । ଚମ ଦଉଡି ରେ ବାନ୍ଧି ଦେଇ ମୋ ମୁଣ୍ଡରେ ବେତ ପ୍ରହାର କଲେ । ତାପରେ ମୋତେ ନେଇ ଯମ ରାଜାଙ୍କ ପାଖରେ ପହଁଞ୍ଚାଇ ଦେଲେ । ଅନେକ ଯାତନା ଦେଇ ଚିତ୍ରଗୁପ୍ତ କୁ ପଚାରିଲେ ଯମ ,ଏହି ନାରୀକୁ କି ପ୍ରକାର ଦଣ୍ଡ ଦିଆଯିବ ପାଞ୍ଜି ଦେଖି କୁହ ?ଚିତ୍ରଗୁପ୍ତ କହିଲେ ଏହି ନାରୀର ଧର୍ମ କିଛି ନାହିଁ  ପାପ ଲକ୍ଷଣ ସବୁ ଏହି ନାରୀଠାରେ ଅଛି ଯମ ରାଜା ଚିତ୍ରଗୁପ୍ତ କୁ କହିଲେ  ଏହାର କର୍ମ ନେଇ  ପାଞ୍ଜି ଲେଖ । ଚିତ୍ରଗୁପ୍ତ କହିଲେ  ଏ ପାପୀ ,ଦୁରାଚାରୀ ଜୀବନରେ କିଛି ତପ କରିନି କେତେ ଯେ ପାପ କରିଛି ତାହା ବର୍ଣ୍ଣନା କରିବା ସମ୍ଭବ ନୁହଁଇ ଚିତ୍ରଗୁପ୍ତ କହିଲେ ହେ ଯମରାଜ !ଏହି ନାରୀ ବ୍ରାହ୍ମଣ କୂଳରେ ଜନ୍ମ ହୋଇ  ଆଚାରହୀନା ଓ ସ୍ୱାମୀଦ୍ରୋହୀ ଅଟେ ।ପତି କୁ ବହୁତ ଦୁଃଖ ଦେଇଛି ଏହି ନାରୀ ତେଣୁ ଏହାର ସ୍ୱାମୀ ଏହାର ମୁହଁ ଚାହଁନ୍ତି ନାହିଁ ମତ ଗର୍ବରେ ଯେତେ ଅକର୍ମ ସବୁ କରି  ଚାଲିଲା । ଏହି ପାପିନୀ ସ୍ୱାମୀ କୁ ଲୁଚାଇ ପାକ ଦ୍ରବ୍ୟ ସବୁ ଖାଇଦିଏ ଏପରିକି ସ୍ୱାମୀ କୁ ଉପାସରେ ରଖାଇ ଦିଏ । ଏହାର ଦଣ୍ଡ ଯାହା ହେବ ତାହା ମୁଁ କହୁଛି ! ଯମ ରାଜଙ୍କୁ ଚିତ୍ରଗୁପ୍ତ ବ୍ରାହ୍ମଣୀ କି କି ଦଣ୍ଡ ଭୋଗିବ ତାହା କହିଲେ ,ଚିତ୍ର ଗୁପ୍ତ କହିଲେ  ଏହି ନାରୀ ସାତ ଜନ୍ମ ଯାଏ ମାର୍ଜ୍ଜାରୀ  ହୋଇବ । ସମସ୍ତଙ୍କ ଘର ଘର ବୁଲି ଉଛିଷ୍ଟ ଖାଇବ ଓ ଶରୀର ରେ ଗଞ୍ଜଣା ପାଇବ ! କୁଟୁମ୍ବ ଙ୍କୁ ନଦେଇ ଭଲ ଦ୍ରବ୍ୟ ନିଜେ ଭୁଞ୍ଜୁ ଥିବାରୁ ଏ ପାପୀ ନିଜ ଗର୍ଭର ଫୁଲ ଓ ଫଳ କୁ ଖାଇଯିବ କଳହ କରୁଥିବାରି ତିନି ଜନ୍ମ ପର୍ଯ୍ୟନ୍ତ ଏ ନାରୀ ପିଶାଚୀ ହୋଇବ । ଏହି ନାରୀ ପୂର୍ବରେ ମତି ଚଞ୍ଚଳ ଥିବା ଯୋଗୁ  କାଠ ରୂପକ  ଯୋନି ପାଇବ । ଅର୍ଥାତ ତାହାର ଯୋନି ରେ ସଂଯୋଗ କରିବା ପାଇଁ ଅନୁପଯୁକ୍ତ ହେବ । ରାତିରେ ଶ୍ମଶାନ ରେ ବହୁ ଦୁର୍ଗନ୍ଧ ପଦାର୍ଥ ଭକ୍ଷଣ କରିବ । ସ୍ୱାମୀଙ୍କୁ ଦୁଃଖ ଦେଇଥିବାରୁ  ପର୍ବତ ଓ ଅରଣ୍ୟ ରେ ଏହି ନାରୀ ଜନ୍ମ ଗ୍ରହଣ କରିବ । ବନ ରେ ପିଶାଚୀ ହୋଇ  କଳହା  ନାଁରେ ସବୁଠାରେ ପରିଚିତ ହେବ । ସବୁବେଳେ ଏହି କଳହା ପିଶାଚୀ ବୁଲୁଥିବ । ତା ଜୀବନରେ ସୁଖ କିଛି ରହିବ ନାହିଁ । ନିଜ ସ୍ୱାମୀର ନିନ୍ଦା କରିଥିବାରୁ  ବିବର୍ଣ୍ଣ ଭୟଙ୍କର ରୂପ ରେ ବୁଲିବ । ବିଭିନ୍ନ ପ୍ରକାର କ୍ଳେଶ ପାଇବ । କେହି ତା ସଙ୍ଗରେ ନଥିବେ । ସେହିଁ ଏକା ହୋଇ ବୁଲିବ  । ଯେଉଁ ପାଟିରେ ସ୍ୱାମୀଙ୍କୁ ସବୁବେଳେ ଗାଳି ଦେଉଥିଲା  ସେହି ପାଟିରେ ସର୍ବଦା ଯୁଇ ଜଳୁଥିବ ଓ ପାଟିରେ କିଛି ଖାଇ ପାରିବ ନାହିଁ ।ଏମିତି ଏକସ୍ତରୀ ଯୁଗ ଧରି ପିଶାଚୀ ରୂପେ ବୁଲୁଥିବ  । ଚିତ୍ରଗୁପ୍ତ ଙ୍କ ଦଣ୍ଡ ବିଧାନ ଶୁଣି ଯମ ରାଜା କହିଲେ  ଏ ପାପୀ ଶୀଘ୍ର ଏଠାରୁ ଯାଉ । ସୁନ୍ଦରୀ ଯୁବତୀ ଧର୍ମଦତ୍ତ ବ୍ରାହ୍ମଣ ଙ୍କୁ କହୁଛି  ହେ ଗୋସାଇଁ 

ସେହି ଦିନଠାରୁ ମୁଁ ମାର୍ଜ୍ଜାରୀ ରୂପେ ସାତ ଜନ୍ମ ଭୋଗକଲି ! ତିନି ଜନ୍ମ ଏବେ ପିଶାଚୀ ହୋଇ ବୁଲୁଛି ଆଜକୁ ପନ୍ଦର ବର୍ଷ ହେବ ମୁଁ ଏହି ବନରେ ବାସ କରୁଅଛି । ମୁଁ ଯେତେ ଦୁଃଖ ପାଇଛି ମୋ ଜୀବନରେ ତାହା ଆପଣଙ୍କୁ ଆଗରେ କହୁଛି ଶୁଣ । କଳହା ପିଶାଚୀ କହିଲା ହେ ଗୋସାଇଁ ! ଗୋଟିଏ କ୍ଷଣ ମୋ ଜୀବନରେ ତ ସୁସ୍ଥ ମନ ନାହିଁ ମୋର କେବଳ ସର୍ବଦା ମୋ ମନ ଛନ୍ନ ଛନ୍ନ ହୋଇ ରହିଥାଏ ।ଭୋକ ରେ ମୋହର ଆତ୍ମା ଦୁଃଖ ପାଏ ଓ ଶୋଷରେ ଓଷ୍ଠ ଶୁଖିଯାଏ ।ପିତ୍ତ ଅଧିକ ହୋଇଯିବାରୁ ମୋ ପେଟ ସର୍ବଦା ପୋଡ଼ୁ ଥାଏ ।ମୁଁ ଠିକ୍ ଭାବରେ ବସି ପାରେ ନାହିଁ ।ଅଷ୍ଟ ଦିଗ୍ କୁ ଚାହିଁ ଚାହିଁ ରାତିଦିନ କାଟେ ।ପାଗଳୀ ପରି ଧାଉଁ ଥାଏ ।ସବୁବେଳେ ମୋତେ ଭୋକ ଲାଗୁଥାଏ ।ଖାଇବା ପାଇଁ କିଛି ମିଳେନାହିଁ ମୋତେ ।ଯେଉଁ ବୃକ୍ଷରେ ଫଳ ଫଳିଥାଏ ମୁଁ ଖାଇବା ପାଇଁ ଗଲାବେଳେ ସେ ବୃକ୍ଷ ଜଳିଯାଏ । ନିଆଁ କୁ ମୁଁ କେମିତି ଭକ୍ଷଣ କରିବି କୁହନ୍ତୁ ଗୋସାଇଁ ? ପୂର୍ବ ରୁ ଅକର୍ମ କରିଥିବାରୁ ମୁଁ ଏବେ ଏହି ଦଶା ଭୋଗ କରୁଛି ଗୋସାଇଁ ! ବେଳେବେଳେ ଭୋକ ସହି ନପାରି ମୁଁ ବସି ବହୁତ କାନ୍ଦେ । ଭୋକ ବିକଳେ ପବିତ୍ର ଗିରି ଜଳ କୁ ପିଇବାକୁ ଗଲା ବେଳେ ମୋତେ ଲାଗେ ଏ ଜଳ ନୁହେଁ ଏ ମୋ ପାଇଁ ଗରଳ !ତେଣୁ ଜଳ ବି ପିଇ ପାରୁନି ଗୋସାଇଁ !। କଳହା କହିଲା ହେ ବିପ୍ର ପ୍ରେତ ,ପିଶାଚ ଯାହା ଭୋଗ କରନ୍ତି ମୁଁ ତୁମ ଆଗରେ କହୁଛି ଶୁକ୍ର ,ଶୋଣିତ ପୂଜ , ଲାଳ ,କାନ ମଳି ,ନେତ୍ର ଜଳ , ସିଙ୍ଗାଣୀ ,ସ୍ଵେଦ ,ବାନ୍ତି ,ଉଛିଷ୍ଟ , ଏ ସବୁ ଏମାନଙ୍କର ଆହାର । ଦୀପ ଲିଭିଗଲା ବେଳେ ପତି ବିନାଶ କାଳେ ଯେଉଁ ନାରୀ ବା ପ୍ରାଣୀ ବିଚାର ନକରି ଅନ୍ନ ଭୋଜନ କରେ ,ଦକ୍ଷିଣ ,ପଶ୍ଚିମ ଦିଗକୁ ମୁହଁ କରି ଓ ଅନ୍ଧକାର ଘରେ ଯିଏ ଭୋଜନ କରେ ସେହିଁ ପ୍ରେତ ରୂପେ ଗଣନା କରାଯାଏ ।ଏହି ଦ୍ରବ୍ୟ ଯଦି ମିଳେ ତାହାକୁ ପ୍ରେତ ମାନେ ନେଇ ଭୋଇନ କରନ୍ତି । ମୁଁ କିଛି ସେଥିରୁ ଖାଏ ହେଲେ ସେ ଭୋଜନରେ ମୋତେ ଶାନ୍ତି ମିଳେନାହିଁ ।ପୂର୍ବ କର୍ମ କୁ ସ୍ମରଣା କରି ମୋର ମତି ଭ୍ରମ ହୋଇଯାଏ । ବନ ଭିତରେ ପଶି ବହୁତ କାନ୍ଦେ ଓ ନିରାଶ ହୋଇ ବୃକ୍ଷ ମୂଳରେ ବସେ।ଆହା ବୋଲି କରିବାକୁ କେହି ଆସନ୍ତି ନାହିଁ । ହେ ବିପ୍ର !ଏତେ କଷ୍ଟ ପାଇ ମୁଁ ଏ ଘୋର ବନ ମଧ୍ୟରେ ଥିଲି ।ଆଜି ମୋର ଭାଗ୍ୟ ଯେ ଆପଣଂକ ପରି ଜଣେ ନୈଷ୍ଟିକ ବ୍ରାହ୍ମଣ ଙ୍କୁ ଦର୍ଶନ କରିବାର ସୁଯୋଗ ପାଇଲି ।ମୋର ଦୁଃଖ କାହାଣୀ ଆପଣଂକ ଆଗରେ ପ୍ରକାଶ କଲି ।ଆତ୍ମା ମୋହର ପବିତ୍ର ହୋଇଗଲା ।ପୂର୍ବ ଅପରାଧ ଦୂର ହୋଇଗଲା ।ମୁଁ ଆପଣଂକ ପାଦ ତଳେ ପଡି କ୍ଷମା ମାଗୁଛି ମୋତେ କୁହନ୍ତୁ ମୁଁ ଏବେ କଣ କରିବି ଗୋସାଇଁ ? କଳହା ମୁଖରୁ ଏମନ୍ତ କଥା ଶୁଣି ଧର୍ମଦତ୍ତ ବ୍ରାହ୍ମଣ ମନେ ମନେ ବିଚାର କଲେ ଓ ପାଷାଣ ମୂର୍ତ୍ତି ହୋଇ ବିଷ୍ଣୁ ଭଗବାନ ଙ୍କୁ ଧ୍ୟାନ କଲେ ।

କ୍ରମଶଃ …………………..

କାର୍ତ୍ତିକ ମାହାତ୍ମ୍ୟ (ଭାଗ -୧୪)
A Story of Dvapar Yuga in Prose ( part-21)
କାର୍ତ୍ତିକ ମାହାତ୍ମ୍ୟ (ଭାଗ -୧୧)

Leave a Comment

Your email address will not be published. Required fields are marked *