ସମୁଦ୍ର ଆଗରେ ମୁଁ ଓ ମୋର ଆତ୍ମା
ଲୋକନାଥ ମିଶ୍ର
ଶନିବାର ସକାଳ—
ମହୋଦଧି ମଧ୍ୟ ପୂଜା କରୁଥିଲା,
ଗୋବିନ୍ଦ ଦ୍ୱାଦଶୀର ନାମରେ,
ସମୟ ଧୀରେ ଚାଲୁଥିଲା ।
ମୋ ସହିତ ଥିଲେ ମୋର ସହଧର୍ମିଣୀ—
ହାତରେ ହାତ ନୁହେଁ,
ମନରେ ମନ ଧରି
ଆମେ ଚାଲିଥିଲୁ
ସମୁଦ୍ର ଦିଗକୁ ।
ମହୋଦଧି ସେଦିନ
ପାଣି ନୁହେଁ—
ସେ ଥିଲା ଜୀବନର ଦର୍ପଣ,
ଯେଉଁଠି ମୁଁ ଦେଖିଲି
ମୋ ଅପୂର୍ଣ୍ଣତା
ଓ ଭଗବାନଙ୍କର କୃପା ।
ସାହି ସ୍ନାନ—
ଲହରୀ ଛୁଇଁଲା ଦେହ,
କିନ୍ତୁ ଭିଜିଗଲା ଆତ୍ମା ।
ଯେଉଁ ପାପକୁ
ମୁଁ ନାମ ଦେଇପାରୁନଥିଲି,
ସେଗୁଡ଼ିକ ନୀରବେ
ପାଣିରେ ମିଶିଗଲା ।
ସୂର୍ଯ୍ୟ ଉଠୁଥିଲେ—
ନୂଆ ଦିନ ନୁହେଁ,
ନୂଆ ମୁଁ ।
ସେଇ ଆଲୋକରେ
ମୋ ମନ କହିଲା—
“ଏଯାଏଁ ଯାହା ହେଲା, ହେଲା;
ଏବେ ସତ୍ୟ ହୋଇ ବଞ୍ଚ” ।
ତର୍ପଣ ସମୟରେ
ହାତରୁ ଖସିଥିବା ପାଣିରେ
ମୁଁ ଦେଖିଲି
ମୋ ପିତା, ମୋ ମାତା ଓ
ଅନେକ ନାମହୀନ ମୁହଁ—
ସେମାନେ କହୁଥିଲେ,
“ଆମେ ତୋର ଭିତରେ ଅଛୁ” ।
ତା’ପରେ ଶିବ ଦର୍ଶନ—
ଭସ୍ମ ଲଗା ଶରୀରରେ
ଅସୀମ ସହନଶୀଳତା ।
ନୀଳ କଣ୍ଠ କହୁଥିଲା—
“ବିଷ ପିଇଲେ ମଧ୍ୟ
ଲୋକଙ୍କୁ ବଞ୍ଚା” ।
ସେଦିନ ବୁଝିଲି—
ବିଷ୍ଣୁ ଶିଖାନ୍ତି ଶୁଦ୍ଧ ହେବା,
ଶିବ ଶିଖାନ୍ତି ଦୃଢ଼ ରହିବା ।
ଦୁଇ ମିଶି
ଜୀବନକୁ କରନ୍ତି
ସାର୍ଥକ ।
ଘରକୁ ଫେରୁଥିଲି—
ଦେହ କ୍ଲାନ୍ତ,
ମନ ଶାନ୍ତ ।
ସମୁଦ୍ର ପଛେ ରହିଗଲା,
କିନ୍ତୁ
ତା’ର ଶବ୍ଦ
ଆଜି ମଧ୍ୟ
ମୋ ଭିତରେ ଗୁଞ୍ଜୁଛି—
“ପୁଣ୍ୟ ମାନେ
ଗୋଟିଏ ଦିନ ନୁହେଁ,
ପୁଣ୍ୟ ମାନେ
ପ୍ରତିଦିନ
ମନୁଷ୍ୟ ହୋଇ ରହିବା” ।

