ସ୍ମୃତି, ଭକ୍ତି ଓ ଅନୁପସ୍ଥିତି
ଲୋକନାଥ ମିଶ୍ର
(ଉଜ୍ଜୟିନୀରୁ ସୋମନାଥ ପର୍ଯ୍ୟନ୍ତ)

ସେମାନଂକ ସହ
ମୁଁ ଉଜ୍ଜୟିନୀକୁ ଆସିଥିଲି—
ଗୀତାର ତିନି ସହେଲୀ,
ସେମାନଙ୍କ ସ୍ୱାମୀ,
ଭାଇ ଓ ଭାଉଜ—
ମଣିଷର ଏକ ଛୋଟ ମେଳା
ଭକ୍ତିର ଏକ ଲମ୍ବା ଯାତ୍ରା ।! ମହାକାଳେଶ୍ୱରର ଦ୍ୱାରେ
ସନ୍ଧ୍ୟା ଆରତିର ଆଲୋକ
ଆମ ମୁହଁରେ ପଡ଼ୁଥିଲା,
ଭସ୍ମ ଆରତିରେ
ସମୟ ମଧ୍ୟ ନିଜକୁ ଛାଡ଼ି
ଶିବଙ୍କ ପାଖେ ନମିଯାଉଥିଲା। କାଳଭୈରବ,
ହରସିଦ୍ଧି ମାଆ—
ପ୍ରତ୍ୟେକ ମନ୍ଦିରରେ
ଆମ ପାଦଚିହ୍ନ ଥିଲା,
ହସ, କଥା, ଭିଡ଼—
ଜୀବନ ଭରି ଯାଉଥିଲା । ଓଂକାରେଶ୍ୱର,
ମାମଳେଶ୍ୱର—
ନର୍ମଦାର ପାଣି ପରି
ଆମ ମନ ଏକାଠି ବହୁଥିଲା । ତାପରେ
ସେମାନେ ସମସ୍ତେ
ନିଜ ଘରକୁ ଫେରିଗଲେ,
ଆମେ ଦୁଇଜଣ
ସୋମନାଥକୁ ଆସିଲୁ—
ଏକା, ନିରବ, ଭିନ୍ନ । ମନ୍ଦିର ଅଛି,
ସମୁଦ୍ର ଅଛି,
ଶିବ ଅଛନ୍ତି—
କିନ୍ତୁ
ହସର ସେଇ ଶବ୍ଦ ନାହିଁ,
କଥାର ସେଇ ଭିଡ଼ ନାହିଁ । ଭକ୍ତି ଆଜି ଗଭୀର,
କିନ୍ତୁ ମନ
ଥୋଡ଼ା ଖାଲି । ସୋମନାଥର ତରଙ୍ଗ ମଧ୍ୟ
ଆଜି ପଚାରୁଛି—
“ସେମାନେ କେଉଁଠି ?” ଆମେ କିଛି କହୁନାହିଁ,
କେବଳ
ତାଙ୍କର ଅନୁପସ୍ଥିତିକୁ
ଦୁଇହାତରେ
ନମସ୍କାର କରୁଛୁ।



